ଭୁବନେଶ୍ବର: ୨୧ ବର୍ଷର ଲକ୍ଷ୍ମୀପ୍ରିୟା ଭୁବନେଶ୍ବରର ଏକ ହଷ୍ଟେଲରେ ରହି କୋଚିଂ ନିଅନ୍ତି। ଦେହ ଖରାପ ଥିବାରୁ ଆଜି ସେ ଜଣେ ସାଙ୍ଗଙ୍କ ସହ ସକାଳ ୯ଟାରେ ‌ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେ ପ୍ରଥମେ ଜରୁରୀକାଳୀନ ବିଭାଗରେ ଦେଖାଇବାକୁ ଧାଡ଼ିରେ ଛିଡ଼ାହୋଇ ଟିକେଟ୍ ମାଗିଥିଲେ। କିନ୍ତୁ ତାଙ୍କ ପାଳି ଆସିବାରୁ ତାଙ୍କୁ ଟିକେଟ ବଦଳରେ ଓପିଡି‌ରେ ଦେଖାଇବାକୁ କୁହାଯାଇଥିଲା। ସେଥିପା‌ଇଁ ପୁଣି ସେ ଓପିଡି ଟିକେଟ କରିବାକୁ ଏକ ଲମ୍ବା ଧାଡ଼ିର ପଛରେ ଯାଇ ଛିଡ଼ା ହୋଇଥିଲେ। ସେ ଲମ୍ବାଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥି‌ଲା। ସେ ବେହୋସ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ସାଲାଇନ ଲଗାଯିବା ପରେ ସେ ସୁସ୍ଥ ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲର ଏକ ନିୟମିତ ଦୃଶ୍ୟ। ପଞ୍ଜୀକରଣ କରିବାଲାଗି ଏଠାକାର ଲମ୍ବାଧାଡ଼ିରେ ଛିଡ଼ାହୋଇ ଦୈନିକ ୪-୫ ଜଣ ରୋଗୀ ଏହିଭଳି ବେହୋସ ହେଉଛନ୍ତି। ଶିଶୁଙ୍କଠାରୁ ଆରମ୍ଭକରି ମହିଳା ଓ ବୃଦ୍ଧ- ସମସ୍ତେ ଧାଡ଼ିରେ ଛିଡ଼ା ହୋଇ ନାକେଦମ୍‌ ହେଉଛନ୍ତି। କିନ୍ତୁ ଏକ ନୂଆ ପଞ୍ଜୀକରଣ କେନ୍ଦ୍ର ଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରା ଯାଉନାହିଁ।

Advertisment

ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍ ଭାବେ ପରିଣତ ହେବା ପରେ ଦୈନିକ ପ୍ରାୟ ୪,୦୦୦ରୁ ଅଧିକ ରୋଗୀ ହସ୍ପିଟାଲକୁ ଆସୁଛନ୍ତି। ଏଥିପାଇଁ ମାତ୍ର ୧୦ଟି ଟିକେଟ କାଉଣ୍ଟର ରହିଛି। ୫ଟି କାଉଣ୍ଟର ସବୁ ବିଭାଗ ପାଇଁ ରହିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ସୁପରସ୍ପେସାଲିଟି, ଜରୁରୀକାଳୀନ ବିଭାଗ ଓ ଚକ୍ଷୁ ବିଭାଗ ପାଇଁ ଗୋଟିଏ ଲେଖାଏଁ ସ୍ବତନ୍ତ୍ର କାଉଣ୍ଟର ଖୋଲା ଯାଇଛି। ଏହାସହ ଅନ୍‌ଲାଇନ୍‌ରେ ମଧ୍ୟ ଓପିଡି ଟିକେଟ ଦିଆଯାଉଛି। କିନ୍ତୁ ସଚେତନତା ଅଭାବରୁ ଅନ୍‌ଲାଇନ୍‌ର ସୁବିଧା ଅଧିକାଂଶ ଲୋକ ନେଉ ନାହାନ୍ତି। ପୁଣି ଅନ୍‌ଲାଇନ୍‌ରେ ମଧ୍ୟ ବିଭିନ୍ନ ବିଭାଗ ପାଇଁ ସର୍ବାଧିକ ମାତ୍ର ୪୦ଟି ଟିକେଟ ଦେବାର ବ୍ୟବସ୍ଥା ହୋଇଛି। ପଞ୍ଜୀକରଣ କେନ୍ଦ୍ରରେ ରୋଗୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ହସ୍ପିଟାଲର ରୋଗୀକଲ୍ୟାଣ ସମିତି ପକ୍ଷରୁ ଏକ ନୂଆ ପଞ୍ଜୀକରଣ କେନ୍ଦ୍ର ତିଆରି କରା ଯାଇଛି। ଏଥିରେ ୪ଟି ନୂ୍ଆ କାଉଣ୍ଟର କରାଯାଇଛି। କିନ୍ତୁ ୬ ମାସ ହେବ ଏହି ପଞ୍ଜୀକରଣ କେନ୍ଦ୍ରର କାମ ସରିଥିଲେ ଏହା କାମ ଆରମ୍ଭ କରିନାହିଁ। କର୍ମଚାରୀ ଅଭାବ ଏହାର କାରଣ ବୋଲି କୁହା ଯାଉଛି। ମଝିରେ ଜଣେ କର୍ମଚାରୀ ନିୟୋଜିତ କରାଯାଇ ଗୋଟିଏ କାଉଣ୍ଟର ଖୋଲାଯାଇଥିଲା। କିନ୍ତୁ ଅଳ୍ପଦିନ ଚାଲିବା ପରେ ତାହା ବନ୍ଦ ହୋଇଯାଇଛି। ଏନେଇ ହସ୍ପିଟାଲ କର୍ତ୍ତୃ୍ପକ୍ଷଙ୍କୁ ପଚାରିବାରୁ ଉତ୍ତର ମିଳିଲା, ନୂଆ ପଞ୍ଜୀକରଣରେ ଲୋକ ନିଯୁକ୍ତି ପାଇଁ ବିଭାଗକୁ ଚିଠି ଲେଖାଯାଇଛି।