ଶାସ୍ତ୍ରୀୟ କଳା ପ୍ରବହମାନ ନଦୀଟିଏ: ଗୀତା

ଭୁବନେଶ୍ବର: ନୃତ୍ୟରେ ବହୁବିଧ ପରୀକ୍ଷଣ ତାଙ୍କ ନିଆରାପଣ। ଶାସ୍ତ୍ରୀୟ କଳା ସହ ନୃତ୍ୟ, ସଙ୍ଗୀତ, ସାହିତ୍ୟ, ନାଟକ, ଚିତ୍ର, ଶିକ୍ଷା, ଦର୍ଶନ, ଭାଷା, ପୋଷାକ ଓ ଫ୍ୟାସନର ମିଶ୍ରଣ କରି କଳାର ସୀମାକୁ ସୁଦୀର୍ଘ କରିବା ତାଙ୍କ ଜୀବନ ଲକ୍ଷ୍ୟ। ଏମିତି କରି ସେ ପ୍ରଥମେ ସମାଲୋଚିତ ହୋଇଥିବା ବେଳେ ଏବେ ସମସ୍ତଙ୍କ ପାଇଁ ପାଲଟି ଯାଇଛନ୍ତି ଅନୁକରଣୀୟ। ୫ ବର୍ଷ ବୟସରୁ ନୃତ୍ୟଯାତ୍ରା ଆରମ୍ଭ କରିଥିବା ଭାରତନାଟ୍ୟମ ନୃତ୍ୟକଳାର ଏହି ମହାନ ବିଦୁଷୀ ଗୀତା ଚନ୍ଦ୍ରନ୍‌ ‌ଏକାଧାରରେ ଜଣେ ପରିପୂର୍ଣ୍ଣା ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ। ଜଣେ ନିପୁଣା ନୃତ୍ୟଶିଳ୍ପୀ ଭାବେ ତାଙ୍କ ଅଭିନୟ ଓ ଛନ୍ଦବଦ୍ଧପଦପାତ ଓ ଅଙ୍ଗବିନ୍ୟାସ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ବେଶ୍‌ ସକ୍ଷମ। ବିଦୁଷୀ ଗୀତା ଚନ୍ଦ୍ରନ୍‌ ପଦ୍ମଶ୍ରୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଓ ଟାଗୋର ନ୍ୟାସ୍‌ନାଲ୍‌ ଫେଲୋସିପ୍‌ ଆଦିରେ ସମ୍ମାନିତା। ଏଥିସହ କରୋନା ମହାମାରୀ ସମୟରେ କଳାକାରମାନଙ୍କ ପାଇଁ ୟୁନେସ୍କୋର ଦକ୍ଷିଣ ଏସିଆ ଅଧିବକ୍ତା ଭାବେ ସେ କାର୍ଯ୍ୟ କରିସାରିଛନ୍ତି। ଆ‌ଜି ଭୁବନେଶ୍ବରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ‌ରେ ଯୋଗ ଦେଇଥିବା ଅବସରରେ ତାଙ୍କ ସହ ସସ୍ମିତା ସାହୁଙ୍କ ସାକ୍ଷାତକାର।

ଶାସ୍ତ୍ରୀୟ କଳା ସହ ନୃତ୍ୟ, ସଙ୍ଗୀତ, ଭାଷା, ସାହିତ୍ୟ, ଦର୍ଶନ, ନାଟକ ଓ ଚିତ୍ରକଳାକୁ ସଂଯୋଗ କରିବାର ବିଚାର କେମିତି ଆସିଲା? ଏଥିରେ କେତେ ସଫଳ ହୋଇଛନ୍ତି?
ଆମର ଭାଷା, ସାହିତ୍ୟ, ସଙ୍ଗୀତ ହେଉ ବା ନାଟକ, ଚିତ୍ରକଳା, ଦର୍ଶନ ଶାସ୍ତ୍ର ଏସବୁ ଆମ ସଂସ୍କୃତିର ଅଂଶ। ଏହା କେବେ ଅଲଗା ନଥିଲା। ଆମେ ପରେ ଏହାକୁ ଅଲଗା କରିଥିଲେ। ଶାସ୍ତ୍ରୀୟ କଳା ଏକ ବହୁଥିବା ନଦୀ ସ୍ବରୂପ। ନଦୀ ଯେଉଁଭଳି ବହିବା ସମୟରେ ଏହାର ପ୍ରତିଟି କୂଳରୁ କିଛି ନା କିଛି ନେଇ ଚାଲିଥାଏ, ସେହିଭଳି ଶାସ୍ତ୍ରୀୟ କଳା ପ୍ରତିଟି ପିଢ଼ିଠାରୁ ନିଜ ସହ କିଛି ଯୋଡ଼ି ଚାଲିଥାଏ। ଏହି ଯୋଡ଼ିବା ପ୍ରକ୍ରିୟାକୁ ଆମେ ପ୍ରୋତ୍ସାହିତ କରିଚାଲିବା ଉଚିତ। ଏଣୁ ମୁଁ ପରମ୍ପରା ଓ ମୌଳିକତାକୁ ଧ୍ୟାନରେ ରଖି ମୋର ପ୍ରତିଟି ନୃତ୍ୟରେ କିଛି କିଛି ନୂଆ ମିଶାଇ ‌ମଞ୍ଚରେ ପରିବେଷଣ କରେ। କିଛି ନୂଆ ଦେଖିବାକୁ ଚାହିଁ ରହିଥିବା ଆମ ସଂସ୍କୃତି ଓ କଳାପ୍ରେମୀ ଦର୍ଶକ ମୋର ଏହି ପରୀକ୍ଷଣକୁ ସବୁବେଳେ ଗ୍ରହଣ କରିଛନ୍ତି।

ଭାରତନାଟ୍ୟମ୍‌ର ଏକ ପାରମ୍ପରିକ ପୋଷାକ ରହିଛି। କିନ୍ତୁ ଆପଣ ସବୁବେଳେ ପୋଷାକ ଓ ଫ୍ୟାସନକୁ‌ ନେଇ ମଧ୍ୟ ପରୀକ୍ଷାନିରୀକ୍ଷା କରନ୍ତି। କ’ଣ ପ୍ରତିକ୍ରିୟା ପାଇଛନ୍ତି?
ସମୟ ପୂର୍ବରୁ ପରିବର୍ତ୍ତନକୁ ସବୁବେଳେ ମଣିଷ ସମାଜ ଅସ୍ବୀକାର କରିଆସିଛି। ପୋଷାକ ଓ ନୃତ୍ୟରେ ଫ୍ୟାସନର ପ୍ରବେଶ କରାଇବାକୁ ନେଇ ମୁଁ ଅନେକ ସମୟରେ ସମାଲୋଚିତ ହୋଇଛି। କିନ୍ତୁ ସମୟକ୍ରମେ ସମସ୍ତେ ସ୍ବୀକାର କରିଛନ୍ତି। ବହୁ ବର୍ଷ ପୂର୍ବରୁ ଫ୍ୟାସନ୍‌ ଡିଜାଇନର୍‌ ସଂଧ୍ୟା ରମଣଙ୍କ ସହ ମିଶି ମୁଁ ନୃତ୍ୟ ପୋଷାକରେ ଫ୍ୟାସନ୍‌ ଯୋଡ଼ିବାକୁ ଚେଷ୍ଟା କରିଥିଲି। ପ୍ରଥମେ ଯେଉଁମାନେ ଏହାକୁ ସମାଲୋଚନା କରୁଥିଲେ, ଏବେ ସେମାନେ ହିଁ ଏହାକୁ ପିନ୍ଧୁଛନ୍ତି।

ଓଡ଼ିଶୀ ନୃତ୍ୟ ଓ ଭାରତନାଟ୍ୟମରେ କ’ଣ ସାମଞ୍ଜସ୍ୟ ବା ଭିନ୍ନତା ରହିଛି?
ଉଭୟ ଅଲଗା ପ୍ରକାରର ନୃତ୍ୟଶୈଳୀ। ମୁଁ ଯେତେବେଳେ ଭାରତନାଟ୍ୟମ୍‌ ନୃତ୍ୟ କରିବା ଆରମ୍ଭ କରିଥିଲି, ସେତେବେଳେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇନଥିଲା। କିନ୍ତୁ ଏବେ ଶାସ୍ତ୍ରୀୟ ମା‌ନ୍ୟତା ହାସଲ କରିବା ସହ ଏହା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ନିଜ ଆଖି ଆଗରେ ଓଡ଼ିଶୀ ନୃତ୍ୟର ଏଭଳି ବିକାଶ ଓ ଉନ୍ନତି ସତରେ ମୋତେ ହତବାକ୍‌ କରିଛି।

ଓଡ଼ିଶା କଳା, ସଂସ୍କୃତି ଓ ‌ଐତିହ୍ୟରେ ପରିପୂର୍ଣ୍ଣ। ଏହାକୁ ନେଇ ଆପଣଙ୍କ ନୃତ୍ୟରେ ସଂରଚନା କରିବାକୁ ଇଚ୍ଛା କରିନାହାନ୍ତି?
ବହୁଥର ଉଦ୍ୟମ ହୋଇଛି। ଏଥିପାଇଁ ଓଡ଼ିଶୀ ନୃତ୍ୟ ଦଳ ସହ ଭାରତନାଟ୍ୟମ ଦଳର ମିଳନ ଆବଶ୍ୟକ। ତେବେ ଦିଲ୍ଲୀରୁ ଓଡ଼ିଶାର ଦୂରତା, ବଜେଟ୍‌ ଆଦିର ଅଭାବ ଯୋଗୁଁ ତାହା ହୋଇପାରିନାହିଁ। ପୁଣି ଏବେ କରୋନାରେ କଳାକାର ଓ କଳା ଅନୁଷ୍ଠାନଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଏବେ ଆଉ ଏସବୁ ସମ୍ଭବ ହେଲା ଭଳି ଲାଗୁନାହିଁ। କିନ୍ତୁ ଆମେ ଆଗକୁ ଏ ନେଇ ନିହାତି ଯୋଜନା କରିବୁ।

ଗୁରୁ କେଳୁଚରଣ ମହାପାତ୍ରଙ୍କ କେଉଁ ନୃତ୍ୟ ସଂରଚନା ଆପଣଙ୍କୁ ପ୍ରଭାବିତ କରିଛି?
ଏଭଳି ମହାନ ଗୁରୁଙ୍କ ସାନ୍ନିଧ୍ୟ ପାଇବାର ସୁଯୋଗ ପାଇଥିବାରୁ ମୁଁ ଧନ୍ୟ। ଗୁରୁଙ୍କ ନୃତ୍ୟାଭିନୟ ସବୁଠାରୁ ଅଲଗା। ନୃତ୍ୟ ସମୟରେ ତାଙ୍କ ଅଙ୍ଗଭଙ୍ଗୀ ଓ ମୁଖଭଙ୍ଗୀ ଦର୍ଶକଙ୍କ ବିହ୍ବଳିତ କରୁଥିଲା। ସବୁଠାରୁ ବଡ଼ କଥା ଏତେ ବଡ଼ ବ୍ୟକ୍ତିତ୍ବଙ୍କ ସରଳତା ମୋତେ ଅଧିକ ପ୍ରଭାବିତ କରିଥିଲା।

ଓଡ଼ିଶୀ ନୃତ୍ୟ କରିବାକୁ କେବେ ଇଚ୍ଛା ପ୍ରକଟ କରିଛନ୍ତି?
ଓଡ଼ିଶୀ ‌ନୃତ୍ୟ କରିନାହିଁ। କିନ୍ତୁ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ମାଧବୀ ମୁଦ୍‌ଗଲ୍‌ଙ୍କ ମିଳିତ ସହଭାଗିତାରେ ଆମେ ଅନେକ ସମୟରେ ମଞ୍ଚ ପ୍ରଦର୍ଶନ କରୁ।

ସମ୍ବନ୍ଧିତ ଖବର