ବାରଙ୍ଗ: ନନ୍ଦନକାନନ ସିଂହ ସଫାରିରେ ଦୁଇ ଯୁବ ସିଂହ ଶରତ ଓ ସମ୍ରାଟ ମଧ୍ୟରେ ସଂଘର୍ଷ ଘଟିଛି। ଗତ କିଛି ଦିନ ହେଲା ସେମାନଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ଶେଷରେ ସଂଘର୍ଷରେ ପରିଣତ ହୋଇଛି ଓ ଏଥିରେ ସମ୍ରାଟ ଗୁରୁତର ହୋଇଛି। ଶରତ କାମୁଡ଼ି ଦେବାରୁ ସମ୍ରାଟର ଡାହାଣ ପଞ୍ଝା କ୍ଷତିଗ୍ରସ୍ତ ହୋଇଛି। ତାକୁ ଏବେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସ୍ବତନ୍ତ୍ର ଯତ୍ନରେ ରଖାଯାଇଛି। ସେହିଭଳି ସମ୍ବର ଖୁଆଡ଼ରେ ବି ଘଟିଛି ଅନୁରୂପ ଘଟଣା। ଅଣ୍ଡିରା ସମ୍ବର ଆକ୍ରମଣରେ ଗୋଟିଏ ମାଈ ସମ୍ବର ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛି। ଏହି ଦୁଇ ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଥିବା ବେଳେ ପ୍ରେମକୁ ନେଇ ଏଭଳି ସଂଘର୍ଷ ଘଟୁଥିବା କଥା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁସାରେ ସିଂହ ସଫାରିରେ ଅଲଗା ଅଲଗା ରହୁଛନ୍ତି ଦୁଇ ଏସୀୟ ସିଂହ ସମ୍ରାଟ(୭) ଓ ଶରତ(୭)। ସେମାନଙ୍କ ପାଖରେ ଅଲଗା ହୋଇ ରହିଛି ଏକ ସିଂହୀ। ଉକ୍ତ ସିଂହୀ ସହିତ ମିଳନ ପାଇଁ ଦୁଇ ଯୁବ ସିଂହଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି। ଉଭୟ ବଡ଼ ବ୍ୟାକୁଳ ହେଉଥିବା ଦେଖିବାକୁ ମିଳୁଛି। ସଫାରି ଜାଲିର ଉଭୟ ପାର୍ଶ୍ବରେ ରହି ଗର୍ଜନ କରିବା ସହିତ ପରସ୍ପରକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ଦୁଇଜଣଯାକ ତାର ଜାଲିକୁ ପଞ୍ଝାରେ ମାରୁଛନ୍ତି। ଗତକାଲି ଏମିତି ହେଉହେଉ ସମ୍ରାଟ୍ର ଡାହାଣ ଗୋଡ଼ ଜାଲିରେ ଫସି ଯାଇଥିଲା।
ଏହି ମଉକାରେ ଶରତ ସମ୍ରାଟର ପଞ୍ଝାକୁ କାମୁଡ଼ି ରକ୍ତାକ୍ତ କରିପକାଇଥିଲା। ସମ୍ରାଟ ଗୋଡ଼ ଟାଣି ଆଣିବାରେ ସକ୍ଷମ ହୋଇଥିଲେ ବି ପଞ୍ଝାରେ ଗଭୀର କ୍ଷତ ହୋଇଥିଲା। ସମ୍ରାଟର ଚିତ୍କାର ଶୁଣି ଘଟଣାସ୍ଥଳକୁ କର୍ମଚାରୀମାନେ ଧାଇଁ ଆସିଥିଲେ ଓ ତା’ ଗୋଡ଼ରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖି ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ପ୍ରାଣୀ ଚିକିତ୍ସା କେନ୍ଦ୍ରରୁ ଡାକ୍ତର ଓ କର୍ମଚାରୀମାନେ ଆସି ସମ୍ରାଟକୁ ନିଶ୍ଚେତକ ଦେଇ ଅଚେତ କରାଇଥିଲେ ଓ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। କ୍ଷତ ସ୍ଥାନକୁ ସ୍ପ୍ରେ କରି ଶୋଧନ କରାଯିବା ସହ ଆଣ୍ଟିବାୟୋଟିକ୍ସ ଦେଇ ଚିକିତ୍ସା ଚାଲୁରହିଛି ବୋଲି ସୂଚନା ମିଳିଛି। ପରେ କ୍ଷତକୁ ଅନୁଧ୍ୟାନ କରି ଆବଶ୍ୟକ ହେଲେ ସିଲେଇ କରାଯିବ ବୋଲି ଜଣାପଡ଼ିଛି।
ସେହିଭଳି ଆଜି ସକାଳେ ୩୮ ନମ୍ବର ଖୁଆଡ଼ରେ ଦୁଇ ସମ୍ବରଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ୧୦ ବର୍ଷ ବୟସର ଏକ ଅଣ୍ଡିରା ସମ୍ବର ତା’ ସହିତ ରହୁଥିବା ଏକ ୮ ବର୍ଷୀୟା ମାଈ ସମ୍ବରକୁ ଆକ୍ରମଣ କରି ଗୁରତର କରିଛି। ମାଈ ସମ୍ବରଟିର ପେଟ ଓ ଶରୀର ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାକୁ ମଧ୍ୟ ନିଶ୍ଚେତକ ଦ୍ବାରା ସଂଜ୍ଞାହୀନ କରି ଚିକିତ୍ସା କରାଯାଇଛି। ପ୍ରାୟ ୫ ଘଣ୍ଟା ଧରି ଡ୍ରେସିଂ କରାଯାଇଥିଲା। ସମ୍ବରଟି ଏବେ ବି ଗୁରତର ରିହିଛି। ଖୁଆଡ଼ରେ ବା ସଫାରିରେ ଏଭଳି ସଂଘର୍ଷ କିଛି ନୂଆ କଥା ନୁହେଁ। ୨୦୧୮ ମସିହାରେ ମହାବଳ ବାଘ ନନ୍ଦନ ବାଘୁଣି ସାରାକୁ ଆକ୍ରମଣ କରି କ୍ଷତବିକ୍ଷତ କରିଥିଲା। ଏହି ସଂଘର୍ଷ ପଛରେ ଥିବା ନନ୍ଦନ ଓ ସାରାର ପ୍ରେମକୁ ନେଇ ଚର୍ଚ୍ଚା ହୋଇଥିଲା। ଗତ ୨୪ ତାରିଖରେ ଏକ ଅଣ୍ଡିରା ଚିଙ୍କାରା ହରିଣକୁ ଆକ୍ରମଣ କରି ଅନ୍ୟ ଏକ ଅଣ୍ଡିରା ହରିଣ ମାରିଦେଇଥିଲା। ଏହା ପଛରେ ବି ପ୍ରେମ କଥା ଥିଲା ବୋଲି କୁହାଯାଇଥିଲା।