‌ଚୋରଣୀ ଚାକରାଣୀ: ଦିଲ୍ଲୀରୁ ଲୁଟିଥିଲା, ଭୁବନେଶ୍ବରରୁ ଧରାହେଲା

କୋଟିଏରୁ ଅଧିକ ଟଙ୍କାର ହୀରା ଓ ସୁନା ଗହଣା ଜବତ, ହୋଟେଲରେ ଲୁଚିଥିଲା, ପୁରୁଷ ବନ୍ଧୁ ଫେରାର୍‌

ଭୁବନେଶ୍ବର : ଦିଲ୍ଲୀର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଘରେ ସହାୟିକା ଭାବେ କାମ କରୁଥିବା ସାଲିଆସାହିର ଯୁବତୀ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ହୀରା ଓ ସୁନାଗହଣା ଲୁଟି ପଳାଇ ଆସିଥିବାବେଳେ ଦିଲ୍ଲୀ ପୁଲିସର ଏକ ଟିମ୍ ଭୁବନେଶ୍ବରରଳ ଆସି ତା’କୁ କ୍ୟାପିଟାଲ ଥାନା ପୁଲିସ ସହାୟତାରେ ରାଜମହଲ ସ୍ଥିତ ଏକ ହୋଟେଲରୁ ଗିରଫ କରିଛି। ଏହି ଲୁଟପାଟରେ ସଂପୃକ୍ତ ତା’ର ଜଣେ ପୁରୁଷ ବନ୍ଧୁ ଫେରାର ହୋଇଯାଇଥିବାରୁ ତା’କୁ ଧରିବା ପାଇଁ ତନାଘନା ଜାରି ରହିଛି। ଏହି ଚୋରଣୀ ଚାକରାଣୀ ହେଉଛି ସାଲିଆସାହିର ସୁଜାତା ମହାପାତ୍ର। ଦିଲ୍ଲୀ ପୁଲିସ ସୁଜାତା ପାଖରୁ ସୁନା ଓ ହୀରା ଅଳଙ୍କାର ଜବତ କରିବା ସହିତ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଇ ଯାଇଛି।

ମିଳିଥିବା ସୂଚନା ମୁତାବକ ସୁଜାତା କିଛି ମାସ ତଳେ ଦିଲ୍ଲୀ ଯାଇଥିଲା ଏବଂ ଦ୍ବାରିକା ଅଞ୍ଚଳର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଶ୍ୟାମଲାଲଙ୍କ ଘରେ ସହାୟିକା ଭାବେ କାମ କରୁଥିଲା। ଦିଲ୍ଲୀର ଅନ୍ୟ ସହାୟିକାଙ୍କ ତୁଳନାରେ ଖୁବ୍ କମ୍ ଟଙ୍କାରେ କାମ କରିବାକୁ ରାଜି ହେବା ସହିତ ଭଲ କାମ କରି ଖୁବ୍ କମ୍‌ ଦିନରେ ପରିବାର ଲୋକଙ୍କ ବିଶ୍ବାସ ଜିଣି ନେଇଥିଲା। ଫଳରେ ଶ୍ୟାମଲାଲଙ୍କ ପରିବାର ଭିତରେ ସୁଜାତାର ଗୁରୁତ୍ବ ବଢ଼ିଯାଇଥିଲା। କିଛିଦିନ ତଳେ ଶ୍ୟାମଲାଲଙ୍କ ପରିବାର ଲୋକେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ସପରିବାର ବାହାରକୁ ଯାଇଥିବା ବେଳେ ସୁଜାତା ଘର ଜଗିଥିଲା। ତେବେ ପୂର୍ବ ଯୋଜନା ମୁତାବକ ସୁଜାତା ଦିଲ୍ଲୀର ଜଣେ ପୁରୁଷ ବନ୍ଧୁଙ୍କ ସହିତ ମିଶି ଘରର ଆଲ୍‌ମିରା ଭାଙ୍ଗି ସମସ୍ତ ହୀରା ଓ ସୁନାଗହଣା ଲୁଟି ନେଇ ଫେରାର୍ ହୋଇଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଦିଲ୍ଲୀ ପୁଲିସର ଏକ ଟିମ୍‌ ସୁଜାତାକୁ ଧରିବା ପାଇଁ ଭୁ‌ବନେଶ୍ବର‌ ଆସି ଡେରା ପକାଇଥିଲା। ଶେଷ‌ରେ ସେ ଏକ ହୋଟେଲରେ ଲୁଚିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ ସୁଜାତାକୁ କାବୁ କରିନେବା ସହ ‌ଚୋରି ହୋଇଥିବା ଅଳଙ୍କାର ଜବତ କରିଥିଲା।

ସମ୍ବନ୍ଧିତ ଖବର