ଜାନୁଆରି ପ୍ରଥମ ସପ୍ତାହରେ ଖୋଲିପାରିବନି ସିନେମା‌ ହଲ୍‌

ଭୁବନେଶ୍ବର : ଦୀର୍ଘ ୯ ମାସ ପରେ ସିନେମା ହଲ୍‌ ଖୋଲିବା ନେଇ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଜାନୁଆରିରୁ ୫୦ ପ୍ରତିଶତ କ୍ଷମତା ସହ ହଲ୍‌ଗୁଡ଼ିକ ଖୋଲାଯାଇପାରିବ ବୋଲି ଗାଇଡ୍‌ଲାଇନ୍‌ ଜାରି ହୋଇଛି। କିନ୍ତୁ ଜାନୁଆରି ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ହଲ୍‌ ଖୋଲିପାରିବନି ବୋଲି ସ୍ପଷ୍ଟ କରିଛନ୍ତି ହଲ୍‌ ମାଲିକମାନେ। ପ୍ରଥମତଃ ହଲ୍‌ଗୁଡ଼ିକ ଦୀର୍ଘ ଦିନ ହେବ ବନ୍ଦ ଥିବାରୁ ସାନିଟାଇଜ୍‌ କରାଯିବ, ଏହାପରେ ସମସ୍ତ ବୈଦ୍ୟୁତିକ ତଥା ଅନ୍ୟାନ୍ୟ ଉପକରଣ ନିରୀକ୍ଷଣ କରାଯିବ ବୋଲି ହଲ୍‌ ମାଲିକମାନେ କହିଛନ୍ତି। ଏଥିପାଇଁ ସମୟ ଲାଗିବ।

ଶ୍ରୀୟା ଟକିଜ୍‌ ମ୍ୟାନେଜର ରବୀନ୍ଦ୍ର କୁମାର ସାହୁ କହିଛନ୍ତି, ସାଧାରଣତଃ ଏବେ ଚଳଚ୍ଚିତ୍ରଗୁଡ଼ିକ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେଉଛି। ଏଣୁ ହଲ୍‌ ଖୋଲିବା ପୂର୍ବରୁ ଆମେ ମୁମ୍ବାଇକୁ ଯୋଗାଯୋଗ କରିବୁ। ଯଦି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥାଏ ତେବେ ଯାଇ ଖୋଲିବୁ। ନହେଲେ ହଲ୍‌ ଖୋଲି କିଛି ଲାଭ ନାହିଁ। ଅନ୍ୟପଟେ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ହଲ୍‌ ଖୋଲିବାକୁ ପଡ଼ିବ। ଏଣୁ ହଲ୍ ଖୋଲିବା ପୂର୍ବରୁ ସିଟିଂ ବ୍ୟବସ୍ଥା କରିବାକୁ ପଡ଼ିବ। ଏବେ ହଲ୍‌ଗୁଡ଼ିକର କର୍ମଚାରୀ ନଥିବାରୁ ସେମାନେ ଆସି କାମ ଆରମ୍ଭ କରିବା ଓ ସମସ୍ତ ବ୍ୟବସ୍ଥା କରିବାକୁ ସମୟ ଲାଗିବ। କେଶରୀ ଟକିଜ୍‌ ମ୍ୟାନେଜର ରାବି ମହାନ୍ତି କହିଛନ୍ତି, ଗାଇଡ୍‌ଲାଇନ୍‌ ଏବେ ଆସିଲା। ଏହାକୁ ଠିକ୍‌ ଭାବେ ବୁଝି ଓ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ସଂଖ୍ୟାକୁ ଦେଖି ଆମେ ନିଷ୍ପତ୍ତି ନେବୁ। କିନ୍ତୁ ଆସନ୍ତା ୧୫ ଦିନ ଭିତରେ ହଲ୍‌ ଖୋଲିପାରିବନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର