ଭୁବନେଶ୍ବର: ବିଡିଏ ପ୍ଲାନିଂ ମେମ୍ବର ଭାବରେ ମହମ୍ମଦ କ୍ବାସର ଇକ୍ବାଲ୍ ଅଲିଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଡିଏ ପ୍ଲାନିଂ ମେମ୍ବର ସହ କ୍ୟୁଆଇ ଅଲିଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷର ପ୍ଲାନିଂ ମେମ୍ବର, କଟକ ମହାନଗର ନିଗମ ସିଟି ପ୍ଲାନର, ଟାମ୍ଡା(ତାଳଚେର-ମେରାମୁଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ) ପ୍ଲାନିଂ ମେମ୍ବର, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ(କେଏନ୍ଡିଏ) ପ୍ଲାନିଂ ମେମ୍ବର ଓ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ମେମ୍ବରର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଅନ୍ୟପଟେ ବିଏମ୍ସି ସିଟି ପ୍ଲାନର ଦାୟିତ୍ବରେ ଥିବା ସହକାରୀ ଟାଉନ ପ୍ଲାନର ବିପୁଲ୍ ନାୟକଙ୍କୁ ବିଏମ୍ସିରୁ ହଟାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ରାଉରକେଲା ମହାନଗର ନିଗମ ସହକାରୀ ଟାଉନ୍ ପ୍ଲାନର ଭାବରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୀମପୁରରେ ସରକାରୀ ଜମିରେ ଘର ପ୍ଲାନ୍ ଦେବା, ପ୍ଲାନ୍ ଦେବାପାଇଁ ହିତାଧିକାରୀଙ୍କୁ ହତାଶ କରିବା, ବର୍ଷ ବର୍ଷ ଧରି ଶହଶହ ଆବେଦନ ପଡ଼ିରହିବା, ବେଆଇନ ଭାବରେ କିସମ ବଦଳାଯାଇଥିବା ଲିଜ୍ ଜମିରେ ବହୁତଳ ପ୍ରସାଦ ପାଇଁ ପ୍ଲାନ୍ ଦେବା ଭଳି ସଙ୍ଗିନ ଅଭିଯୋଗରେ ସେ ବିବାଦୀୟ ହୋଇପଡ଼ିଥିଲେ। ଏଣୁ ନଭେମ୍ବର ୨୫ ତାରିଖରେ କ୍ୟୁଆଇ ଅଲିଙ୍କୁ ସରକାର ବିଏମ୍ସି ସିଟି ପ୍ଲାନର୍ ଭାବରେ ନିଯୁକ୍ତି ଦେଇଥିଲେ। ସେ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ପ୍ଲାନିଂ ଭିତରେ ପୂରାଇ ନ ଦେବା ପାଇଁ ସମସ୍ତ ଉଦ୍ୟମ ହୋଇଥିଲା। ଖୋଦ୍ ବିଏମ୍ସି କମିସନର ଏକ ନିର୍ଦ୍ଦେଶନାମା ଜରିଆରେ ବିପୁଲ୍ ନାୟକ ଓ କ୍ୟୁଆଇ ଅଲିଙ୍କ ମଧ୍ୟରେ ଦାୟିତ୍ବ ବାଣ୍ଟିଥିଲେ।
ସିଟି ପ୍ଲାନର ଯୋଗ ଦେବା ପରେ ସହକାରୀ ସିଟି ପ୍ଲାନର ବିପୁଲ୍ ନାୟକ ଏହି ଦାୟିତ୍ବରେ ମୁକ୍ତ ହେବା କଥା। ହେଲେ କମିସନର ନୂଆ ଚାଲ୍ ଖେଳି ବିପୁଲ୍ ନାୟକଙ୍କ ହାତରେ ପ୍ଲାନ୍ ଆପ୍ରୁଭାଲ୍ କ୍ଷମତା ରଖିଥିଲେ। ସରକାର ନିଯୁକ୍ତି ଦେଇଥିବା ପ୍ଲାନରଙ୍କ ହାତରେ ସିଡିପି, କୋଠାବାଡି ନୀତିନିୟମ ଓ ସଂଶୋଧନ ସଂକ୍ରାନ୍ତ କାମ, କୋର୍ଟ କଚେରୀ ମାମଲା, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଉନ୍ ପ୍ଲାନିଂ ସହ ସମନ୍ବୟ ରକ୍ଷା କରି ବିଭିନ୍ନ ଅପିଲ୍ କେସ୍ ଡିଲ୍ କରିବା, ଅଡିଟ୍, ଆର୍ଟିଆଇ, ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରୁ ଆସୁଥିବା ଅଭିଯୋଗର ସମାଧାନ କରିବା ପ୍ରଭୃତି ରଖିଥିଲେ। ଜଣେ କନିଷ୍ଠ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଓ ବରିଷ୍ଠ ଅଧିକାରୀଙ୍କୁ ଏଭଳି ଦାୟିତ୍ବକୁ ନେଇ ଚର୍ଚ୍ଚା ଜୋର ଧରିବା ସହ ସିଟି ପ୍ଲାନର ଓ କମିସନରଙ୍କ ମଧ୍ୟରେ ଥିବା ଭିତିରି ସମ୍ପର୍କ ପଦାରେ ପଡ଼ିଯାଇଥିଲା। ଏଣେ ସରକାରଙ୍କ ନିର୍ଦ୍ଦେଶ ପରେ କମିସନରଙ୍କ ଏଭଳି ଭାଗବଣ୍ଟାରେ ଅପମାନିତ ବୋଧ ହୋଇ କ୍ୟୁଆଇ ଅଲି ମଧ୍ୟ ସେବେଠାରୁ ବିଏମ୍ସି ଆସୁନଥିଲେ। କଥା ଉପରମୁଣ୍ଡରେ ପହଞ୍ଚିବା ପରେ ବିଏମ୍ସିରୁ ବିପୁଲ୍ ନାୟକଙ୍କୁ ହଟାଇ ଦିଆଯାଇଛି। ଏଣେ କ୍ୟୁଆଇ ଅଲିଙ୍କୁ ମଧ୍ୟ ପୂର୍ବରୁ ବିଏମ୍ସି ସିଟି ପ୍ଲାନର ଭାବରେ ଦିଆଯାଇଥିବା ନିଯୁକ୍ତି ଆଦେଶ ବାତିଲ୍ ହୋଇଛି। ଅର୍ଥାତ୍ ବିଏମ୍ସିରେ ସିଟି ପ୍ଲାନର ପଦ ଖାଲିପଡ଼ିଛି।
ଅନ୍ୟପଟେ ଇଡ୍କୋ ଚିଫ୍ ଟାଉନ୍ ପ୍ଲାନର ଦାୟିତ୍ବରେ ଥିବା ଶୁଭେନ୍ଦ୍ର ମିଶ୍ରଙ୍କୁ ତାଙ୍କ ମୂଳ ପଦକୁ ଫେରାଇ ଅଣାଯାଇଛି। ସେ ଟାଉନ୍ ପ୍ଲାନିଂ ନିର୍ଦ୍ଦେଶାଳୟର ଚିଫ୍ ଟାଉନ୍ ପ୍ଲାନର ଭାବରେ କାମ କରିବେ। ଏହା ସହିତ ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ରହିବାକୁ ଆଜି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତାଙ୍କୁ ସମସ୍ତ ଦାୟିତ୍ବ ହସ୍ତାନ୍ତର କରିବାକୁ ଏବେ ନିର୍ଦ୍ଦେଶକ ଭାବରେ ଦାୟିତ୍ବରେ ଥିବା ସୁଶାନ୍ତ କୁମାର ମିଶ୍ରଙ୍କୁ ଆଦେଶ ହୋଇଛି।