ଖୋଲିଲା ୭ ପରଦା ବିଶିଷ୍ଟ ମଲ୍‌ଟିପ୍ଲେକ୍ସ ‘ସିନେପଲିସ୍‌’

ଭୁବନେଶ୍ବର: ରାଜଧାନୀରେ ଖୋଲିଛି ୭ ପରଦା ବିଶିଷ୍ଟ ମଲ୍‌ଟିପ୍ଲେକ୍ସ ‘ସିନେପଲିସ୍‌’। ସିନେମା ହଲ୍‌ ସଂଖ୍ୟା କମିକମି ଯାଉଥିବା ନେଇ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ଏହି ମଲ୍‌ଟିପ୍ଲେକ୍ସର ପ୍ରବେଶ ହୋଇଛି। ରାଜ୍ୟର ସର୍ବବୃହତ୍‌ ମଲ୍‌ ଏସ୍‌ପ୍ଲାନେଡ୍‌ ୱାନ୍‌ ପରିସରରେ ଖୋଲିଛି ଏହି ଅନ୍ତର୍ଜାତୀୟ ମାନର ମଲ୍‌ଟିପ୍ଲେକ୍ସ। ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏବଂ ଡିଜିଟାଲ୍‌ ପ୍ରୋଜେକ୍ସନ୍‌ ସିନେପ୍ରେମୀଙ୍କୁ ଏକ ନିଆରା ଅନୁଭବ ଦେବ।ଅତ୍ୟାଧୁନିକ ଥ୍ରି-ଡି ଜ୍ଞାନକୌଶଳ ସମେତ ଫିଲ୍ମର ମଜା ଉଠାଇବା ପାଇଁ ଏହା ସୁଯୋଗ ସୃଷ୍ଟି କରିବ। ଯେପରି ଲୋକେ ଏହି ଥିଏଟର୍‌ରୁ କିଛି ଭିନ୍ନ ଅନୁଭୂତି ନେଇ ଫେରିବେ, ସେଥିପାଇଁ ଏହା ମଧ୍ୟରେ ସୁସ୍ବାଦୁ ଖାଦ୍ୟ ଦିଆଯିବ। ମଲ୍‌ଟିପ୍ଲେକ୍ସ ମଧ୍ୟରେ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରେକ୍ଷାଳୟର ୨ ଧାଡ଼ି ଭିଆଇପିଙ୍କ ପାଇଁ ରହିବ। ମଲ୍‌ଟିପ୍ଲେକ୍ସ ମଧ୍ୟରେ ବିଳାସପୂର୍ଣ୍ଣ ମନୋରଂଜନ ପାଇଁ ଏହା ସୁଯୋଗ ଦେବ। ‘ସିନେପଲିସ୍‌ ଏସିଆ’ର ପରିଚାଳନା ନିର୍ଦେଶକ ଜାଭିୟର ସୋଟୋମେୟର କହିଛନ୍ତି ଯେ ସଂପ୍ରତି ଉଚ୍ଚମାନର ମନୋରଂଜନ ପାଇଁ ଆଗ୍ରହ ବଢ଼ୁଥିବା ବେଳେ ଭୁବନେଶ୍ବର ଭଳି ସୁନ୍ଦର ସହର‌ରେ ଏହି ପ୍ରଥମ ମଲ୍‌ଟିପ୍ଲେକ୍ସ ଉଚ୍ଚମାନର ସିନେମା ମନୋରଂଜନର ଅଭିଳାଷ ପୂରଣ କରିବ। କେବଳ ସେତିକି ନୁହେଁ, ଭାରତରେ ଏହିଭଳି ଆହୁରି ୩୫୭ ସିନେପଲିସ୍‌ ସ୍ଥାପନ ହେବ ବୋଲି ସେ କହିଛନ୍ତି।

ସିନେପଲିସ୍‌ ଇଣ୍ଡିଆର ନିର୍ଦେଶକ (ଷ୍ଟ୍ରାଟେଜିକ୍‌ ଇନିସିଏଟିଭ୍‌ସ) ଦେବାଙ୍ଗ ସମ୍ପତ କହିଲେ ଯେ ଉନ୍ନତମାନର ଶବ୍ଦ ବ୍ୟବସ୍ଥା ଓ ନୂତନ ଭାବେ ଭିଆଇପି ସିଟ୍‌ ସହ ପ୍ରଥମଥର ପାଇଁ ଏହିଭଳି ଏକ ମଲ୍‌ଟିପ୍ଲେକ୍ସ ଭୁବନେଶ୍ବରରେ ସ୍ଥାପନ କରାଯାଇଛି। ‘କଫି ଟ୍ରି’ ଅନୁଭବ ସହ ସୁସ୍ବାଦୁ ଭୋଜନ ଖାଇ ସିନେମାର ମଜା ଉଠାଇବେ ଦର୍ଶକ। ଏସ୍‌ପ୍ଲାନେଡ୍‌ ୱାନ୍‌-ମଲ୍‌ର କେନ୍ଦ୍ର ମୁଖ୍ୟ ପାର୍ଥପ୍ରୀତମ ନାୟକ କହିଲେ, ଓଡ଼ିଶା ବଜାରରେ ଏହିଭଳି ଏକ ବିଶ୍ବମାନର ମଲ୍‌ଟିପ୍ଲେକ୍ସ ଲୋକଙ୍କୁ ସମ୍ପୂର୍ଣ୍ଣ ମନୋରଂଜନର ଖୋରାକ ଯୋଗାଇବ। ସଂପ୍ରତି ୩୫୦ ସିନେପଲିସ୍‌, ସିନେପଲିସ୍‌ ଭିଆଇପି, ଫନ୍‌ ସିନେମା, କ୍ଲବ୍‌ ସିନେପଲିସ୍‌ ପରିଚାଳିତ ହେଉଥିବା ବେଳେ ଭାରତର ସବୁଠୁ ବଡ଼ ମେଗାପ୍ଲେକ୍ସ ତଥା ୧୫ ପରଦା ବିଶିଷ୍ଟ ମଲ୍‌ଟିପ୍ଲେକ୍ସ ପୁନେରେ ରହିଛି।

ସମ୍ବନ୍ଧିତ ଖବର