ଆନ୍ଦୋଳନରୁ ଓହରିଲା ସାମାଜିକ ସଂଗଠନ ସମୂହ

ଦୁଷ୍କର୍ମ ପୀଡ଼ିତାଙ୍କୁ ୭ଦିନ ଭିତରେ ମିଳିବ ନ୍ୟାୟ: ଡିଜିପି
୪ ଆନ୍ଦୋଳନକାରୀ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ଦୁଷ୍କର୍ମର ଶିକାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଓ ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ୪ ଦିନ ଧରି ଲୋୟର୍‌ ପିଏମ୍‌ଜରେ ଚାଲିଥିବା ସାମାଜିକ ସଂଗଠନ ସମୂହର ଅନଶନ ଅଜି ପ୍ରତ୍ୟାହୃତ ହୋଇଛି। ସପ୍ତାହକ ମଧ୍ୟରେ ନ୍ୟାୟ ମିଳିବ ବୋଲି ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରତିଶ୍ରୁତି ଦେବା ପରେ ପରେ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସିଭିଲ୍‌ ସୋସାଇଟିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି କୁନ୍ଦୁଲି ପୀଡ଼ିତା ଦୁଷ୍କର୍ମ ଘଟଣାର ତଦନ୍ତ ସୁପ୍ରିମ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଏହାପରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଏକ ଛଅଜଣିଆ ପ୍ରତିନିଧି ଦଳ ପୁଲିସ୍‌ ମହାନିର୍ଦ୍ଦେଶକଙ୍କୁ ଭେଟି କେନ୍ଦ୍ରାପଡ଼ା ଜିଲ୍ଲାର କସ୍ତୁରୀ ସାମନ୍ତରାୟର ରହସ୍ୟଜନକ ମୃତ୍ୟୁ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ଅଳରେ ବର୍ଷାପାତ୍ରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଓ ପୁରୀ ଜିଲ୍ଲାର ଡେଲାଙ୍ଗ ଅଳର ଭିନ୍ନକ୍ଷମ ପୀଡ଼ିତା ଦୁଷ୍କର୍ମର ଅଭିଯୋଗ ଉପରେ ପୁଲିସ୍‌ ତଦନ୍ତ କରି ନଥିବା ସମ୍ପର୍କରେ ପ୍ରତିନିଧି ଦଳ ଡା. ଶର୍ମାଙ୍କୁ ଜଣାଇଥିଲେ। ସାତଦିନ ମଧ୍ୟରେ ସମସ୍ତ ଘଟଣାର ତଦନ୍ତ ସରିବ ବୋଲି ଡା. ଶର୍ମା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।

ଅନ୍ୟପଟେ ଆଜି ଅନଶନରେ ବସିଥିବା ସମୟରେ ହଠାତ୍‌ ୪ ଜଣ ଅସୁସ୍ଥ ହୋଇପଡ଼ିଲେ। ରାସ୍ତାରେ ଯାଉଥିବା ଲୋକମାନେ ଆନ୍ଦୋଳନକାରୀଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଅନଶନକାରୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବାରେ ପୁଲିସ୍‌ ଏବଂ ଡାକ୍ତରଙ୍କ ଅସହଯୋଗ ଯୋଗୁଁ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଆମରଣ ଅନଶନରେ ନାରୀନେତ୍ରୀ ସୁଂଯୁକ୍ତା ପାଣିଗ୍ରାହୀ, ପ୍ରତାପ ସାହୁ, ଦଳିତ ନେତା କାଳନ୍ଦୀ ମଲ୍ଲିକ, ବାସନ୍ତୀ ମହାରଣା ଏବଂ ବବି କିନ୍ନର ଅନଶନରେ ବସିଥିଲେ।

ସମ୍ବନ୍ଧିତ ଖବର