ଭୁବନେଶ୍ବର/ଖଣ୍ଡଗିରି: ରବିବାର ରାତିରେ ଗଣେଶ ଭସାଣି ଶୋଭାଯାତ୍ରାକୁ ନେଇ ରାଜଧାନୀ ଅଶାନ୍ତ ହୋଇଉଠିଛି। ଦୁଇ ଦୁଇଟି ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟିଛି ଏବଂ ୧୫ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସହିଦନଗର ଓ ପାତ୍ରପଡ଼ାରେ ଘଟିଥିବା ଏହି ଦୁଇ ଗଣ୍ଡଗୋଳ କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ାଇଛି। ଆଜି ସନ୍ଧ୍ୟାରେ ସହିଦନଗର ମହାରାଜା ବସ୍ତି ଓ ଧବଳେଶ୍ୱର ବସ୍ତିର ଦୁଇ ଗୋଷ୍ଠୀ ଗଣେଶ ଭସାଣି ଶୋଭାଯାତ୍ରା କରିଥିଲେ। ବାଟରେ ପରସ୍ପରକୁ ଅତିକ୍ରମ କରିବା ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ କଥା କଟାକାଟି ହୋଇଥିଲା। ମୂର୍ତ୍ତି ବିସର୍ଜନ ସାରି ଫେରିବା ପରେ ହଠାତ୍ ମହାରାଜା ବସ୍ତିର ୫୦ରୁ ଅଧିକ ଯୁବକ ଠେଙ୍ଗାବାଡ଼ି ଧରି ଧବଳେଶ୍ୱର ବସ୍ତିରେ ପଶି ଅତର୍କିତ ଆକ୍ରମଣ କରିଥିଲେ। ଠେଙ୍ଗା ଓ ରଡ୍ରେ ପିଟି ପକାଇଥିଲେ। ସେମାନଙ୍କୁ ମୁକାବିଲା କରିବା ପାଇଁ ଧବଳେଶ୍ବର ବସ୍ତିର ପୁରୁଷ ଓ ମହିଳାମାନେ ସଂଘବଦ୍ଧ ଭାବେ ପାଲଟା ଆକ୍ରମଣ କରିଥିଲେ। ଧବଳେଶ୍ବର ବସ୍ତି ଲୋକେ ପଥର, ଢେଲା ମାଡ଼ କରିବା ସହ ଠେଙ୍ଗା ଓ ରଡ୍ରେ ପ୍ରତିଆକ୍ରମଣ କରିଥିଲେ। ସହିଦନଗର ଥାନା ପୁଲିସର ୫ଟି ଟିମ୍ ସେଠାରେ ପହଞ୍ଚି ୧୦ଜଣଙ୍କୁ କାବୁ କରିଛି। ଉତ୍ତେଜନା ଲାଗିରହିଥିବାରୁ ପୁଲିସ ବଳ ମୁତୟନ କରାଯାଇଛି।
ସେହିଭଳି ଆଜି ରାତିରେ ପାତ୍ରପଡ଼ା ଗ୍ରାମରେ ଏକ କ୍ଲବ୍ ପକ୍ଷରୁ ଗଣେଶ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଭସାଣି ଶୋଭାଯାତ୍ରା କରୁଥିବା କ୍ଲବ୍ର ଡିଜେକୁ ଅନ୍ୟ ସାହିରେ ପଶିବାକୁ ବିରୋଧ ହେବାରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ଜଣ ଆହତ ହୋଇଛନ୍ତି ଏବଂ ଗୋଟିଏ ପକ୍ଷର ୩ଜଣ ମହିଳା ଅଛନ୍ତି। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ଗାଁରେ ପୁଲିସ ମୁତୟନ କରାଯାଇଛି। ଗାଁର ଏକ କ୍ଲବ୍ର ସଦସ୍ୟମାନେ ଗଣେଶ ଭସାଣି ଶୋଭାଯାତ୍ରା କରି ଚାଲିଥିଲେ। ଡିଜେ ବାଜୁଥିଲା। ଶୋଭାଯାତ୍ରା ଅନ୍ୟ ଏକ ସାହିମୁଣ୍ଡରେ ପହଞ୍ଚିବା ବେଳେ ଡିଜେ ସାଉଣ୍ଡକୁ ନେଇ ସେମାନେ ବିରୋଧ କରିଥିଲେ। ଏହାକୁ ନେଇ କ୍ଲବ୍ର ଯୁବକ ଓ ସାହି ଲୋକଙ୍କ ଭିତରେ ବଚସା ବଢ଼ିଥିଲା ଏବଂ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। କ୍ଲବ୍ ସଦସ୍ୟଙ୍କୁ ବିରୋଧ କରି ସାହିର ମହିଳା ଓ ପୁରୁଷମାନେ ଏକାଠି ହୋଇଯାଇଥିଲେ ଏବଂ ଦୁଇ ପକ୍ଷଙ୍କ ଭିତରେ ପିଟାପିଟି ଆରମ୍ଭ ହୋଇଯାଇଥିଲା। ଏଥିରେ ସାହିର ୩ଜଣ ମହିଳା ଆହତ ହୋଇଥିବା ବେଳେ ଅପରପକ୍ଷରୁ ଜୀବନ ସାମନ୍ତରାୟ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ ପାତ୍ରପଡ଼ାରେ ଦିଲୀପ ନାୟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେବେଠୁ ଏହି ଗାଁରେ ଗୋଷ୍ଠୀ ବିବାଦ ଲାଗିରହିଛି। ଆଜିର ଗଣ୍ଡଗୋଳ ମଧ୍ୟ ସେହି ବିବାଦର ପ୍ରତିଫଳନ ବୋଲି କୁହାଯାଉଛି।