ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ କେନ୍ଦ୍ରୀୟ ମଧୁର ଜଳ ଗବେଷଣା ସଂସ୍ଥାନର ୩୨ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଡ. ଶୁଦ୍ଧସତ୍ୟ ବାସୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ନିର୍ବାଚନ କମିସନର ତଥା ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ସଂଜୀବ ହୋତା ମୁଖ୍ୟବକ୍ତା ଏବଂ କୋଷ୍ଟାଲ ଆକ୍ୱାକଲ୍‌ଚର ଅଥରିଟିର ମୁଖ୍ୟ ଡ. ସି ଗୋପାଳ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ସ୍ୱାଗତ କରି ସିଫାର ନିର୍ଦ୍ଦେଶିକା ଡ. ବିନ୍ଦୁ ଆର. ପିଲାଇ ଦେଶର ମଧୁରଜଳ ମତ୍ସ୍ୟ ସଂପଦ ବିକାଶରେ ସିଫାର ଭୂମିକା ଉପରେ ମତ ରଖିଥିଲେ। ଏହି ଅବସରରେ କୃତୀ ବୈଜ୍ଞାନିକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ୩ ଗୋଟି ପ୍ରକାଶନକୁ ଉନ୍ମୋଚନ କରାଯାଇଥିଲା। ସମାରୋହରେ ସିଫାର ଅନେକ ପ୍ରାକ୍ତନ ବୈଜ୍ଞାନିକ ତଥା କର୍ମଚାରୀ ଯୋଗଦାନ କରି ସେମାନଙ୍କ ସୁଚିନ୍ତିତ ପରାମର୍ଶ ଉପସ୍ଥାପନ କରିଥିଲେ। ଶେଷରେ ସିଫାର ବୈଜ୍ଞାନିକ ଡ. ସୁବାସ ସରକାର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ୧୯୮୭ ଉତ୍କଳ ଦିବସରେ ସିଫା, ରାଜଧାନୀ ଉପକଣ୍ଠ କୌଶଲ୍ୟାଗଙ୍ଗଠାରେ ଦେଶର ଅଗ୍ରଣୀ ଜଳକୃଷି ଗବେଷଣା ସଂସ୍ଥାନ ରୂପେ ଆତ୍ମପ୍ରକାଶ କରିଥିଲା। ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫା ତିନି ଦଶନ୍ଧିରୁ ଅଧିକ ସମୟ ଦେଶର ମଧୁର ଜଳ ମତ୍ସ୍ୟ ଉତ୍ପାଦନର ବିକାଶ କରିଆସୁଛି।