ଭୁବନେଶ୍ୱର : ହସ୍ପିଟାଲ୍ ଓ ସହରର ବର୍ଜ୍ୟବସ୍ତୁ ସହ ମିଶାଇ ଦିଆଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିରର ବର୍ଜ୍ୟ ପଦାର୍ଥ। ବିଏମ୍ସିର ଅଳିଆବୁହା ଗାଡ଼ିରେ ମନ୍ଦିରରୁ ବାହାରୁଥିବା ପାଦୁକପତ୍ର ଓ ଅନ୍ୟାନ୍ୟ ଭୋଗସାମଗ୍ରୀକୁ ହସ୍ପିଟାଲ ଭଳି ବର୍ଜ୍ୟବସ୍ତୁ ସହ ଏକାଠି କରି ବୁହା ହେଉଛି। ବର୍ଜ୍ୟ ହେଲେ ବି ଏହା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଭୋଗଲାଗି ସାମଗ୍ରୀ ଅଟେ। କିନ୍ତୁ ଅଳିଆ ବୁହା ଗାଡ଼ିରେ ଏହାକୁ ଆବର୍ଜନା ପେଣ୍ଠକୁ ନିଆଯାଉଥିବାରୁ ସମଗ୍ର ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଉଛି ବୋଲି ଅଭିଯୋଗ ହୋଇଛି। ଏହି ସଙ୍ଗୀନ ଘଟଣାକୁ ନେଇ ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମନ୍ଦିରକୁ ମିଳିଥିବା ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍ ଦୀର୍ଘ ଦିନ ହେଲା ଅଚଳ ହୋଇ ରହିଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଏହି ମେସିନ୍ ଗତ ବର୍ଷ ଜାନୁଆରି ୨୩ ତାରିଖରେ ଅଣାଯାଇଥିଲା। ଏକ ବଡ଼ ତଥା ମହତ ଉଦ୍ଦେଶ୍ୟ ନେଇ ଏହାକୁ ଅଣାଯାଇଥିଲା। ମନ୍ଦିରରୁ ବାହାରୁଥିବା ପାଦୁକ, ବେଲପତ୍ର, କଦଳୀ, ନଡ଼ିଆ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀକୁ ଏଣେତେଣେ ନ ପକାଇ ଏହି ମେସିନ୍ରେ ପଡ଼ିବ ବୋଲି କୁହାଯାଇଥିଲା। ସେହିପରି କୌଣସି ପ୍ରସାଦ କିମ୍ବା ବଳକା ଅବଢ଼ା ଓ କଦଳୀପତ୍ରକୁ ବାହାରେ ନ ଫିଙ୍ଗି ଏହି ମେସିନ୍ରେ ପକାଯିବ ବୋଲି ସ୍ଥିର କରାଯାଇଥିଲା। ଫଳରେ ଏହି ବର୍ଜ୍ୟବସ୍ତୁ ୨୪ଘଣ୍ଟା ପରେ ଏକପ୍ରକାର ସାର ହୋଇ ବାହାରିବ। ୧୨ଫୁଟ୍ ଚଉଡ଼ା ଓ ୧୦ ଫୁଟ୍ ଲମ୍ବା ବିଶିଷ୍ଟ ଏହି ମେସିନ୍ ମନ୍ଦିର ପରିସରରେ ଆନନ୍ଦ ବଜାର ନିକଟରେ କିମ୍ବା ମନ୍ଦିର କଡ଼ରେ ରଖାଯିବା ଯୋଜନା ରହିଥିଲା। କିନ୍ତୁ ପରେ ଏହାକୁ ପୁରୁଣା ହାଟ ନିକଟରେ ରଖାଯାଇଥିଲା।
ମନ୍ଦିରରୁ ପ୍ରତିଦିନ ପ୍ରାୟ ଗୋଟିଏ ଟ୍ରକ୍ ପାଦୁକ ବାହାରିଥାଏ। ଶ୍ରାବଣ ମାସ, ମହାଶିବରାତ୍ରି ଆଦି ପର୍ବପର୍ବାଣୀରେ ୫ରୁ ୭ ଟ୍ରକ୍ ଆବର୍ଜନା ବାହରିଥାଏ। ଠାକୁରଙ୍କ ଉପରେ ଲାଗି ହେଉଥିବା ବେଲପତ୍ର, କଦଳୀ, ଫୁଲ ଆଦି ବାହାର କରାଯାଇ ଏହି ମେସିନ୍ରେ ପଡ଼ିବା କଥା। ସେହିପରି ଆନନ୍ଦ ବଜାରରୁ ବାହାରୁଥିବା ଅଇଁଠା କଦଳୀପତ୍ର ଓ ବଳୁଥିବା ଅବଢ଼ା ମଧ୍ୟ ନଷ୍ଟ କରାଯାଇ ଏହି ମେସିନ୍ରେ ପଡ଼ିବା ପାଇଁ କଥା ଥିଲା। କିନ୍ତୁ ଏବେ ସେସବୁକୁ ପୁଣି ପୂର୍ବଭଳି ଡଷ୍ଟବିନ୍ରେ ଫିଙ୍ଗା ଯାଉଛି। ମେସିନ୍ କାର୍ଯ୍ୟକ୍ଷମ ହୋଇନଥିବାରୁ ମନ୍ଦିର ଆବର୍ଜନାକୁ ବିଏମ୍ସି ଡଷ୍ଟବିନ୍ରେ ପକାଯାଉଛି ଓ ଅଳିଆ ବୁହା ଗାଡ଼ିରେ ସହରର ସବୁ ଆବର୍ଜନା ସହ ମିଶାଇ ଦିଆଯାଉଛି। ବିଶେଷକରି ବିଏମ୍ସି ହସ୍ପିଟାଲ ବର୍ଜ୍ୟବସ୍ତୁ ସହ ମିଶାଇ ମନ୍ଦିର ବର୍ଜ୍ୟକୁ ବୁହା ଯାଉଥିବାରୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେକ ସେବାୟତ କ୍ଷୁବ୍ଧ ହୋଇ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ମେସିନ୍କୁ କାର୍ଯ୍ୟକ୍ଷମ କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ମେସିନ୍କୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି।