ଭୁବନେଶ୍ୱର: ସାଧାରଣ ଲୋକେ ଓଦା ଓ ଶୁଖିଲା ବର୍ଜ୍ୟ ଅଲଗା‌ ଅଲଗା କରି ବିଏମ୍‌ସି ସଫା ଗାଡ଼ିକୁ ଦେଲେଣି। କିନ୍ତୁ କେତେକ ସବୁଠାରୁ ବିପଜ୍ଜନକ କୁହାଯାଉଥିବା ବାୟୋମେଡିକାଲ ୱେଷ୍ଟ ଏଣେତେଣେ ପକାଇ ସହରକୁ ଆବର୍ଜନା କରୁଛନ୍ତି। ଏହା ଅତ୍ୟନ୍ତ ପରିତାପର ବିଷୟ। ଏଣିକି ସମସ୍ତେ ବାୟୋମେଡିକାଲ ୱେଷ୍ଟ ସାନିକ୍ଲିନିକୁ ଦେବାପାଇଁ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ। ‘ବାୟୋ-ମେଡିକାଲ ୱେଷ୍ଟ’ର ସୁପରିଚାଳନା ପାଇଁ ଆଜି ବିଏମ୍‌ସିରେ ଏକ ‘ସିଟି ଆକ୍ଟିଭେସନ’ କାର୍ଯ୍ୟକ୍ରମରେ ସେ ଏହି ଅନୁରୋଧ କରିବା ସହ ଏଥିରେ ବିଚ୍ୟୁତି ଘଟିଲେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ଘରୋଇ ଡାକ୍ତରଖାନାର ମାଲିକମାନେ ଯେଉଁ ସଂସ୍ଥାକୁ ସେମାନଙ୍କର ବାୟୋ-ମେଡିକାଲ ୱେଷ୍ଟ ଦେଉଛନ୍ତି, ସେମାନେ କେଉଁଠାରେ ଡମ୍ପିଂ କରୁଛନ୍ତି ସେ ସଂପର୍କରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ସାନିକ୍ଲିନି ଅନୁଷ୍ଠାନ ଏ ବିଷୟରେ ତଥ୍ୟ ଖୋର୍ଦ୍ଧା ସିଡିଏମ୍‌ଙ୍କୁ ଦେବା ସହ ବିଏମ୍‌ସିକୁ ଅବଗତ କରାଇବାକୁ ସେ କହିଛନ୍ତି। ଯେଉଁମାନେ ସାନିକ୍ଲିନି ସହ ପଞ୍ଜୀକୃତ ହୋଇ ନାହାନ୍ତି, ସେମାନେ ତୁରନ୍ତ ପଞ୍ଜୀକୃତ ହେବାକୁ ଖୋର୍ଦ୍ଧା ସିଡିଏମ୍‌ଓ ପରାମର୍ଶ ଦେଇଛନ୍ତି।

ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଖୋର୍ଦ୍ଧା ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକ, ଡ୍ରଗ୍ସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଡା. ସୋହନ ଗିରି ପ୍ରମୁଖ ଯୋଗ ଦେଇଥିଲେ। ସହରର ସରକାରୀ ଓ ବେସରକାରୀ ଡାକ୍ତରଖାନା, ମେଡିସିନ ଷ୍ଟୋର, ପାଥୋଲାବ ଓ କ୍ଲିନିକ୍‌ରୁ ୧୫୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଡେପୁଟି କମିସନର ଡ. ମନୋରଂଜନ ସାହୁ ସଂଯୋଜନା କରିଥିଲେ।