କଟକ: ଏକ ସିନେମା ପ୍ରଯୋଜନା ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଧମକ ଦେଇଛନ୍ତି ଦୁର୍ବୃତ୍ତ। ଖାନନଗର ନିକଟରେ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ଧମକ ଦେଇଛନ୍ତି। ଏକ ସିନେମାର କପି-ରାଇଟ୍ ଡିଷ୍ଟ୍ରିବ୍ୟୁସନ୍ ଚୁକ୍ତି ବାବଦ ୬୦ଲକ୍ଷ ଟଙ୍କା କାରବାରକୁ ନେଇ ଏଭଳି କାଣ୍ଡ ଘଟିଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଭୁବନେଶ୍ବର ଲୁଇସ୍ ରୋଡ୍ରେ ରହୁଥିବା ସାଇଶ୍ରଦ୍ଧା ସିନେମା ପ୍ରଯୋଜନା ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ସୌଭାଗ୍ୟଲକ୍ଷ୍ମୀ ଜେନା ‘ଅଜବ ସଞ୍ଜୁର ଗଜବ ଲଭ୍ ସିନେମା ପ୍ରଡକ୍ସନ୍ କରିଥିଲେ। ଏହି ସିନେମାର କପିରାଇଟ୍ ଡିଷ୍ଟ୍ରିବ୍ୟୁସନ୍ ଚୁକ୍ତି କଟକ ଲିଙ୍କରୋଡ୍ ମୈତ୍ରୀବିହାରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହିତ ୨୦୧୮ ଡିସେମ୍ବର ୧୮ ତାରିଖରେ କରିଥିଲେ। ଏହି ଚୁକ୍ତି ବାବଦ ୬୦ ଲକ୍ଷ ଟଙ୍କାର ଚେକ୍ ସମ୍ପୃକ୍ତ ବ୍ୟକ୍ତି ସୌଭାଗ୍ୟଲକ୍ଷ୍ମୀଙ୍କୁ ପ୍ରଦାନ କରିଥିଲେ। ଚେକ୍ ବ୍ୟାଙ୍କରେ ଜମା କରିବା ପରେ ଏଥିରେ ଥିବା ଦସ୍ତଖତ ଜାଲ୍ ବୋଲି ଜଣାପଡ଼ିଥିଲା। ପୁଣି ସମ୍ପୃକ୍ତ ବ୍ୟକ୍ତି ଆଉ ଏକ ଚେକ୍ ଦେଇଥିଲେ। କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିବାରୁ ଚେକ୍ ବାଉନ୍ସ ହୋଇଯାଇଥିଲା। ଟଙ୍କା ପାଇଁ ସୌଭାଗ୍ୟଲକ୍ଷ୍ମୀ ତାଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରି ନଥିଲା। ଟଙ୍କା ମାଗିବାରୁ ଚୁକ୍ତି କରିଥିବା ବ୍ୟକ୍ତି ବିଭିନ୍ନ ସମୟରେ ତାଙ୍କୁ ଫୋନ୍ରେ ଧମକ ଦେଇ ଆସୁଥିଲେ। ଗଲା ୨୩ତାରିଖ ମଧ୍ୟାହ୍ନରେ ସୌଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ବାମୀ ଖାନନଗର ଦେଇ ଏକ କାରରେ ଯାଉଥିବା ସମୟରେ ଦୁଇ ଜଣ ମୁଖାପିନ୍ଧା ବ୍ୟକ୍ତି ଏକ କଳା ରଙ୍ଗର ବାଇକ୍ରେ ଆସି ଛୁରି ଓ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଏଭଳି ଘଟଣା ପଛରେ ମୈତ୍ରୀବିହାରର ସମ୍ପୃକ୍ତ ବ୍ୟକ୍ତିଙ୍କ ହାତ ରହିଥିବା ସୌଭାଗ୍ୟଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ପୁଲିସ ଖାନନଗର ଆଖପାଖରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି। ଯେଉଁ ଦୁଇ ମୁଖାଧାରୀ ଯୁବକ ଧମକାଇଥିଲେ, ତାଙ୍କୁ ଠାବ କରିବାକୁ ପୁଲିସ ଉଦ୍ୟମ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/gunpoint.jpg)