ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ସୋମବାର ଲୋୟର୍ ପିଏମ୍ଜିଠାରେ ସିଟୁ ପକ୍ଷରୁ ବିକ୍ଷୋଭ କରାଯାଇଛି। ଅନୁଷ୍ଠାନର ରାଜ୍ୟ ସଭାପତି ଲମ୍ବୋଦର ନାୟକଙ୍କ ଅଧ୍ୟକ୍ଷତାରେ ପାଖାପାଖି ୨ ହଜାର ଶ୍ରମିକଙ୍କ ସମେତ ଆଶା, ଅଙ୍ଗନବାଡ଼ି, ମଧ୍ୟାହ୍ନଭୋଜନ କର୍ମଚାରୀ ଓ କୃଷକ ସାଥୀ, ବ୍ୟାଙ୍କ ମିତ୍ର ଆଦି ସ୍କିମ୍ରେ କାମ କରୁଥିବା କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବନିମ୍ନ ମଜୁରି ୧୮ ହଜାର ଟଙ୍କା ପ୍ରଦାନ, ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ ଓ ସମସ୍ତ ସୁବିଧା ପ୍ରଦାନ, ନିର୍ମାଣ ଶ୍ରମିକ ପଞ୍ଜୀକରଣରେ ଟ୍ରେଡ୍ ୟୁନିଅନ୍କୁ ବାଦ୍ ଦେବା ବନ୍ଦ କରିବା, କୁଶଳୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସାମାଜିକ ସୁରକ୍ଷା, ଅସଂଗଠିତଙ୍କୁ ପଞ୍ଜୀକରଣ, କଲ୍ୟାଣ ପାଣ୍ଠି ତିଆରି କରି ସହାୟତା ପ୍ରଦାନ, ଠିକାଙ୍କୁ ସ୍ଥାୟୀ, ସର୍ବନିମ୍ନ ମଜୁରି, ସମାନ କାମକୁ ସମାନ ବେତନ, ବିଦ୍ୟୁତ୍ ଶ୍ରମିକଙ୍କ ମଜୁରି ଚୁକ୍ତିନାମା ତୁରନ୍ତ କରିବା, ଘରୋଇ କମ୍ପାନିରେ ୬୦ ବର୍ଷରେ ଅବସର ଓ ଅନ୍ୟାନ୍ୟ ଦାବିରେ ସେମାନେ ବିକ୍ଷୋଭ କରିଥିଲେ।
ପରେ ରାଜ୍ୟ ସଭାପତି ଶ୍ରୀ ନାୟକଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଉପସଭାପତି ଜନାର୍ଦନ ପତି, ପୂର୍ବତନ ଏମ୍ପି ଶିବାଜୀ ପଟ୍ଟନାୟକ, ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ୨୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ନେଇ ଆଗକୁ ଭାରତ ବନ୍ଦ ସହ ଦିଲ୍ଲୀ ଚାଲ ଆନ୍ଦୋଳନ ହେବ ବୋଲି ସେମାନେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନବକିଶୋର ମହାନ୍ତି, ବିମାନ ମାଇତି, ବିଶ୍ୱନାଥ ମହାପାତ୍ର, ଲୋଭାକାନ୍ତ ସ୍ୱାଇଁ, ଅଭୟ ସ୍ୱାଇଁ, ଉଲ୍ଲାସ ସ୍ୱାଇଁ, ସମ୍ପାଦକ ରମେଶ ଜେନା, ସତ୍ୟାନନ୍ଦ ବେହେରା, ଶ୍ରୀଧର ମିଶ୍ର, ଯୁଧିଷ୍ଠିର ବେହେରା, ଶୁଭଙ୍କର ଦାସ, ଇଷାନୀ ଷଡ଼ଙ୍ଗୀ, ବନବାସିନୀ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଜଗତ ଜୀବନ ଦାସ, ଦିବ୍ୟସିଂହ ନାୟକ, ସୁରେଶ ରାଉତରାୟ, ଜଗନ୍ନାଥ ଦେଓ, ପ୍ରଦୀପ ମହାନ୍ତି, ସନ୍ତୋଷ ବେହେରା, ଉପେନ୍ଦ୍ର ଶର୍ମା, ପ୍ରଫୁଲ୍ଲ ନାୟକ, ଶୈଳେଶ ବଳିଆରସିଂହ, ଏଭିଏସ୍ ନାଇଡ଼ୁ, ଅମଲ ଦେ, ଧରଣୀଧର ମାହାନ୍ତ ପ୍ରମୁଖ ସାମିଲ ଥିଲେ।