ଚୂଡ଼ଙ୍ଗଗଡ଼-ବାରଙ୍ଗ ମହୋତ୍ସବ ଉଦ୍‌ଯାପିତ : ‘ଚୂଡ଼ଙ୍ଗଗଡ଼ ପ୍ରାଚୀ ନଦୀ ସଭ୍ୟତାର ଅଂଶ’

ବାରଙ୍ଗ : ଦୁଇଦିନ ଧରି ଚାଲିଥିବା ଚୂଡ଼ଙ୍ଗଗଡ଼-ବାରଙ୍ଗ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଛି। ବାରଙ୍ଗ ଝୁନ୍‌ଝୁନୱାଲା ଇଟା କାରଖାନା ପଡ଼ିଆରେ ଅନୁଷ୍ଠିତ ମହୋତ୍ସବର ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଐତିହାସିକ ତଥା ଗବେଷକ ଅନିଲ ଧୀର। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଶ୍ରୀ ଧୀର କହିଲେ, ଚୂଡ଼ଙ୍ଗଗଡ଼ ପ୍ରାଚୀନ ପ୍ରାଚୀ ନଦୀ ସଭ୍ୟତାର ଅଂଶ ବିଶେଷ। ଯାହାର କୀର୍ତ୍ତିରାଜିର ଉଦ୍ଧାର ଓ ଗବେଷଣା ଏ ପର୍ଯ୍ୟନ୍ତ ଠିକ୍ ଭାବେ ହୋଇପାରି ନାହିଁ। ସରକାର, ପ୍ରତ୍ନତତ୍ତ୍ବ ବିଭାଗ ସହିତ ଜନସାଧାରଣ ମିଳିତ ଭାବେ ଉଦ୍ୟମ କଲେ ଏହାର ବହୁ ଅନାଲୋଚିତ ତଥ୍ୟ ପଦାକୁ ଆସି ପାରିବ। ଓଡ଼ିଶା, ଦେଶ କାହିଁକି ବିଶ୍ବର ଏହା ଏକ ପ୍ରାଚୀନ ସଭ୍ୟତା ବୋଲି ପ୍ରମାଣ ମିଳିବ। ଏହି ଅବସରରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ, ଶିକ୍ଷାବିତ୍ ଟଙ୍କଧର ରାଉତ ଓ ପରିବେଶବିତ୍ ଗଣେଶ୍ବର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥିବା ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବର୍ଷାରାଣୀ ଜେନା, ଦ୍ବିତୀୟ ଶୁଭଶ୍ରୀ ପ୍ରଧାନ ଓ ତୃତୀୟ ଭାଗ୍ୟଲକ୍ଷ୍ମୀ ଷଡ଼ଙ୍ଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଶିଳ୍ପପତି ଅର୍ଜୁନ ମହାରଣା, ଅମରେନ୍ଦ୍ର ମହାପାତ୍ର, ସଂଗଠନ ସମ୍ପାଦକ ମଣ୍ଟୁ ମାଝି, ଦେବାଶିଷ ରାଉତ, ରାଜ କିଶୋର ରାଉତ, ବସନ୍ତ ପାଣି, ମିଡିଆସେଲର ଅଧକ୍ଷ୍ୟ ଭୂପତିଭୂଷଣ ପାଣି, ବସନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କମିଟିର କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଭାପତି ପ୍ରେମାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର