ଭୁବନେଶ୍ବର: ସହର ସାରା ବୁଲୁଥିଲେ ଲାଲ୍ ପ୍ୟାଣ୍ଟସାର୍ଟ ଓ ଲାଲ୍ ଟୋପି ପିନ୍ଧା ସାନ୍ତା କ୍ଲସ୍। ଖ୍ରୀଷ୍ଟମାସ୍ ଟ୍ରି’ ବି ସହରର ଶୋଭାବର୍ଦ୍ଧନ କରୁଥିଲା। ମଲ୍, ଦୋକାନ, ବଜାର ଓ ରେସ୍ତୋରାଁ ସବୁ କୋଳାହଳରେ ଫାଟି ପଡ଼ୁଥିଲା। କିନ୍ତୁ ଯେଉଁଠି ବେଶି ଭିଡ଼ ହେବା କଥା, ସେଠାକାର ପରିବେଶ ଖାଁ ଖାଁ ରହିଥିଲା। ପ୍ରବେଶ କଟକଣା ଥିବାରୁ ଚର୍ଚ୍ଚ ପରିସରରେ ମାତ୍ର ଅଳ୍ପ ଲୋକ ଯୀଶୁଙ୍କ ଆରାଧନା କରି ଆଶୀର୍ବାଦ ଭିକ୍ଷା କରିବାର ସୁଯୋଗ ପାଇଥିଲେ। ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ଚର୍ଚ୍ଚଗୁଡ଼ିକରେ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହୋଇନଥିବାରୁ ଭକ୍ତମାନେ ନିରାଶ ହୋଇଥିଲେ।
କରୋନା କଟକଣା ଯୋଗୁଁ କେବଳ ୫୦ ଜଣ ଚର୍ଚ୍ଚ ପରିସରକୁ ପ୍ରବେଶର ଅନୁମତି ଥିବାରୁ ଚର୍ଚ୍ଚ ଯିବାକୁ ଭକ୍ତମାନେ ବିଶେଷ ମନ ବଳାଇ ନଥିଲେ। ଅନ୍ଲାଇନ୍ ପ୍ରାର୍ଥନା, କାରୋଲ୍ ଗାନ ଓ ବାଇବେଲ୍ ପାଠରେ ଯୋଗ ଦେଇ ସନ୍ତୁଷ୍ଟ ହୋଇଥିଲେ। ଦିନସାରା ବୁଲାବୁଲି ଓ କିଣାକିଣିରେ ଆଜିର ବଡ଼ଦିନ ବେଶ୍ ଆଡ଼ମ୍ବରରେ କଟିଥିଲା।
ସତ୍ୟନଗର କ୍ୟାଥଲିକ୍ ଚର୍ଚ୍ଚରେ ଆଜି ସକାଳ ସାଢ଼େ ୬ଟାରେ ଦିବ୍ୟଯଜ୍ଞ, ସାଢ଼େ ୭ଟାରେ ହିନ୍ଦୀ ପ୍ରାର୍ଥନା ଓ ସାଢ଼େ ୮ଟାରେ ଓଡ଼ିଆରେ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏଥିସହ ଅନ୍ଲାଇନ୍ରେ ବିଭିନ୍ନ ଭାଷାରେ ପ୍ରାର୍ଥନା ଓ ବାଇବେଲ୍ ପାଠ କରାଯାଇଥିଲା ବୋଲି ଫାଦର୍ ଅଜୟ କୁମାର ସଭାସୁନ୍ଦର କହିଛନ୍ତି। ତେବେ କଟକଣା ଯୋଗୁଁ ଆଜି ସଂଧ୍ୟାରେ ଚର୍ଚ୍ଚ ପରିସରରେ ବିଶେଷ କିଛି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇନଥିଲା।