ନନ୍ଦନକାନନରେ ଫିକା ପଡ଼ିବ ବଡ଼ଦିନ ଓ ନୂଆ ବର୍ଷ

ବାରଙ୍ଗ: କରୋନା ମାହାମାରୀ କଟକଣା ପାଇଁ ଚଳିତ ବର୍ଷ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ପୂର୍ବ ବର୍ଷମାନଙ୍କ ଭଳି ଏ ବର୍ଷ ପର୍ଯ୍ୟଟକ ସଂଖ୍ୟା ବହୁ ପରିମାଣରେ କମିବା ଆକଳନ କରାଯାଉଥିବାରୁ ନନ୍ଦନକାନନ‌ରେ ଉଭୟ ବଡ଼ଦିନ ଓ ନୂଆବର୍ଷ ଫିକା ପଡ଼ିବା ନିଶ୍ଚିତ ହୋଇଛି। କରୋନା କଟକଣା କୋହଳ ହୋଇଥିବା ସତ୍ତ୍ବେ କିଛି ଦିନ ହେଲା ଶୀତ ଲହରୀ ବଢ଼ୁଥିବାରୁ ଓ କରୋନାର ଦ୍ବିତୀୟ ଲହରୀ ଭୟ ଥିବାରୁ ଏଭଳି ଆଶଙ୍କା କରାଯାଉଛି।

ପ୍ରତିବର୍ଷ ରେଳ ଯୋଗେ ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସନ୍ତି। ଚଳିତ ବର୍ଷ ରେଳ ଚଳାଚଳ ଉପରୁ କଟକଣା ହଟିନାହିଁ। ତେଣୁ ଏଥର ବାହାର ପର୍ଯ୍ୟଟକଙ୍କ ସଂଖ୍ୟା କମିବା ନିଶ୍ଚିତ। ସେହିଭଳି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିବ। ବିଶେଷକରି ବଡ଼ଦିନ ଓ ନୂ୍ଆବର୍ଷରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ବଙ୍ଗୀୟ ପର୍ଯ୍ୟଟକମାନେ ଆସନ୍ତି। ଏହି ଅବସରରେ ସେମାନେ ନନ୍ଦନକାନନକୁ ବୁଲି ଆସନ୍ତି। କିନ୍ତୁ ଏବେ ପୁରୀକୁ ବାହାର ପର୍ଯ୍ୟଟକଙ୍କ ପାଇଁ କଟକଣା ବଳବତ୍ତର ଥିବାରୁ ଏହାର ପ୍ରଭାବ ମଧ୍ୟ ନନ୍ଦନକାନନ ଉପରେ ପଡ଼ିବ। ସୂଚନାଯୋଗ୍ୟ, ଦୀର୍ଘ ୭ ମାସ ବନ୍ଦ ରହିବା ପରେ ଅକ୍ଟୋବର ୪ ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି କଟକଣା ଭିତରେ ଖୋଲା ଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଅନେକ ବ୍ୟବସ୍ଥା ବନ୍ଦ ରଖାଯାଇଛି।

ବ୍ୟାଟେରିଚାଳିତ ଗାଡ଼ିରେ ଭ୍ରମଣ, କାଞ୍ଜିଆ ହ୍ରଦରେ ନୌକା ବିହାର, ବସ୍‌ରେ ସଫାରି ଭ୍ରମଣ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଭୋଜି କରିବା ଭଳି ବ୍ୟବସ୍ଥା ଉପରେ ପ୍ରତିବନ୍ଧକ ଲାଗିଛି। ଅର୍ଥାତ୍ ପର୍ଯ୍ୟଟକଙ୍କୁ ଅଧିକ ସଂଖ୍ୟାରେ ଆକର୍ଷିତ କରୁଥିବା ପ୍ରାୟ ସବୁ ସେବା ବନ୍ଦ ରହିଛି। ତେଣୁ ଖୋଲିବା ଦିନଠାରୁ ଆଜି ପର୍ଯ୍ୟନ୍ତ ନନ୍ଦନକାନନର ଦୈନିକ ପର୍ଯ୍ୟଟକ ସଂଖ୍ୟା ୫ହଜାର ଭିତରେ ସୀମିତ ରହୁଥିବା ବେଳେ ରାଜ୍ୟ ଉଦ୍ଭିଦ ଉଦ୍ୟାନର ପର୍ଯ୍ୟଟକ ସଂଖ୍ୟା ୫ଶହ ମଧ୍ୟରେ ସୀମିତ ରହୁଛି। ଏହି ଆକଳନରୁ ବଡ଼ଦିନ ଓ ନୂଆବର୍ଷରେ କମ୍ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି କୁହାଯାଉଛି। ଏଥର କଟକଣା ଭିତରେ କମ୍ ସଂଖ୍ୟକ ପର୍ଯ୍ୟଟକ ଆସିବାକୁ ଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ମଧ୍ୟ ସେଭଳି କିଛି ବଡ଼ଧରଣର ପ୍ରସ୍ତୁତି କରିନାହାନ୍ତି। ତେବେ ଅପରାଧ ନିୟନ୍ତ୍ରଣ ଲାଗି ପୁଲିସ ଫୋର୍ସ, ଦୁର୍ଘଟଣା ମୁକାବିଲା ଲାଗି ଅଗ୍ନିଶମ ବାହିନୀ ଓ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଲେ ଚିକିତ୍ସା ସେବା ପାଇଁ ଡାକ୍ତରୀ ଦଳ ରହିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର