ପିପିଲି : ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ‘ସିଫା’ର ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଛି। ଏଥିରେ ପ୍ରଖ୍ୟାତ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସିଫାର ନିର୍ଦ୍ଦେଶକ ଡ. ଜିତେନ୍ଦ୍ର କୁମାର ସୁନ୍ଦରାୟ ଦେଶରେ ମତ୍ସ୍ୟଚାଷର ବିକାଶ ନିମନ୍ତେ ସିଫାର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ତିନି ଦଶନ୍ଧୀ ପୂର୍ବେ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗଠାରେ ସ୍ଥାପିତ ମଧୁରଜଳ ମତ୍ସ୍ୟଚାଷ ଗବେଷଣା କେନ୍ଦ୍ର (ସିଫା)ରେ ‘ମୋ ଗାଁ ମୋର ଗୌରବ’, ‘ପ୍ରଥମେ କୃଷକ, ସ୍ୱଚ୍ଛ ଭାରତ’,‘ମୃତ୍ତିକା ସ୍ୱାସ୍ଥ୍ୟ ପତ୍ର’, ‘ଜନଜାତି ଉପ ପରିକଳ୍ପନା’ ଇତ୍ୟାଦି ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରିଥିବା ସେ କହିଥିଲେ।

Advertisment

ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଈଶାନ ପାତ୍ର, ଜାତୀୟ କୃଷି-ମହିଳା ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଏସ୍‌. କେ. ଶ୍ରୀବାସ୍ତବ,  ସିଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଇ.ବି.କୁମାର ଏବଂ ବିତ୍ତ ଅଧିକାରୀ ଏନ୍‌.ଭି.ଆର୍‌.ଏନ୍‌.ମୂର୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସିଫାର ପ୍ରାକ୍ତନ ୨୦ଜଣ କର୍ମଚାରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ସିଫା କର୍ମଚାରୀ କଲ୍ୟାଣ ସଂଘ ସଚିବ ଡ. ଏନ୍‌ କେ ବାରିକ  ଧନ୍ୟବାଦ  ଅର୍ପଣ କରିଥିଲେ।