ଦୁର୍ଦ୍ଦିନରେ ସିନେମା ଶିଳ୍ପ: ଖର୍ଚ୍ଚ ହେଉଛି ୧୦ ହଜାର, ଆୟ ୪୫୦ ଟଙ୍କା

ଭୁବନେଶ୍ବର: ସିନେମା ହଲ୍‌ ସଂଖ୍ୟା ବଢ଼ିଲେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଆଗେଇବ। ଦୂରେଇ ଯାଇଥିବା ଦର୍ଶକ ପୁଣି ସିନେମା ହଲ୍‌କୁ ଫେରିବେ। ଚଳଚ୍ଚିତ୍ରର ଭବିଷ୍ୟତକୁ ନେଇ ଅନେକ ନେତା ଓ ଅଭିନେତା ଏମିତି ସ୍ବପ୍ନ ଦେଖୁଛନ୍ତି। କମ୍‌ ସିନେମା ହଲ୍‌ ଯେ ସଂପ୍ରତି ଚଳଚ୍ଚିତ୍ର ଶିଳ୍ପର ରୁଗ୍‌ଣ ସ୍ଥିତି ପାଇଁ ଦାୟୀ ବୋଲି ଅନେକ ମତ ଦେଉଛନ୍ତି। ମାତ୍ର ବାସ୍ତବ ଚିତ୍ର ଠିକ୍‌ ଓଲଟା। ଯଦି ଏଇ କିଛିଦିନର ସିନେମା ହଲ୍‌ର ଚିତ୍ରକୁ ଅବତାରଣା କରାଯାଏ, ତେବେ ଆପଣ ଜାଣିଲେ ନିଶ୍ଚିତ ବିସ୍ମିତ ହେବେ। ବୋଧେ ଆପଣଙ୍କର ବିଶ୍ବାସ ହେବ ନାହିଁ ଯେ, ନିକଟରେ ସିନେମା ହଲ୍‌କୁ ଆସିଥିବା ‘ଜଗନ୍ନାଥ ଧାମ’ ଚଳଚ୍ଚିତ୍ରର ଏକ ସୋ’ରେ କେବଳ ଜଣେ ମାତ୍ର ଦର୍ଶକ ସିନେମା ହଲ୍‌ରେ ବସି ତାହା ଦେଖିଥିଲେ। ପୁଣି ଗତ କିଛି ଦିନ ତଳେ ଏକ ମଲ୍‌ଟିପ୍ଲେକ୍ସରେ ତାପସୀ ପନ୍ନୁଙ୍କ ଭଳି ବଲିଉଡ୍‌ର ଲୋକପ୍ରିୟ କଳାକାରଙ୍କ ‘ଥାପ୍ପଡ଼’ ଚଳଚ୍ଚିତ୍ର ଦେଖିଥିଲେ ମାତ୍ର ୩ ଜଣ ଦର୍ଶକ। ସିନେମା ହଲ୍‌ରେ ଦର୍ଶକ ମରୁଡ଼ି ପାଇଁ ବାସ୍ତବରେ ଦାୟୀ କିଏ? ସିନେମାର ଗୁଣାତ୍ମକତା ନା ସ୍ବତନ୍ତ୍ର ଇଣ୍ଟରନେଟ ପ୍ୟାକେଜ ନା ଅନଲାଇନ୍‌ ୱେବ ଚ୍ୟାନେଲ୍‌? ପୁଣି ଏକଥା ବି ମନକୁ ଆସିପାରେ, ଯଦି ସିନେମା ହଲ୍‌ରେ ଲୋକେ ଫିଲ୍ମ ଦେଖିବାକୁ ପସନ୍ଦ କରୁନାହାନ୍ତି ତେବେ ବାହୁବଳୀ-୨ ଭଳି ସିନେମା ଦେଖିବା ପାଇଁ ଅନ୍‌ଲାଇନ୍‌ରେ କାହିଁକି ଟିକେଟ୍‌ ଖଣ୍ଡେ ମିଳିପାରୁ ନ ଥିଲା। ବାସ୍ତବରେ ସିନେମାଟିଏ କିଭଳି ସିନେମା ହଲ୍‌ରେ ଚାଲିବ ବୋଧେ ତାହା ତର୍ଜମା ସାପେକ୍ଷ ବୋଲି ଅନେକ କହିଲେଣି।

ସବୁଠୁ ବଡ଼ କଥା ହେଉଛି, ସିନେମାଟିଏ ହଲ୍‌ରେ ଚାଲିବା ପାଇଁ ଗୋଟେ ସୋ’ ବାବଦରେ ୧୦ ହଜାର ଟଙ୍କା ଖର୍ଚ୍ଚ ହୁଏ। ବିଦ୍ୟୁତ ଶକ୍ତି, ହଲ୍‌ ପରିଚାଳନା, କର୍ମଚାରୀଙ୍କ ଦରମା ଓ ଅନ୍ୟ ଖର୍ଚ ବାବଦରେ ଏହି ଅର୍ଥ ବ୍ୟୟ କରିବାକୁ ପଡ଼େ। ଯଦି ସେହି ମଲ୍‌ଟିପ୍ଲେକ୍ସର ଥାପ୍ପଡ଼ ଚଳଚ୍ଚିତ୍ରର ଆଜିର ସୋ’ଟିକୁ ଦେଖିଥିବା ୩ଜଣ ଦର୍ଶକଙ୍କୁ ହିସାବକୁ ନିଆଯାଏ ତେବେ ଏଥିରୁ ଆୟ ହୋଇଛି ମାତ୍ର ୪୫୦ ଟଙ୍କା। ଅର୍ଥାତ ଏହି ସୋ’ ପାଇଁ ଯେଉଁ ଲ୍ୟାମ୍ପ (ଫିଲ୍ମ ଚାଲିବା ପାଇଁ)ଟି ଲାଗିଥିଲା ସେଥପାଇଁ ବ୍ୟୟ ହୋଇଥିବା ୧୨ଶହ ଟଙ୍କା ମଧ୍ୟ ଉଠିଲା ନାହିଁ। ସିନେମା ହଲ୍‌ ବ୍ୟବସାୟ ଏତେ ମାନ୍ଦା ଯେ ଲୋକଙ୍କୁ ହଲ୍‌କୁ ଟାଣିବା ପାଇଁ କିଛି ମଲ୍‌ଟିପ୍ଲେକ୍ସରେ ୨ଶହ ଟଙ୍କାର ଟିକେଟ୍‌କୁ ବୁଧବାର ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ତଥାପି ଲୋକଙ୍କ ଦେଖା ମିଳୁ ନାହିଁ। ତେଣୁ ଯେଉଁମାନେ ସିନେମା ହଲ୍‌ର ସଂଖ୍ୟା କମ୍‌ ବୋଲି ସିନେମା ଚାଲୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି, ସେମାନେ ଏହାର କି ଉତ୍ତର ରଖିବେ?

ଶ୍ରୀୟା-ସ୍ବାତୀ-ସ୍ତୁତି ସିନେମା ହଲ୍‌ର ମ୍ୟାନେଜର୍‌ ରବୀନ୍ଦ୍ର କୁମାର ସାହୁଙ୍କ କହିବା ମୁତାବକ, ଆଗରୁ ଓଡ଼ିଆ ଫିଲ୍ମଟିଏ ସିନେମା ହଲ୍‌କୁ ଆସିଲେ, ତାହା ଅନ୍ୟୂନ ୮ରୁ ୧୦ ସପ୍ତାହ ରହୁଥିଲା। ଏବେ କିନ୍ତୁ ଚଳଚ୍ଚିତ୍ରଟିଏ ଗୋଟେ ସପ୍ତାହ ଚାଲିବା ସ୍ବପ୍ନ ହେଇଗଲାଣି। କାଁ ଭାଁ ଚଳଚ୍ଚିତ୍ର ୭ ଦିନ ଚାଲୁଛି, ନଚେତ ୮୦ ପ୍ରତିଶତରୁ ଅଧିକ ସିନେମା ୨-୩ ଦି‌ନରେ ସିନେମା ହଲ୍‌ରୁ ଉଠାଇବାକୁ ଆମେ ବାଧ୍ୟ ହେଉଛୁ। ସଂପ୍ରତି ଭୁବନେଶ୍ବରରେ ୨୫ରୁ ଅଧିକ ସ୍କ୍ରିନ (ହଲ୍‌) ହେଲାଣି। ସେହି ଅନୁସାରେ ଦିନକୁ ୧୫୦ରୁ କମ୍ ସୋ’ ହେଉନାହିଁ। ତେଣୁ ଲୋକେ ବାଣ୍ଟି ହୋଇ ଯାଉଥିବାରୁ ଦର୍ଶକଙ୍କ ସଂଖ୍ୟା କମିଯାଉଛି। ଏବେ ସିନେମାଟିଏ ଚଲାଇବା ପାଇଁ ଶୁକ୍ର, ଶନି ଓ ରବିବାରକୁ ଅପେକ୍ଷା କରିବାକୁ ପଡ଼ୁଛି। ଅନ୍ୟଦିନରେ‌ ଲୋକେ ଆସୁନାହାନ୍ତି। ଏମିତି ବି ଦିନ ଆସିଛି, ଯେତେବେଳେ ଜ‌ଣେ ଦର୍ଶକ ଯୋଗୁଁ ସୋ’ ବାତିଲ୍‌ କରି ସେଇ ଦର୍ଶକ ଜଣକୁ ଟିକେଟ ବାବଦ ଅର୍ଥ ଫେରାଇବାକୁ ପଡ଼ିଛି। ଇଣ୍ଟରନେଟ୍‌ ବ୍ୟବସ୍ଥା ସରଳ ହେବା ପରଠୁ ଏବଂ ବିଶେଷକରି ଜିଓ ଆସିବା ପରଠୁ ଯେମିତି ସିନେମା ବ୍ୟବସାୟରେ କଳଙ୍କି ଲାଗି ଯାଇଛି। ନେଟ୍‌ଫ୍ଲିକ୍ସ, ଆମାଜନ୍‌, ହଟ୍‌ଷ୍ଟାର, ଜି-୫ ଭଳି ଅନ୍‌ଲାଇନ ୱେବ ଚ୍ୟାନେଲରେ ନୂଆ ସିନେମାଟିଏ ହଲ୍‌ରେ ମୁକ୍ତିଲାଭ କରିବାର ମାସେ ମଧ୍ୟରେ ଆସି ଯାଉଥିବାରୁ ଲୋକେ ମାସକୁ ୨ଶହ ଟଙ୍କା ବ୍ୟୟ କରି ପ୍ରତିଦିନ ସିନେମା ଦେଖିପାରୁଛନ୍ତି। ତେଣୁ ସିନେମା ହଲ୍‌କୁ ଯାଇ ୨ଶହ ଟଙ୍କା ଖର୍ଚ କରିବାକୁ ଅନେକ ଆଗ୍ରହ ପ୍ରକାଶ କରୁନାହାନ୍ତି। ମାତ୍ର ଏକଥା ନୁହେଁ ଯେ ସିନେମାରୁ ଲୋକେ ମୁହଁ ଫେରେଇ ନେଲେଣି। କାରଣ ଦିନେ ଟିଭି ଆସିବା ପରେ ମଧ୍ୟ ଏହିପରି ଆଶଙ୍କା ପ୍ରକାଶ ପାଇଥିଲା। ପୁଣି ଡିଟିଏଚ୍‌ ବ୍ୟବସ୍ଥା ଆସିବା ପରେ ମଧ୍ୟ ଲୋକେ ସୋପ୍‌ ଅପେରା ମଧ୍ୟରେ ସୀମାବଦ୍ଧ ହୋଇ ଚଳଚ୍ଚିତ୍ର ଦେଖିବାକୁ ଆସିବେନି ବୋଲି ଆଶଙ୍କା ଜନ୍ମିଥିଲା। ମାତ୍ର ଏହା ପରେ ମଧ୍ୟ ବାହୁବଳୀ-୨, ତାନାଜୀ, ଦବଙ୍ଗ-୩ ଭଳି ଚଳଚ୍ଚିତ୍ର ଆଶାତୀତ ସଫଳତା ଲାଭ କଲା। ତେଣୁ ରାଜ୍ୟରେ ବିଭିନ୍ନ ବ୍ଲକ୍‌ରେ ସିନେମା ହଲ୍‌ କରାଯିବା ପ୍ରସଙ୍ଗ ମନ୍ଦ ନୁହେଁ, ମାତ୍ର ସିନେମା ହଲ୍‌କୁ କେମିତି ‌ଦର୍ଶକଙ୍କୁ ଫେରାଇ ଅଣାଯାଇପାରିବ, ସେ ସଂପର୍କରେ ମଧ୍ୟ ଚିନ୍ତା କରିବା ନିତାନ୍ତ ଜରୁରି ବୋଲି ସିନେ ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର