ଏଥର ସାନ୍ତାମୟ ହେବ ସହର

ଭୁବନେଶ୍ବର: ହୋ..ହୋ..ହୋ…କହି ଆସିବେ ସାନ୍ତା। ଧଳା ଦାଢ଼ି ସହ ନାଲି ପୋଷାକ ଓ ଟୋପି ପିନ୍ଧି ଧରାପୃଷ୍ଠରେ ଖୁସି ବାଣ୍ଟିବେ। ସାଥିରେ ଆଣିବେ ଉପହାରର ମୁଣି। ବଡ଼ ଦିନର ବାର୍ତା ନେଇ ପିଲାଙ୍କୁ ଉପହାର ଦେଇ ଖୁସି ବାଣ୍ଟିବେ ସାନ୍ତା କ୍ଲଜ୍‌। ଚର୍ଚରେ କାଁ ଭାଁ ଏମିତି ସାନ୍ତାଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏଥର ରାଜଧାନୀରେ ସାନ୍ତାଙ୍କ ସଂଖ୍ୟା ବଢ଼ିଯିବ। ଅର୍ଥାତ ଏଥର ଚାରିଆଡ଼େ ଖୁସିର ପସରା ଖୋଲିଯିବ। ରାଜଧାନୀରେ ମାଳମାଳ ସାନ୍ତାକ୍ଲଜ୍ ବେଶପୋଷାକ ବିକ୍ରେତାଙ୍କ ଭିଡ଼ ସାଙ୍ଗକୁ ବିକ୍ରିବଟା ହିଁ ଏବେଠୁ ଏହା ସୂଚେଇ ଦେଲାଣି। ଚଳିତ ବର୍ଷ ସହରର ବିଭିନ୍ନ ସ୍ଥାନରେ ରାଜସ୍ଥାନର ବ୍ୟବସାୟୀମାନେ ଡେରା ପକାଇଲେଣି। ପୂର୍ବରୁ କେବଳ କିଛି ବଛାବଛା ସୋ’ ରୁମ୍‌ ଅବା ଖେଳଣା ଦୋକାନମାନଙ୍କରେ ଏହି ପୋଷାକ ମିଳୁଥିବା ବେଳେ ଏଥର ‌ଫୁଟ୍‌ପାଥରେ ମିଳୁଛି। ଦିଲ୍ଲୀରେ ପ୍ରସ୍ତୁତ ହେଉଥିବା ଏହି ସାନ୍ତାକ୍ଲଜ୍‌ ପୋଷାକ ଆଣି ବିକ୍ରି କରୁଥିବା କହିଛନ୍ତି ରାଜସ୍ଥାନର ପପୁ ଲାଲ୍‌। ସାନ୍ତାକ୍ଲଜ୍‌ ମୁଖା ୧୫୦ ଟଙ୍କା ମୂଲ୍ୟ ଥିବା ବେଳେ ମୂଲଚାଲ କଲେ ୬୦, ୮୦ ଓ ୧୦୦ ଟଙ୍କାରେ ମଧ୍ୟ ଦେଉଛନ୍ତି। ନାଲି ପୋଷାକ ଦର ୧୫୦ରୁ ୫୦୦ ଟଙ୍କା ରହିଛି। ଟୋପିର ଦର ୪୦ ଟଙ୍କା କ‌ହୁଥିଲେ ହେଁ ମୂଲଚାଲ କଲେ ୨୦ ଟଙ୍କାରେ ଦେଉଛନ୍ତି। ପପୁ କହିଛନ୍ତି ଯେ ସୋ’ରୁମ୍‌ଠାରୁ ଆମେ ବହୁ କମ୍‌ ଦରରେ ଏହି ପୋଷାକ ବିକ୍ରି କରୁଛୁ। ବିକ୍ରିବଟା ମଧ୍ୟ ଭଲ ହେଉଛି। ରାଜସ୍ଥାନରୁ ଏଥର ପ୍ରାୟ ୪୦ରୁ ଅଧିକ ବେପାରୀ ଆସିଥିବା ବେଳେ ବିକ୍ରିବଟାକୁ ନେଇ ବ୍ୟବସାୟୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ବର୍ଷକର ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗ ପାଇଁ ପୋଷାକ ଉପଲବ୍ଧ ହେଉଛି। ଏହି ସମୟରେ ବିଦ୍ୟାଳୟମାନଙ୍କରେ କୌତୁକ ପୋଷାକ ପ୍ରତିଯୋଗିତା ବେଳେ ଅନେକ ଛାତ୍ରଛାତ୍ରୀ ସାନ୍ତାର ପୋଷାକ ଚିତ୍ରାଳୟରୁ ଭଡ଼ାରେ ନେଉଥିବା ବେଳେ ଏଥର ଏହିଠାରୁ କିଣି ନେଉଛନ୍ତି। ଛୋଟ ପିଲାମାନେ ସାନ୍ତା ବେଶ ଦେଖି ନିଜେ ଉତ୍‌ଫୁଲ୍ଲିତ ହେଉଥିବା ବେଳେ ଏଥର ନିଜକୁ ସାନ୍ତାବେଶରେ ସଜାଇ ଖୁସି ବାଣ୍ଟିବାକୁ ଆଗ୍ରହ ଦେଖାଉଛନ୍ତି ବୋଲି ଜ୍ୟୋତିରଂଜନ ନାୟକ କହିଛନ୍ତି।

କିଏ ଏଇ ସାନ୍ତାକ୍ଲଜ୍‌ ?
ଖ୍ରୀଷ୍ଟମାସରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ସାନ୍ତା। ସାନ୍ତାଙ୍କ ବିନା ଯେମିତି ବଡ଼ଦିନ ଅଧୁରା ଲାଗେ। ତେବେ ଏହି ସାନ୍ତା କିଏ? ଆଜକୁ ଦେଢ଼ ହଜାର ବର୍ଷ ତଳେ ଜନ୍ମ ନେଇଥିବା ସନ୍ଥ ନିକୋଲସ୍‌ଙ୍କୁ ହିଁ ବାସ୍ତବରେ ସାନ୍ତା ବୋଲି ଧରାଯାଏ। ସାନ୍ତା ନାମଟି ନିକୋଲସ୍‌ଙ୍କ ଡଚ୍‌ ନାମ ସିଣ୍ଟର କ୍ଲାସ୍‌ରୁ ଆସିଛି। ପିଲାବେଳେ ନିଜ ବାପା ମା’ଙ୍କୁ ହରାଇଥିବା ନିକୋଲସ୍‌ଙ୍କର ପ୍ରଭୁ ଯୀଶୁଙ୍କ ଉପ‌ରେ ବହୁତ ଆସ୍ଥା ଥିଲା। ସେ ବଡ଼ ହୋଇ ଇସାଇ ଧର୍ମର ପାଦ୍ରି ହେଲେ। ପରେ ସେ ବିଶପ ମଧ୍ୟ ହେଲେ। ସେ ଗରିବ ପିଲାମାନଙ୍କୁ ଉପହାର ଦେବାକୁ ଭଲ ପାଉଥିଲେ। ଉପହାର ଦେବା ବେଳେ ଯେମିତି କେହି ନ ଦେଖେ ସେଥିପାଇଁ ସେ ଅଧରାତିରେ ଉପହାର ଦେଉଥିଲେ। ତେଣୁ ଡିସେମ୍ବର ୨୪ ଦିନ ରାତିରେ ପିଲାମ‌ାନେ ଶୀଘ୍ର ଶୋଇଯିବାକୁ କୁହାଯାଏ। ୧୭୭୩‌ ମସିହାରେ ଆମେରିକାରେ ପ୍ରଥମ ଥର ପାଇଁ ସାନ୍ତା ‘ସେଣ୍ଟ୍‌ ଏ କ୍ଲଜ୍‌’ ରୂପରେ ଆବିର୍ଭାବ ହୋଇଥିବା କଥିତ ଅଛି। ଏକ ମୃଦୁ ପାନୀୟର ବିଜ୍ଞାପନରେ ୧୯୩୦ରୁ ଲଗାତାର ୩୦ ବର୍ଷ କାଳ ନଜର ଆସିବା ପରେ ସାନ୍ତା ବେଶ ସମସ୍ତଙ୍କ ମନରେ ଛାପ ଛାଡ଼ିଥିଲା। ଏହା ପିଲାମାନଙ୍କ ମନରେ ଏମିତି ବସା ବାନ୍ଧିଥିଲା ଯେ ପିଲାମାନେ ଆଜି ବି ସାନ୍ତାଙ୍କ ନାମରେ ବିଭିନ୍ନ ଠିକଣାରେ ଚିଠି ଲେଖନ୍ତି। ତେବେ ଫିନ୍‌ଲାଣ୍ଡ୍‌ ନାଁରେ ଥିବା ଠିକଣାକୁ ଆଜି ପର୍ଯ୍ୟନ୍ତ ସବୁଠୁ ଅଧିକ ଚିଠି ଯାଇଛି।

ସମ୍ବନ୍ଧିତ ଖବର