ଭୁବନେଶ୍ୱର : ରାଜଧାନୀରେ ୨୦୦ଟି ସିଟି ବସ୍ ଚାଲିବ। ଫଳରେ ଏବେ ପ୍ରତି ୨୦ରୁ ୩୦ମିନିଟ୍ରେ ରାଜଧାନୀର କେତେକ ରୁଟ୍ରେ ଗୋଟିଏ ସିଟି ବସ୍ ଚଳାଚଳ କରୁଥିବାବେଳେ ଖୁବ୍ ଶୀଘ୍ର ପ୍ରତି ୪ମିନିଟରେ ଗୋଟିଏ ସିଟି ବସ୍ ଉପଲବ୍ଧ ହେବ। ଏଥିପାଇଁ ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସେସ୍ (ବିପିଟିଏସ୍) ୧୨୫କୋଟି ଖର୍ଚ୍ଚ କରିବ। ଏ ନେଇ ପ୍ରସ୍ତୁତ ଭୁବନେଶ୍ୱର ସିଟି ବସ୍ ସେବା ବୃଦ୍ଧି ପ୍ରକଳ୍ପକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିତ୍ତିଭୂମି ପ୍ରକଳ୍ପର କ୍ଷମତା ସଂପନ୍ନ କମିଟି (ଇସିଆଇ) ବୈଠକରେ ଅନୁମୋଦନ କରାଯାଇଛି।
ଏହି ପ୍ରକଳ୍ପ ଅନୁଯାୟୀ ଆସନ୍ତା ହକି ବିଶ୍ୱ କପ୍ ପୂର୍ବରୁ ଏହି ସିଟି ବସ୍ ସେବା କାର୍ଯ୍ୟକାରୀ ହେବ। ୨୦୦ଟି ସିଟି ବସ୍ ମଧ୍ୟରୁ ୫୦ଟି ଷ୍ଟାଣ୍ଡାର୍ଡ ଏସି ବସ୍, ୫୦ଟି ଷ୍ଟାଣ୍ଡାର୍ଡ ନନ୍ଏସି ବସ୍ ଏବଂ ୧୦୦ଟି ମିଡି ବସ୍ ରହିବ। ଏହି ବସ୍ ସେବା ଗ୍ରସ୍ କଷ୍ଟିିଂ ଭିତ୍ତିକ ପିପିପି ମୋଡ୍ରେ ଚାଲିବ। ଏଥିରେ ବିପିଟିଏସ୍ କର୍ତ୍ତୃପକ୍ଷ ବସ୍ କିଣିବେ। ଏହି ବସ୍ ଚଳାଇବା ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯିବ। ଏହି ସଂସ୍ଥା ବସ୍ ଚଳାଇବା ସହ ଏହାର ମରାମତି କାର୍ଯ୍ୟ କରିବ। ବିପିଟିଏସ୍ କିନ୍ତୁ ଭଡ଼ା ଆଦାୟ କାର୍ଯ୍ୟ କରିବ। ଯେଉଁ ସଂସ୍ଥା ବସ୍ ଚଳାଇବ ଏବଂ ରକ୍ଷଣାବେକ୍ଷଣ କରିବ ସେହି ସଂସ୍ଥା ବାଛିବା ପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ଵାନ ହେବ। ପ୍ରତି କିମି ପିଛା ଦେୟ ହିସାବରେ ଉକ୍ତ ସଂସ୍ଥା ସହ ଚୁକ୍ତି ହେବ। ଏହି ଚୁକ୍ତି ୮ବର୍ଷ ପାଇଁ ହେବ। ସେହିପରି ଏବେ ଯେଉଁ ୧୧୦ଟି ସିଟି ବସ୍ ଚାଲୁଛି ସେନେଇ ବି ଖୁବ୍ ଶୀଘ୍ର ଟେଣ୍ଡର ଆହ୍ଵାନ ହେବ। ଆସନ୍ତା ଅକ୍ଟୋବର ପୂର୍ବରୁ ଗୋଟିଏ ସଂସ୍ଥା ବଛାଯିବ। ଯିଏ ଏହି ସବୁ ବସ୍ର ରକ୍ଷଣାବେକ୍ଷଣ ଓ ଯାତାୟତ କଥା ବୁଝିବ। ଏହି ବସ୍ରୁ ବି ବିପିଟିଏସ୍ ଭଡ଼ା ଆଦାୟ କରିବ। ପୁରୁଣା ବସ୍ ପାଇଁ ୫ବର୍ଷିଆ ଚୁକ୍ତି ହେବ। ବିପିଟିଏସ୍ ଏହି ସବୁ ବସ୍ରୁ ଭଡ଼ା ଆଦାୟ ପାଇଁ ନିଜେ କର୍ମଚାରୀ ନିଯୁକ୍ତି କରିବେ କି ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେବେ ତାହା ସ୍ଥିର ହୋଇନାହିଁ।
ଏବେ ପୋଖରୀପୁଟରେ ଥିବା ବସ୍ ଡିପୋରେ ପୁରୁଣା ବସ୍ ରହିବ। ନୂଆ ବସ୍ ରହିବା ପାଇଁ ପାତ୍ରପଡ଼ା ଭଗବାନପୁର ଏବଂ ପଟିଆରେ ନୂଆ ବସ୍ ଡିପୋ ନିର୍ମାଣ ହେବ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ୫ଏକର ଜମି ଦେବ।
ପରିବର୍ଦ୍ଧିତ ସିଟି ବସ୍ ସେବା ପାଇଁ ଆସନ୍ତା କିଛି ବର୍ଷ ମଧ୍ୟରେ ଯାତ୍ରୀ ଯାତାୟତ ହାର ୧୬%କୁ ବୃଦ୍ଧି କରିବାକୁ ଟାର୍ଗେଟ୍ ରଖାଯାଇଛି। ଭୁବନେଶ୍ୱରରେ ପ୍ରଦୂଷଣକୁ କମାଇବା ଏବଂ ବ୍ୟବସ୍ଥିତ ଗମନାଗମନ ବ୍ୟବସ୍ଥା ପାଇଁ ଆସନ୍ତା ବର୍ଷ ମଧ୍ୟରେ ୯୨ଟି ଇଲେକ୍ଟ୍ରିକ୍ ବସ୍ ଚଲାଇବାକୁ ଯୋଜନା ହୋଇଛି। ସେହିପରି ୨୦୧୯-୨୦ରେ ୩୦୦ଟି ସିଟି ବସ୍ ଚାଲିବ। ଏହାପରେ ୨୦୧୭ ବେଳକୁ ୨ରୁ ୨.୫ମିଲିଅନ ଲୋକଙ୍କୁ ଟାର୍ଗେଟରେ ରଖି ଆହୁରି ୪୦୦ଟି ସିଟି ବସ୍ ଚଲାଇବାକୁ ଯୋଜନା ହୋଇଛି।
ସେହିପରି ଯାତ୍ରୀମାନେ ଯେପରି ସୁବିଧାରେ ପରିବହନ ସେବା ପାଇପାରିବେ ସେଥିପାଇଁ ପରିବହନ ବ୍ୟବସ୍ଥାକୁ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ସିଷ୍ଟମ (ଆଇଟିଏସ୍) ସହ ସଂଯୁକ୍ତ କରାଯିବ। ଏହାଦ୍ୱାରା ନିର୍ଦ୍ଦିଷ୍ଟ ଆପ୍ ମାଧ୍ୟମରେ ଯାତ୍ରୀମାନେ ସିଟି ବସ୍ ଟ୍ରାକିଂ କରିପାରିବେ। କେଉଁ ବସ୍ କେଉଁଠି ଅଛି, କେତେ ସମୟରେ ପହଞ୍ଚିବ, କେଉଁ ବସ୍ କେଉଁ ରୁଟ୍ରେ ଯାଉଛି ଆଦି ଉପଲବ୍ଧ ହେବ। ଏହାବାଦ୍ ପ୍ରତ୍ୟେକ ବସ୍ଷ୍ଟାଣ୍ଡରେ ଡିଜିଟାଲ ବୋର୍ଡ ଲାଗିବ। ଏଥିରେ କେତେ ନମ୍ବର ବସ୍ କେଉଁ ରୁଟ୍ରେ ଆସୁଛି ତା’ର ସୂଚନା ଆଗୁଆ ମିଳିବ।