ଭୁବନେଶ୍ବର: ଓଡ଼ିଶାରେ ନିଷ୍କ୍ରିୟ ହୋଇଯାଇଛି ସିଭିଲ୍ ଡିଫେନ୍ସ ବିଭାଗର ତାଲିମ କେନ୍ଦ୍ର। ଫଳରେ ତାଲିମ ପ୍ରତିଷ୍ଠାନର କୋଠା କାମରେ ଲାଗୁ ନଥିବା ବିଭାଗ ସହ ସଂପୃକ୍ତ କିଛି ସ୍ବେଚ୍ଛାସେବୀ ଅଭିଯୋଗ କରିଛନ୍ତି। ଏହି ତାଲିମ କେନ୍ଦ୍ର ପାଇଁ ମାତ୍ର ଦୁଇ ଜଣ ସ୍ଥାୟୀ କର୍ମଚାରୀ ନିୟୋଜିତ ହୋଇଥିଲେ। ଜଣେ ଅବସର ନେବା ପରେ ଏବେ ମାତ୍ର ଜଣେ ପ୍ରଶିକ୍ଷକରେ ତାଲିମ ଚାଲିଛି। ଏହି କାରଣରୁ ୪ ବର୍ଷ ହେଲା କୋଠା ଉଦ୍ଘାଟନ ହୋଇଥିଲେ ମଧ୍ୟ କାମରେ ଲାଗିପାରୁନି। ଏହାକୁ ନେଇ ସିଭିଲ୍ ଡିଫେନ୍ସରେ ଯୋଗ ଦେଇଥିବା ଯୁବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
୧୯୬୮ ମସିହାରେ ଆରମ୍ଭ ହୋଇଥିବା ସିଭିଲ ଡିଫେନ୍ସ ବିଭାଗରେ ଓଡ଼ିଶାରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏବେ ରାଜ୍ୟରେ ପ୍ରାୟ ୧୦ ହଜାରରୁ ଅଧିକ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ବରରେ ୫୦୦ ଜଣ ସକ୍ରିୟ ସ୍ବେଚ୍ଛାସେବୀ ରହିଛନ୍ତି। ସେମାନଙ୍କୁ ରଥଯାତ୍ରା, ମହାଶିବରାତ୍ରି ସହ ଅନ୍ୟ କାର୍ଯ୍ୟକ୍ରମରେ ନିୟୋଜନ କରାଯାଇଥାଏ। ବନ୍ୟା ବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଇଥାଏ। ପୂର୍ବରୁ ସ୍ବେଚ୍ଛାସେବୀଙ୍କ ପାଇଁ ଓଡ୍ରାଫ୍ର ପ୍ରଶିକ୍ଷଣ ଶିବିରରେ ତାଲିମ ଦିଆଯାଉଥିଲା। ଏହାସହିତ ସେମାନେ ନାଗପୁରର ଏନ୍ଡିଆରଏଫ୍ ଇନ୍ଷ୍ଟିଚ୍ୟୁଟରେ ପ୍ରଶିକ୍ଷିତ ହେଉଥିଲେ। ତେଣୁ କେନ୍ଦ୍ର ସରକାର ଓ ଅଗ୍ନିଶମ ବିଭାଗର ସହାୟତାରେ ୧ କୋଟି ୪୬ ଲକ୍ଷ ଟଙ୍କା ବିନିଯୋଗରେ ଭୁବନେଶ୍ବରଠାରେ ନିଜସ୍ବ ତାଲିମ ପ୍ରତିଷ୍ଠାନ ୪ ବର୍ଷ ତଳେ ଉଦ୍ଘାଟିତ ହୋଇଥିଲା। ଆଜି ଯାଏ ଏଠାରେ ତାଲିମ ଆରମ୍ଭ ହୋଇ ପାରି ନାହିଁ।
ସରକାର ସିଭିଲ ଡିଫେନ୍ସ ବିଭାଗକୁ ସୁଦୃଢ଼ କରିବା ସହିତ ଏଠାରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ କର୍ମଚାରୀ ନିଯୁକ୍ତ କରିବା ପାଇଁ ଏହି ବିଭାଗ ସହିତ ସଂପୃକ୍ତ ସ୍ବେଚ୍ଛାସେବୀ ତାପସ ନାୟକ, ଗୁଲସନ୍ ମହାକୁଡ଼, ଅଜୟ ଆଚାର୍ଯ୍ୟ, ଶୁଭେନ୍ଦୁ ପଣ୍ଡା, ଜୟପ୍ରକାଶ ସାମନ୍ତରାୟ, ବଙ୍କିମ ମିତ୍ର, ବିଙ୍କୁ ବିଶ୍ବାଳ ପ୍ରମୁଖ ଦାବି କରିଛନ୍ତି। ତେବେ ଏ ନେଇ ସିଭିଲ ଡିଫେନ୍ସ ତାଲିମ ଦାୟିତ୍ବରେ ଥିବା ମାଷ୍ଟର୍ ଟ୍ରେନର୍ ସୁଦୀପ୍ତ କୁମାର ସାହୁ କହିଛନ୍ତି ଯେ ରାଜ୍ୟରେ ୮ଟି ୟୁନିଟ୍ରେ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀମାନଙ୍କର ତାଲିମ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବ। ଅନ୍ୟପକ୍ଷରେ ଏନେଇ ସିଭିଲ ଡିଫେନ୍ସର ସହ ନିର୍ଦ୍ଦେଶକ ତଥା ଏଏଫ୍ଓ ନାରାୟଣ ଦାସ କହିଛନ୍ତି ଯେ ଏବେ ଅଗ୍ନିଶମ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଆବଶ୍ୟକ ହେଲେ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀମାନଙ୍କର ତାଲିମ କରାଯିବ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ଷମ ହେଉନି ସିଭିଲ୍ ଡିଫେନ୍ସ ତାଲିମ କେନ୍ଦ୍ର
ଓଡ଼ିଶାରେ ନିଷ୍କ୍ରିୟ ହୋଇଯାଇଛି ସିଭିଲ୍ ଡିଫେନ୍ସ ବିଭାଗର ତାଲିମ କେନ୍ଦ୍ର। ଫଳରେ ତାଲିମ ପ୍ରତିଷ୍ଠାନର କୋଠା କାମରେ ଲାଗୁ ନଥିବା ବିଭାଗ ସହ ସଂପୃକ୍ତ କିଛି ସ୍ବେଚ୍ଛାସେବୀ ଅଭିଯୋଗ କରିଛନ୍ତି। ଏହି ତାଲିମ କେନ୍ଦ୍ର ପାଇଁ...
/sambad/media/media_files/2025/08/08/untitled-9-2025-08-08-08-27-04.jpg)
/sambad/media/agency_attachments/2024-07-24t043029592z-sambad-original.webp)