ନିଶାଡ଼ିଙ୍କ ଉପରେ କରୋନା ଚଡ଼କ: ସିଗାରେଟ୍‌ ୮, ଗୁଟ୍‌ଖା ୧୦

ଭୁବନେଶ୍ବର: ତାଲାବନ୍ଦ ଯୋଗୁଁ ଅଭ୍ୟାସଗତ ମଦ୍ୟପମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କଳାବଜାରରେ ଚଢ଼ା ଦରରେ ମଦ କିଣି କିଣି ସେମାନେ ବେହାଲ୍‌ ହୋଇପଡ଼ିଲେଣି। ସେହିଭଳି ଏବେ ଆସିଛି ସିଗାରେଟ୍‌ ଓ ଗୁଟ୍‌ଖା ଖିଆଙ୍କର ପାଳି। ପଛ ଦରଜାରେ ବିକ୍ରି ହେଉଥିବା ସିଗାରେଟ୍‌ ଓ ଗୁଟ୍‌ଖା ଦର ବେଶ୍ ବଢ଼ିଯାଇଛି। ଏହି ଦରବୃଦ୍ଧି ଅଭ୍ୟାସଗତ ସିଗାରେଟ୍‌ ଟାଣିବା ବାଲା ଓ ଗୁଟ୍‌ଖ‌ା ଚୋବାଇବା ବାଲାଙ୍କ ଉପରେ କରୋନା ପାହାର ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ସାଧାରଣତ ଅଧିକ ବିକ୍ରି ହେଉଥିବା ସିଗାରେଟ୍‌ ୬ ଟଙ୍କା ପଡ଼ୁଥିଲା। ଏବେ ୮ ଟଙ୍କା ହୋଇଯାଇଛି। ସେହିଭଳି ପାଞ୍ଚ ଟଙ୍କିଆ ଗୁଟ୍‌ଖା ଏବେ ଦ୍ବିଗୁଣ ଅର୍ଥାତ୍ ୧୦ ଟଙ୍କା ପଡ଼ୁଛି। ପାନ ଅଭାବରୁ ବହୁ ପାନଖିଆ ଗୁଟ୍‌ଖା ଉପରେ ନିର୍ଭର କରୁଥିବାରୁ ତା’ର ଚାହିଦା ବୃଦ୍ଧି ପାଇଛି। ତେଣୁ ୫ ଗୁଟ୍‌ଖା ୧୦ ଟଙ୍କା ହେଲେ ବି ‌ଖାଉଟି ପଛାଉନଥିବା ଦେଖିବାକୁ ମିଳୁଛି। ମଦ ଦୋକାନ ଭଳି ଏବେ ବଜାରରେ ପାନ ଦୋକାନ ପୂରା ବନ୍ଦ ରହିଛି। କିନ୍ତୁ କୁଚିଆ ମାନଙ୍କ ଦ୍ବାରା ପଛ କବାଟ ଦେଇ ମଦ ଯେମିତି ବଜାରରେ ହାଉଯାଉ ହେଉଛି, ଗୁଟ୍‌ଖା ମଧ୍ୟ ସେମିତି ତା’ ସ୍ଥାନ କବ୍‌ଜା କରି ରଖିଛି। ତେଜାରାତି ସାମଗ୍ରୀ ସହ ଗୁଟ୍‌ଖା ଓ ସିଗାରେଟ୍‌ ବଜାରକୁ ଆସୁଛି ଓ ଲୁଚାଛପାରେ ବିକ୍ରି ହେଉଛି। ଖାଉଟିମାନଙ୍କ କହିବା କଥା ଏହି ବଦଭ୍ୟାସ ପାଇଁ ସେମାନଙ୍କୁ ଏବେ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ଗୁଟ୍‌ଖା ଖାଇବା‌ କମାଇଥିଲେ ମଧ୍ୟ ପୂରା ଛାଡ଼ି ହେଉନାହିଁ। ତେଣୁ ଏହି ମଉକାରେ ବେପାରୀମାନେ ସେମାନଙ୍କୁ ଶୋଷଣ କରୁଛନ୍ତି।

ସମ୍ବନ୍ଧିତ ଖବର