ଭୁବନେଶ୍ୱର : ଆକର୍ଷଣୀୟ ପ୍ରକଳ୍ପ ତିଆରି କରି ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟସିଟିର ମାନ୍ୟତା ପାଇଛି। ସହରର ଭିତ୍ତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଭିନ୍ନ ପ୍ରକାର ଯୋଜନା କରାଯାଇଛି। ରାସ୍ତାଘାଟଠୁ ସପିଙ୍ଗ୍‌ମଲ୍‌, ମାର୍କେଟ କମ୍ପ୍ଲେକ୍ସ, ବସ୍‌ଷ୍ଟାଣ୍ଡ ଭଳି ବିଭିନ୍ନ ସୁବିଧା ବିଶ୍ୱସ୍ତରୀୟ କରାଯିବ ବୋଲି ବ୍ଲୁ ପ୍ରିଣ୍ଟ୍‌ ମଧ୍ୟ ପ୍ରସ୍ତୁତ ହୋଇଯାଇଛି। ତେବେ ଏ ପର୍ଯ୍ୟନ୍ତ ଏସବୁ ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭୁବନେଶ୍ୱର ସିଟି ବସ୍‌ଷ୍ଟପ୍‌।  ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଏହି ବସ୍‌ଷ୍ଟପ୍‌ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ ନେଉନାହାନ୍ତି। ଏହାକୁ ନେଇ ସ୍ମାର୍ଟ ସିଟି ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ସ୍ମାର୍ଟସିଟି ପ୍ରକଳ୍ପରେ ପ୍ରାଥମିକ ଅବସ୍ଥାରେ ଟାଉନ୍‌ ସେଣ୍ଟର ଡିଷ୍ଟି୍ରକ୍‌ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେବ ବୋଲି ସୂଚନା ରହିଥିଲା। ବିଶ୍ୱସ୍ତରୀୟ ରାସ୍ତାଘାଟ, ଫୁଟପାଥ୍‌, ଟ୍ରାଫିକ୍‌ ସିଗନାଲ, ଚିତ୍ତ ବିନୋଦନ କେନ୍ଦ୍ର ଭଳି ପ୍ରକଳ୍ପ କାର୍ଯ୍ୟ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ସବୁଠାରୁ ବଡ଼କଥା ହେଲା ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ରାଜଧାନୀବାସୀଙ୍କୁ ବେଶି ଫାଇଦା ମିଳିବ ବୋଲି କୁହାଯାଥିଲା ମାତ୍ର ରାଜଧାନୀରେ ଥିବା ଅଧିକାଂଶ ସିଟିବସ୍‌ ଷ୍ଟପ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଯଥା ଆଚାର୍ଯ୍ୟବିହାର, ନିକୋପାର୍କ, ରାଜମହଲ, ବାଣୀବିହାର, କଳ୍ପନା, ମାଷ୍ଟରକ୍ୟାଣ୍ଟିନ୍‌ ଭଳି ଅଧିକାଂଶ ସ୍ଥାନରେ ସିଟି ବସ୍‌ଷ୍ଟପ୍‌ଗୁଡ଼ିକ ଏପରି ଅଣଦେଖା ହୋଇ ରହିଛି। ଅଧିକାଂଶ ସ୍ଥାନରେ ଯାତ୍ରୀଙ୍କ ବସିବା ପାଇଁ କୌଣସି ପ୍ରକାର ସୁବିଧା ନାହିଁ। କେଉଁଠି ବେଞ୍ଚ୍‌ଗୁଡ଼ିକ ଭାଙ୍ଗିଯାଇଛି ତ କେଉଁଠି ଅଧାଭଙ୍ଗା ହୋଇ ପଡ଼ିରହିଛି। ଆଉ କେଉଁଠି ନାହିଁ କହିଲେ ଚଳେ। ଏହାକୁ ନେଇ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି। ବିଶେଷତଃ ବରିଷ୍ଠ ନାଗରିକ ଓ କଲେଜ ଛାତ୍ରୀମାନେ ବସ୍‌କୁ ଅପେକ୍ଷା କରୁଥିବା ସମୟରେ ବସିବାକୁ ଜାଗାଟିଏ ନ ପାଇ  ହଇରାଣ ହେଉଛନ୍ତି।

ବିଜେବି କଲେଜର ଛାତ୍ରୀ   ଶଶିରେଖା ନାୟକ କହିଛନ୍ତି ଯେ ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିବା ଏହି ବସ୍‌ଷ୍ଟପ୍‌ରେ ବସିବାକୁ ଜାଗାଟିଏ ନାହିଁ। ଏମିତିକି ଠିକ୍‌ ସମୟରେ ସିଟିବସ୍‌ ଆସୁନଥିବାରୁ ହଇରାଣ ହେବାକୁ ପଡ଼ୁଛି। ସେହିପରି ସାବିତ୍ରୀ ସେଠୀ ନାମ୍ନୀ ଜଣେ ବରିଷ୍ଠ ନାଗରିକ କହିଛନ୍ତି ଯେ ବର୍ଷାଦିନରେ ବେଶି ହଇରାଣ ହେବାକୁ ପଡ଼ୁଛି। କାରଣ ଏହି ବସ୍‌ଷ୍ଟାଣ୍ଡର ଉପରେ ଛାତ ନାହିଁ କି କୌଣସି ସୁବିଧା ନାହିଁ।

ଏ ନେଇ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଏବେ ବସ୍‌ଷ୍ଟପ୍‌କୁ ନୂଆ ଟେଣ୍ଡର ଅନୁସାରେ କାମ କରାଯିବ। ସ୍ମାର୍ଟ ସିଟିର ସ୍ମାର୍ଟ ଜନପଥ ଯୋଗୁଁ ଏହାର ନକ୍ସା ବଦଳାଯିବ। ଏଗୁଡ଼ିକର   ଉନ୍ନତିମୂଳକ କାର୍ଯ୍ୟ ଯଥା ପିପିପି ମୋଡ୍‌ରେ କରାଯିବ। ପୂର୍ବରୁ ଯେଉଁ ରୂପରେ ଥିଲା ତାହା ଏବେ ନୂଆ ଡିଜାଇନ୍‌ ଅନୁସାରେ ତିଆରି କରାଯିବ ଓ ସମସ୍ତ ସୁବିଧା ଉପଲବ୍ଧ ହେବ। ଏହି କାମ ୬ରୁ ୧୦ ମାସ ଭିତରେ ସାରିବାକୁ ଯୋଜନା କରାଯାଇଛି।