ରିମାଣ୍ଡ ଅବଧି ସରିଲା ଜେଲ୍‌ ଗଲା ଛୋଟା : ଏସ୍‌ଟିଏଫ୍‌ ହାତରେ ଲାଲ୍‌ ଡାଏରି

ପୁଲିସ, ‌ନେତା, ଅବକାରୀ ଅଧିକାରୀ ହୋଇଛନ୍ତି ମାଲାମାଲ

ଭୁବନେଶ୍ୱର : ଖଣି ତଥା ଡ୍ରଗ୍‌ସ ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାର ୩ ଦିନିଆ ରିମାଣ୍ଡ ଶେଷ ହୋଇଛି। ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଛି। ୩ ଦିନରେ ହୋଇଥିବା ପାଖାପାଖି ୧୦ ଘଣ୍ଟାର ପଚରାଉଚରାରେ ଏସ୍‌ଟିଏଫ୍‌ ହାତରେ ଛୋଟାର ‘ଅପରାଧର ଲାଲ୍‌ ଡାଏରି’ ଲାଗିଛି।। ଅଖା ପାରି ପରିବା ବିକ୍ରି କରୁଥିବା ଛୋଟା ମାତ୍ର ଦୁଇବର୍ଷରେ କିପରି କୋଟିପତି ହେଲ‌ା, ତାହାର ବିସ୍ତୃତ କାହାଣୀ ଏସ୍‌ଟିଏଫ୍‌ ଆଗରେ ଛୋଟା ବୟାନ କରିଛି। ତା’ ସହିତ ସମ୍ପୃକ୍ତ ଥିବା ଏବଂ ଅପରାଧକୁ ପ୍ରୋତ୍ସାହିତ କରୁଥିବା କେତେକ ସରକାରୀ ଅଫିସରଙ୍କ ମୁଖା ମଧ୍ୟ ଖୋଲିଛି। କେବଳ ସରକାରୀ ଅଧିକାରୀ ନୁହନ୍ତି, କୋଟି କୋଟି ଟଙ୍କାର ପୃଷ୍ଠପୋଷକତା ପାଇ ବେଆଇନ ବେପାରକୁ ଘଣ୍ଟ ଘୋଡ଼ାଇଥିବା କେତେକ ରାଜନେତାଙ୍କ ତାଲିକା ଛୋଟା ଉପସ୍ଥାପନ କରିଛି। ତେବେ ତଦନ୍ତରେ ବାଧା ଆସିବା ଆଶଙ୍କା କରି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର ଏ ବାବଦରେ ଅଧିକ କିଛି ସୂଚନା ଦେଇନାହାନ୍ତି।

ଏମିତି ଚାଲିଥିଲା ନିଶା ଓ ଖଣି ବେପାର

ବାହାରୁ ନିଶାଦ୍ରବ୍ୟ ଆସିବ, ଖୋର୍ଦ୍ଧାରେ ବିକ୍ରି ହେବ। ଏଭଳି ଏକ ବେପାରକୁ ପରିଚାଳନା କରିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିଲା। ଆଣିବା ଲୋକ ସ୍ବତନ୍ତ୍ର ରହିଥିଲେ। ସେମାନେ ନିର୍ଦ୍ଧାରିତ ଜାଗାରେ କେବଳ ମାଲ୍‌ ଦେଇ ପଳାଉଥିଲେ। ଏଠାରେ ୩୦ରୁ ଊର୍ଦ୍ଧ୍ବ ଯୁବକଙ୍କୁ ନିୟୋଜିତ କରାଯାଇଥିଲା। ସେମାନଙ୍କୁ ସ୍ପିଡ୍‌ ବାଇକ୍‌ ପ୍ରଦାନ କରାଯାଇଥିଲା। ରାଜନେତା, ଖଣି ବେପାରୀ, କେତେକ ଠିକାଦାରଙ୍କ ସହ କେତେକ କଲେଜ ଛାତ୍ର ନିୟମିତ ଗ୍ରାହକ ଥିଲେ। ଯେଉଁଠି ଦରକାର ହେଉଥିଲା ସେଠାରେ ଏହି ଯୁବକମାନେ ନିଶାଦ୍ରବ୍ୟ ପହଞ୍ଚାଇ ଦେଉଥିଲେ। କେତେକ ଖୁଚୁରା ବ୍ୟବସାୟୀ ବି ଥିଲେ। ଆଉ କେତେକ ଜିଲ୍ଲା ବାହାରର ବେପାରୀ ଥିଲେ। ସେମାନଙ୍କୁ ନିଶାଦ୍ରବ୍ୟ ଯୋଗାଇ ଦିଆଯାଉଥିଲା। ଠିକ୍‌ ସେହିଭଳି ଖଣି ବେପାର ଚାଲିଥିଲା। ପୂର୍ବରୁ ଗ୍ରାହକ ଧାର୍ଯ୍ୟ ହେଉଥିଲେ। କେତେକ ରାଜନେତାଙ୍କ ନିର୍ଦ୍ଦେଶ ବଳରେ ମଧ୍ୟ ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ ମାଲ୍‌ ଦିଆଯାଉଥିଲା। ଉତ୍ତୋଳନ କରିବା ପାଇଁ ଏକ ସ୍ବତନ୍ତ୍ର ଗୋଷ୍ଠୀ ରହିଥିଲେ। ବୋହି ନେବା ପାଇଁ ଆଉ ଏକ ଗୋଷ୍ଠୀ ରହିଥିଲେ। ବେଆଇନ ଭାବରେ ବୁହା ହେବା ପାଇଁ ସମ୍ପୃକ୍ତ ପୁଲିସ ଅଫିସର ବାଟ କରୁଥିଲେ। ବିନା ଦ୍ବିଧାରେ ଖାଦାନରୁ ମାଲ୍‌ ଖାଲି ହେଇଯାଉଥିଲା। ଦିନ ଦ୍ବିପ୍ରହରରେ ମଧ୍ୟ ଏଭଳି ବେଆଇନ ବେପାର ଚାଲିଥିଲା।

ଛୋ‌ଟାର ଗାଡ଼ି ଚାଳକ ଅଟକ!

ଛୋଟାର ଗାଡ଼ି ଚାଳକକୁ ଏସ୍‌ଟିଏଫ୍‌ କିଛି ଦିନ ହେଲା ଉଠାଇ ଆଣି ଅଟକ ରଖିଥିବା କୁହାଯାଉଛି। ଜେରାରେ ତା’ଠାରୁ ମିଳିଥିବା ସୂଚନା ଏବଂ ଛୋଟାଠାରୁ ମିଳିଥିବା ସୂଚନାକୁ ମେଳ କରି ଏସ୍‌ଟିଏଫ୍‌ ଅନେକ କଥା ସଂଗ୍ରହ କରିଛି ବୋଲି ଜଣାପଡ଼ିଛି। ଏହି ଆଧାରରେ ଛୋଟାକୁ ଜେରା କରାଯାଇ ସତ୍ୟାସତ୍ୟ ଯାଞ୍ଚ କରାଯାଇଛି। ତେବେ ଚାଳକ ଅଳ୍ପ ଦିନ ହେବ ଛୋଟା ସହ ଜଡ଼ିତ ଥିବାରୁ ତା’ଠାରୁ ଅଧିକ ତଥ୍ୟ ମିଳି ପାରିନାହିଁ।

ଲେଡି ଡନ୍‌ କିଏ?

ଛୋଟାର ଅପରାଧ ଦୁନିଆରେ ‌ଜଣେ ମହିଳା ସହଯୋଗୀର ମୁଖ୍ୟ ଭୂମିକା ରହିଛି। ପରିବା ବିକ୍ରି ବେଳେ ଏହି ମହିଳାଙ୍କଠାରୁ ନିଶା ଦ୍ରବ୍ୟ ନେଇ ବିକ୍ରି କରୁ କରୁ ଛୋଟା ଡ୍ରଗ୍‌ସ ମାଫିଆ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହାପରେ ଛୋଟା ପୂରା ନିଶା ବଜାରକୁ କବଳିତ କରିଛି। ଅନେକ ସମୟରେ ମହିଳାଙ୍କ ସହ ଉଚ୍ଚବାଚ ବି ହୋଇଛି। ଛୋଟବଡ଼ ଘଟଣା ଘଟିବା ସହ ମାମଲା ଥାନା ପର୍ଯ୍ୟନ୍ତ ଆସି ରାଜନେତାଙ୍କ ହସ୍ତକ୍ଷେପରେ ଆପୋସ ସମାଧାନ ହୋଇଛି। ମହିଳା ଜଣକ ଭଲ ପରିବାରର ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ହାତ ରହିଛି। ଫଳ‌ରେ ତାଙ୍କର ଅପରାଧ କାରବାର ଲୋକଲୋଚନକୁ ଆସୁନାହିଁ। ଏହି ମହିଳାଙ୍କ ସମ୍ବନ୍ଧରେ ଛୋଟା ଏସ୍‌ଟିଏଫ୍‌କୁ ସୂଚନା ଦେଇଛି ବୋଲି କୁହାଯାଉଛି। ତେବେ ଏଭଳି ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ‘ଲେଡି ଡନ୍‌’ ଆତ୍ମଗୋପନ କରିଥିବା କୁହାଯାଉଛି।

ଏମାନେ ବି ତଦନ୍ତ ପରିସରଭୁକ୍ତ ହେବେ

ଛୋଟାର ଅପରାଧ ସାମ୍ରାଜ୍ୟକୁ ଧୂଳିସାତ କରିବାକୁ ଏସ୍‌ଟିଏଫ୍ ଯୋଜନା କରିଛି। ଛୋଟାଠାରୁ ମିଳିଥିବା ତଥ୍ୟ ମୁତାବକ ଅନେକ ତଦନ୍ତ ପରିସରଭୁକ୍ତ ହେବାକୁ ଯାଉଛନ୍ତି। ଛୋଟା ଯେଉଁମାନଙ୍କୁ ଦାମୀ ବାଇକ୍‌ ଯୋଗାଇଥିଲା ସେମାନଙ୍କୁ ଏବେ ଖୋଜାଯିବ। ଯେଉଁ ପୁଲିସ୍‌ ଅଧିକାରୀ ଦାମୀ ଗାଡ଼ି ନେଇଛନ୍ତି ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଯେଉଁ ଯେଉଁମାନେ ଛୋଟା ସହ ଫୋନ୍‌ ଯୋଗେ ବାରମ୍ବାର ସଂଯୋଗରେ ରହିଛନ୍ତି ସେମାନେ ମଧ୍ୟ ଏସ୍‌ଟିଏଫ୍‌ ସ୍କାନରକୁ ଆସିବେ। ଏଭଳି ଖବର ପ୍ରଚାରିତ ହେବା ପରେ ଏବେ ନେତା, ଅଫିସର ଓ ଫୋନ୍‌ ଯୋଗେ ‌ଛୋଟା ସହ ବିଭିନ୍ନ ସମୟରେ ସମ୍ପର୍କରେ ରହିଥିବା ସମସ୍ତେ ଛାନିଆ ହୋଇ ଯାଇଛନ୍ତି। ଅନ୍ୟଲୋକ ନାମରେ ବି ଛୋଟା କିଛି ସମ୍ପତ୍ତି କରିଛି। ଏହି ଖବର ଏସ୍‌ଟିଏଫ୍‌ ପାଖରେ ରହିଛି। ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବାକୁ ରହିଥିବାରୁ ସେମାନେ ମଧ୍ୟ ପ୍ରମାଦ ଗଣିଛନ୍ତି। ଜିଲ୍ଲା ବାହାରେ ସହଯୋଗୀ ରହିଛନ୍ତି। ତାଙ୍କର ମଧ୍ୟ ତାଲିକା ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର