ସିଆଇଏସ୍‌ଏଫ୍‌ ଅଫିସର ପରିଚୟ ଦେଇ ଠକେଇ

୬୫ ହଜାରର ଚୂନ ଲଗାଇଲା ସାଇବର ଠକ

ଭୁବନେଶ୍ବର: ଆସବାବପତ୍ର ଦେବା ନାଁରେ ୬୫ ହଜାର ଟଙ୍କାର ଚୂନ ଲଗାଇଲା ସାଇବର ଲୁଟେରା। ଏଭଳି ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଗତ ୧ ତାରିଖ ଦିନ ସାଇବର ଲୁଟେରା ଲକ୍ଷ୍ମଣ ହାତୀ ନାମକ ଜଣେ ପୁଲିସ କର୍ମଚାରୀଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ କରିଥିଲା। ନିଜକୁ ସିଆଇଏସ୍‌ଏଫ୍‌ ଯବାନ ବୋଲି ପରିଚୟ ଦେଇ ସଞ୍ଜୟ ରାୟ ନାମକ ତାଙ୍କର ଜଣେ ବନ୍ଧୁ ଭୁବନେଶ୍ବର ବିମାନବନ୍ଦରରେ ସିଆଇଏସ୍‌ଏଫ୍‌ ଯବାନ ଥିବା କହିଥିଲା। ତାଙ୍କର ବଦଳି ହୋଇଥିବାରୁ ସେ ସମସ୍ତ ଆସବାବପତ୍ର ବିକ୍ରି କରିବାକୁ ଚାହୁଥିବା କହିଥିଲା। ୨ଲକ୍ଷରୁ ଊର୍ଧ୍ବ ଟଙ୍କାର ଆସବାବପତ୍ରକୁ ମାତ୍ର ୬୫ ହଜାର ଟଙ୍କାରେ ଦେଇ ଦେବାପାଇଁ ଲୋଭ ଦେଖାଇଥିଲା।

ବ୍ୟକ୍ତି ଜଣକ ଯୋଗାଯୋଗ କରିବାପରେ ସେ ବିଶ୍ବାସ ଜନ୍ମାଇବା ପାଇଁ ଆସବାବପତ୍ରର ଫଟୋ ପଠାଇଥିଲା। ଏହାପରେ ଗତ ୨ତାରିଖରେ ସଞ୍ଜୟଙ୍କ ଆକାଉଣ୍ଟକୁ ତିନିଟି ପର୍ଯ୍ୟାୟରେ ୬୫ ହଜାର ଟଙ୍କା ପଠାଇଥିଲେ। ଟଙ୍କା ପଠାଇବାର ୫ଘଣ୍ଟା ପରେ ବି ଗାଡ଼ି ନଆସିବାରୁ ସମ୍ପୃକ୍ତ ଠକର ନମ୍ବରକୁ କଲ୍‌ କରିଥିଲେ। ହେଲେ ନମ୍ବର ବନ୍ଦଥିବାରୁ ସେ ଯୋଗାଯୋଗ ପାଇଁ ମେସେଞ୍ଜରକୁ ଯାଇଥିଲେ। ମାତ୍ର ‌ସାଇବର ଲୁଟେରା ମେସେଞ୍ଜରରେ ବି ତାଙ୍କୁ ବ୍ଲକ କରିଦେଇଥିଲା। ଠକାମିର ଶିକାର ହେବା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର