ସିଆଇଆଇ ଉତ୍କଳର ଆଇଡିଆଥନ୍‌ ଏମ୍‌ଟୁଏମ୍‌-୨୧ ଉଦ୍‌ଯାପିତ

୩ ଅଭିନବ ଚିନ୍ତାଧାରା ପୁରସ୍କୃତ

ଭୁବନେଶ୍ବର: ଅଭିନବ ବ୍ୟବସାୟ ଚିନ୍ତାଧାରା ନେଇ ଆଗ୍ରହୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟର ‘ସେଣ୍ଟର ଫର୍‌ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ’ (ସିଆଇଆଇ) ପକ୍ଷରୁ କରାଯାଇଥିବା ଆଇଡିଆଥନ୍‌ ଏମ୍‌ଟୁଏମ୍‌-୨୦୨୧ ଉଦ୍‌ଯାପିତ ହୋଇଛି। ଏହା ମାଧ୍ୟମରେ ଚୟନ ହୋଇଥିବା ୩ଟି ସର୍ବୋତ୍ତମ ଚିନ୍ତାଧାରା ଯଥ‌ା ଗ୍ରିନ୍‌ ‌ଟେକ୍ନୋଲୋଜିରେ କାମ କରୁଥିବା ବାନ୍ଧୁ ରିନ୍ୟୁଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଥିଙ୍କେନିକ୍ସ ବାୟୋଟେକ୍‌ ଓ ଇଡିଟେକ୍‌ ଡୋମେନ୍‌ରେ କାମ କରୁଥିବା ଆଇଆଇଆଇଟି ଭୁବନେଶ୍ବରର ଭାବାତୋଶ ମହନ୍ତଙ୍କୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ବାବଦରେ ୫୦ ହଜାର, ୩୦ ହଜାର ଓ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ‌ଅଧ୍ୟକ୍ଷ ଅସିତ୍‌ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସର୍ବକୃଷ୍ଟ ଷ୍ଟାର୍ଟଅପ୍‌କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ତ୍ରିପାଠୀ ସିଆଇଆଇ ଉତ୍କଳ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ବଜାରର ଏକ ବୃହତ୍ତ କାନଭାସ୍‌ କଳ୍ପନା କରିବାକୁ ଉତ୍ସାହିତ କରିବା ସହ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁଯୋଗ ବିଷୟରେ କହିଥିଲେ।

ଇଣ୍ଡାନ ଲାଇଫ୍‌ ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ବିଏନ୍‌ ବାନାର୍ଜୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ କହିଲେ ଯେପର୍ଯ୍ୟନ୍ତ ଗୋଟିଏ ଷ୍ଟାର୍ଟଅପ୍‌ ବିଫଳ ନ ହୋଇଛି ସେପର୍ଯ୍ୟନ୍ତ କୌଣସି ଶିକ୍ଷା‌ ମିଳିବନି। ସଫଳତାର ବି କୌଣସି ସୁଯୋଗ ନାହିଁ। ଯଦି ତୁମ ଦ୍ରବ୍ୟର ସ୍ଥିରତା, ପ୍ରତିଯୋଗିତାର କ୍ଷମତା, ଉତ୍ପାଦ ଓ ସେବା ଉପରେ ଆତ୍ମବିଶ୍ବାସ ନ ଥାଏ ତେବେ ସମଗ୍ର ଯାତ୍ରା ଏକ ୟୁ ଆକୃତିର ମୋଡ ନେଇଥା‌ଏ। ଅଧିକାଂଶ ଲୋକ ୨ରୁ ୩ ବର୍ଷ ପରେ ହାର ମାନିଯାନ୍ତି। କିନ୍ତୁ ତୁମେ ଯଦି ପ୍ରଥମ ପାଞ୍ଚ ବର୍ଷ ତିଷ୍ଠି ରହିପାରିବ ତେବେ ସଫଳତାର ସ୍ବାଦ ଚାଖିବ।

ରାଜ୍ୟର ଅଭିବୃଦ୍ଧି ଦିଗରେ ନିଆଯାଇଥିବା ଏହି ପଦକ୍ଷେପକୁ କୁଳପତି ପ୍ରଫେସର ଆଚାର୍ଯ୍ୟ ପ୍ରଶଂସା କରି କହିଛନ୍ତି ଯେ ସିଆଇଆଇର ଏଭଳି ଉଦ୍ୟମ ବେଶ ଉଚ୍ଚକୋଟିର। ଯୁବକମାନେ ଷ୍ଟାର୍ଟଅପ୍‌ ଚିନ୍ତାଧାରା ସହ ଆଗକୁ ବଢ଼ିବା ଆବଶ୍ୟକ। ଯାହାକି ସିଆଇଆଇ ଉତ୍କଳ ଦ୍ବାରା ପ୍ରଦାନ କରାଯାଇଥିବା କାର୍ଯ୍ୟାନ୍ବୟନ ପାଇଁ ନିଶ୍ଚିନ୍ତ ଭାବେ ଏକ ଉପଯୁକ୍ତ ପ୍ଲାଟଫର୍ମ ହେବ। ଆଶା କରୁଛୁ ରାଜ୍ୟ ସରକାର ମଧ୍ୟ ଏଦିଗରେ ସହଯୋଗ ପ୍ରଦାନ କରିବେ। ସିଆଇଆଇର ‘ଉଦ୍ୟମ’ ଓ ‘ଉପକ୍ରମ’ କାର୍ଯ୍ୟକ୍ରମ ମାଧ୍ୟମରେ ୨୮ଟି ଷ୍ଟାର୍ଟଅପ୍‌କୁ ସେନ୍ସିଟାଇଜ୍‌ କରାଯାଇଛି। ସିଆଇଆଇ ସିଇଓ ମନୀଷା ଆଚାର୍ଯ୍ୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଆଇଆଇର ପ୍ରଫେସର ଇନ୍‌ଚାର୍ଜ ବିଧୂଭୂଷଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର