ଭୁବନେଶ୍ୱର: ପ୍ରତିକୂଳ ପାଗ ସତ୍ତ୍ୱେ ରବୀନ୍ଦ୍ର ମଣ୍ଡପରେ କଳାଭୂମି ପକ୍ଷରୁ ଅନୁଷ୍ଠିତ ‘କଳାଭୂମି ମହୋତ୍ସବ-୨୦୨୫’ର ଦ୍ୱିତୀୟ ସନ୍ଧ୍ୟାକୁ ମନ ଭରି ଉପଭୋଗ କରିଛନ୍ତି ଦର୍ଶକ। କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ସମାଜସେବୀ ଜଗନ୍ନାଥ ପ୍ରଧାନ, ସଂସ୍କୃତି ପ୍ରବକ୍ତା ମାତୃପ୍ରସାଦ ମିଶ୍ର, ବରିଷ୍ଠ ରାଜନେତା ପବିତ୍ର ମୋହନ ଦାସ, କଳାଭୂମିର ଅଧ୍ୟକ୍ଷ ପ୍ରମୋଦ ପତି, ଗୁରୁ ଫକୀର ମୋହନ ପତି ଯୋଗ ଦେଇଥିଲେ।
ସନ୍ଧ୍ୟାରେ କୋଲକାତାର ପଣ୍ଡିତ ଓମ୍କାର ଦାଦରକର ଶାସ୍ତ୍ରୀୟ ସଙ୍ଗୀତର ବିବିଧ ରାଗର ଉପସ୍ଥାପନ କରିଥିଲେ। ଏହା ପରେ ଗୁରୁ ବିଶ୍ବରଂଜନ ନନ୍ଦ, ରାମଚନ୍ଦ୍ର ବେହେରା ଓ ପ୍ରଶାନ୍ତ କୁମାର ପାଢ଼ୀଙ୍କ ଉପସ୍ଥାପନରେ ତ୍ରିତାଲ ଓ ଆଦିତାଳ ଯୁଗଳବନ୍ଦି ପରିବେଷିତ ହୋଇଥିଲା। ମୃତ୍ୟୁଞ୍ଜୟ ରଥ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସୁଚିତ୍ରା ଦାସ ଓ ପ୍ରିୟଦର୍ଶିନୀ ସହଯୋଗ କରିଥିଲେ।