ଦୀପା ସାହୁଙ୍କୁ ସହାୟତା ପାଇଁ ଆଗେଇ ଆସିଲେ ସିନେ କଳାକାର, ଦେଲେ ୫ଲକ୍ଷ ଟଙ୍କାର ଚେକ୍‌

ଭୁବନେଶ୍ବର : ଲୋକପ୍ରିୟ ଆଲବମ୍‌ ଅଭିନେତ୍ରୀ ଦୀପା ସାହୁଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଦୀପା ଭଲରେ କଥାବାର୍ତା କରୁଥିବା ବ‌େଳେ ଆଜି ଅଭିନେତ୍ରୀ ବିଦୁସ୍ମିତାଙ୍କ ସହ ଫୋନରେ ଘଣ୍ଟାଏ ସମୟ ଧରି କଥା ହୋଇଛନ୍ତି। ଖୁସିର କଥା ହେଉଛି, ଦୀପା ସାହୁଙ୍କ ଅବସ୍ଥା ଗୁରୁତର ବେଳେ ସିନେ କଳାକାର ବୃନ୍ଦ ତାଙ୍କ ସହ ଛିଡ଼ା ହୋଇଛନ୍ତି।

ସିନେ କଳାକାର ସଂଘର କାର୍ଯ୍ୟକାରୀ ସମିତି ସଦସ୍ୟ ବିଦୁସ୍ମିତା କହିଛନ୍ତି, ଦୀପା ୨୦୧୮ ମସିହାରେ କ୍ୟାନ୍ସରରେ ଆକ୍ରାନ୍ତ ହେବା ପରେ ତାଙ୍କର ଅପରେସନ ହୋଇଥିଲା। ସେ ଟାଟା ମେମୋରିଆଲ ହସ୍ପିଟାଲରେ ନିୟମିତ ଚିକିତ୍ସିତ ହୋଇ ଆସୁଥିଲେ। ତେବେ ଏଇ ଲକ୍‌ଡାଉନ ସମୟରେ ୨ ମାସ ଭିତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବେଶି ବିଗିଡ଼ି ଯାଇଥିଲା। ସେ ଯେବେଠୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହେଲେ ସେଇ ଦିନରୁ ହିଁ ଆମେ ସିନେ କଳାକାରମାନେ ମିଶି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରି ଦୀପାଙ୍କ ଚିକିତ୍ସା ପାଇଁ ପାଣ୍ଠି ଯୋଗାଡ଼ିବାକୁ ଉଦ୍ୟମ କଲୁ। ଏହା ଜରିଆରେ ବହୁ ବରିଷ୍ଠ କଳାକାରଙ୍କଠୁ ନେଇ ଏବେର ଯୁବପିଢ଼ିର କଳାକା‌ରମାନେ ଯୋଡ଼ି ହୋଇ ସହାୟତା‌ ଯୋଗାଇ ଦେଲେ। ଫଳରେ ଆମେ ସଂଗୃହୀତ ପାଣ୍ଠି ପାଖାପାଖି ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛୁ। ସୁରେଶ ମିଶ୍ର, ଶ୍ରୀତମ ଦାସ, ଉଷଶୀ ମିଶ୍ର, ବୁଦ୍ଧାଦିତ୍ୟ, ଜିନା, ପ୍ରିୟା ଚୌଧୁରୀ, ଏଲି ପାଢ଼ୀ, ଦେବାଶିଷ, ଆହାନା, ଦେବଜାନୀ ପ୍ରମୁଖ ଉପସ୍ଥିତ ରହି ଏହି ସହାୟତା ପ୍ରଦାନ କରିବା ସହ ସକ୍ରିୟ ଭାବେ ସହଯୋଗ ଯୋଗାଇ ଦେବାକୁ ଅନ୍ୟମାନଙ୍କୁ ନିବେଦନ କରିଥିଲେ।

ଅନ୍ୟପକ୍ଷରେ ଦୀପାଙ୍କୁ ବିଦୁସ୍ମିତାଙ୍କ ମା’ ସୁକାନ୍ତିବାଳା ମନ୍ତ୍ରୀ ଝିଅ କରିଥିବାରୁ, ପ୍ରଥମ ଦିନରୁ ବିଦୁସ୍ମିତା ଭଉଣୀର ଦାୟିତ୍ବ ନିଭାଇ ତାଙ୍କ ପାଖେ ପାଖେ ରହି ଆସୁଛନ୍ତି। ଗତକାଲି ମଧ୍ୟ ଦୀପା ଏମ୍‌ସ ଯିବା ‌ବେଳେ ଏବଂ ସେ ହସ୍ପିଟାଲରେ ଭର୍ତି ହେବା ପରେ ବିଦୁସ୍ମିତା ତାଙ୍କ ନିକଟରେ ରହି ମାନସିକ ଭାବେ ଦୃଢ଼ ହେବାକୁ କହିଥିଲେ। ସେ କହିଛନ୍ତି, ଆଲବମ୍‌ ଜଗତରେ ସୁନ୍ଦର ଅଭିନୟ କରି ସେ ଲକ୍ଷଲକ୍ଷ ଦର୍ଶକଙ୍କୁ ମନୋରଂଜନ କରିଛନ୍ତି। ତେଣୁ ଦର୍ଶକମାନେ ଦୀପା ସୁସ୍ଥ ହୋଇଯିବା ନେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଆମେ ମଧ୍ୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେ ଶୀଘ୍ର ସୁସ୍ଥ ହେଇଯାଆନ୍ତୁ।

ସମ୍ବନ୍ଧିତ ଖବର