ସିଟି ହସ୍ପିଟାଲ ବେପରୱା ନୀତି ପ୍ରସଙ୍ଗ: ବନ୍ଦ ହେଲା ଅନ୍‌ଲାଇନ୍‌ ଓପିଡି, ଖୋଲିଲା ଅଧିକ ୧୦ ଶଯ୍ୟା

ଆସିଲା ସ୍ବତନ୍ତ୍ର ଆମ୍ବୁଲାନ୍ସ

କଟକ: କଟକ ସିଟି ହସପିଟାଲ କରୋନା ମୁକାବିଲା ପାଇଁ ସାମନ୍ୟତମ ପ୍ରସ୍ତୁତ ନଥିବା ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପରେ ତନାଘନା ଆରମ୍ଭ ହୋଇଛି। ହସପିଟାଲ୍ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି। ଭିଡ଼ କମାଇବା ଉଦ୍ଦେଶ୍ୟରେ ହସପିଟାଲ୍ କର୍ତ୍ତୃପକ୍ଷ ଅନଲାଇନ୍ ଓପିଡି ପଞ୍ଜୀକରଣ କାର୍ଯ୍ୟକ୍ରମକୁ ଆଜିଠାରୁ ବନ୍ଦ କରି ଦେଇଛନ୍ତି। ଟିକଟ ପାଇଁ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଥିବା ରୋଗୀଙ୍କୁ ଆଜିଠାରୁ ହାତଲେଖା ଟିକଟ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ରୋଗୀଙ୍କୁ ଗୋଟିଏ ମିଟର ବ୍ୟବଧାନରେ ଆଜି ଛିଡ଼ା କରାଯାଇଥିଲା। ଚିକିତ୍ସା ପାଇଁ ଆଉଟଡୋର୍‌ ଭିତରକୁ ଜଣେ ଲେଖାଏ ରୋଗୀଙ୍କୁ ଛଡ଼ା ଯାଇଥିଲା। ଯେଭଳି ଅଧିକ ଭିଡ଼ ସୃଷ୍ଟି ହୋଇ ସଂକ୍ରମଣ ଆଶଙ୍କା ନ ରହିବ, ସେଥିପ୍ରତି ହସପିଟାଲ କର୍ତ୍ତୃପକ୍ଷ ଆଜି ଯଥେଷ୍ଟ ସତର୍କ ଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ହସପିଟାଲରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ନମୂନା ସଂଗ୍ରହ ପାଇଁ ସ୍ଥାନାନ୍ତର କରିବାକୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନଲାଇନ୍ ଓପିଡି ଟିକଟ କାଉଣ୍ଟର ବନ୍ଦ୍ କରି ଆଉଟଡୋର୍‌ରେ ଡାକ୍ତର ହାତଲେଖା ପଞ୍ଜୀକରଣ ସହିତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସିଟି ହସପିଟାଲ କର୍ତ୍ତୃପକ୍ଷ ଏ ପ୍ରକାର ନିର୍ଦ୍ଦେଶକୁ ପାଳନ କରୁ ନଥିବା ଆଜି ଫଟୋ ସହିତ ଏକ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଧାଡ଼ିରେ ଛିଡ଼ା ହେଉଥିବା ରୋଗୀଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ସମ୍ପର୍କିତ ରିପୋର୍ଟ ପ୍ରକାଶ ପରେ ଆଜି ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆଜି ସକାଳ ୮ଟା ବେଳେ ଆଉଟଡୋର୍‌ ଆରମ୍ଭ ହେଲା ବେଳକୁ ନିୟମ କଡ଼ାକଡ଼ି କରିଦିଆଯାଇଥିଲା। ଅନ୍ୟପଟେ କରୋନା ସନ୍ଦିଗ୍ଧଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଅଣାଯାଇଛି। ୨୪ ଘଣ୍ଟା ଏହି ଆମ୍ବୁଲାନ୍ସ ହସପିଟାଲରେ ରହିବ। ଅନ୍ୟପଟେ କରୋନା ସନ୍ଦିଗ୍ଧଙ୍କୁ ଉପଯୁକ୍ତ ପରାମର୍ଶ ଏବଂ ଡାକ୍ତରୀ ସହାୟତା ପାଇଁ କରୋନା କର୍ଣ୍ଣର୍ ଖୋଲାଯାଇଛି। ଅସ୍ଥାୟୀ ଭାବେ ଏହି କାଉଣ୍ଟର ଖୋଲାଯାଇଛି। ଥଣ୍ଡା, ଛିଙ୍କ, କାଶ ହେଉଥିବା ରୋଗୀଙ୍କୁ ସମସ୍ତ ପ୍ରକାର ସହଯୋଗ ଏହି କାଉଣ୍ଟର ମାଧ୍ୟମରେ ହିଁ ଯୋଗାଇ ଦିଆଯିବ। ଅନ୍ୟପଟେ ଦୁଇଟି ଶଯ୍ୟାବିଶିଷ୍ଟ କରୋନା ଓାର୍ଡ ସିଟି ହସପିଟାଲରେ କାର୍ଯ୍ୟ କରୁଥିବା ବେଳେ ଆଜି ଆହୁରି ୧୦ଟି ଶଯ୍ୟା ବିଶିଷ୍ଟ ଓାର୍ଡ ଖୋଲାଯାଇଛି। ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ଥିବାରୁ ଏ ପ୍ରକାର ପଦକ୍ଷେପ ଆଜି ହସପିଟାଲ କର୍ତ୍ତୃପକ୍ଷ ଗ୍ରହଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର