ଗଛକଟାକୁ ବିରୋଧ କରି ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବନେଶ୍ବର: ବିଧାୟକ କଲୋନି ପରିସରରୁ ଗଛକଟାକୁ ବିରୋଧରେ ପ୍ରେରଣା ଇଣ୍ଟରନ୍ୟାସନାଲ୍‌ ଗ୍ରିନ୍‌ ଆର୍ମି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଚାରିଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ, ବିଧାୟକ କଲୋନିରୁ ଆଉ ଗଛ ନକାଟିବା, ଯେଉଁ ଗଛ କଟାଯାଇଛି ତା’ର ଭରଣା ପାଇଁ ଭୁବନେଶ୍ବର ସହର ଓ ଉପକଣ୍ଠରେ ୧୦୦ଗୁଣ ବୃକ୍ଷରୋପଣ କରି ଉଦ୍ୟାନ ସୃଷ୍ଟି କରିବା, ଭୁବନେଶ୍ବର ଚାରିପାଖରେ ୫୦ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୃକ୍ଷରାଜିପୂର୍ଣ୍ଣ ଏକ ସବୁଜବଳୟ ସୃଷ୍ଟି, ଦିଲ୍ଲୀ ପରି ଟ୍ରି ଆଇନ୍‌ ପ୍ରଣୟନ କରିବାକୁ ଦାବି କରାଯାଇଛି।

ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଗଛ କାଟିବା ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କ ସହ ଜନଶୁଣାଣି ଓ ପରିବେଶବିତ୍‌ଙ୍କ ସହ ଆଲୋଚନା କରି ଅଟ୍ଟାଳିକା ତିଆରି କରିବା ଦରକାର। ବିଧାୟକଙ୍କ ବାସଗୃହ ପାଇଁ ଭୁବନେଶ୍ବର ଉପକଣ୍ଠରେ ଅଟ୍ଟାଳିକା ନିର୍ମାଣ କରିବା ସହ ଗଛ ଲଗାଇଲେ ପରିବେଶ ସନ୍ତୁଳନ ହେବା ସହ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ଏହି ଦାବିପତ୍ରରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର