ଜଟଣୀ: ଏକ ଘରୋଇ ବିଶ୍ବବିଦ୍ୟାଳୟର ବିଟେକ୍ ଛାତ୍ର ସତ୍ୟସୁନ୍ଦର ବାଜପେୟୀଙ୍କ ହତ୍ୟା ମାମଲାରେ ଜଟଣୀ ଥାନା ପୁଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟଣୀ ହାଟବଜାର ଅଞ୍ଚଳର ଜୟଦିସ୍ ମାଣିଆ(୧୯), ପୁରୀ ସଦର ଥାନା ଅଞ୍ଚଳର ତଥାସ୍ତୁ ପୃଷ୍ଟି(୧୯) ଓ ଜଟଣୀ ଚିନ୍ତାମଣିନଗରର ବୈଭବ କୁମାର ଦାଶ(୨୦)। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ମୃତକ ସତ୍ୟସୁନ୍ଦରଙ୍କ ସହପାଠୀ ସେକ୍ ସର୍ଫରାଜକୁ ପୁଲିସ ବିଚାର ବିଭାଗୀୟ ହାଜତକୁ ପଠାଇସାରିଛି।
ପୁଲିସ ସୂଚନାନୁସାରେ ମୃତ ସତ୍ୟସୁନ୍ଦର ଓ ମୁଖ୍ୟ ଅଭିଯୁକ୍ତ ସର୍ଫରାଜ୍ ଜଟଣୀସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ବିଟେକ୍ ଛାତ୍ର ଥିଲେ। ବିଶୃଙ୍ଖଳିତ ବ୍ୟବହାର ଓ ଆଚରଣ ପାଇଁ ଏକଦା ସର୍ଫରାଜକୁ କଲେଜରୁ ବହିଷ୍କାର କରାଯାଇଥିଲା। କିନ୍ତୁ ପରେ ତାକୁ ପୁଣି ପଢ଼ିବାର ସୁଯୋଗ ମିଳିଥିଲା। ତଥାପି ସଫରାଜ୍ ସ୍ଥାନୀୟ ଅସାମାଜିକ ଯୁବକମାନଙ୍କ ସହ ମିଶୁଥିଲା ଏବଂ ଗଣ୍ଡଗୋଳ କରୁଥିଲା। ସହପାଠୀ ହିସାବରେ ସର୍ଫରାଜ ଓ ସତ୍ୟସୁନ୍ଦର ମଧ୍ୟରେ ବନ୍ଧୁତା ଥିଲା। ଫେବ୍ରୁଆରି ୨୮ ତାରିଖ ସନ୍ଧ୍ୟାରେ ସର୍ଫରାଜ ଓ ଆଜି ଗିରଫ ହୋଇଥିବା ୩ ଯୁବକ କଲେଜ ନିକଟ ଏକ ଚା’ ଦୋକାନରେ ଖଟି କରୁଥିଲେ। କିଛି ସମୟ ପରେ ସତ୍ୟସୁନ୍ଦର ସେଠାରେ ପହଞ୍ଚି ସର୍ଫରାଜ୍ର ସ୍କୁଟି ମାଗି ନେଇଥିଲେ। ପ୍ରାୟ ୧୫ ମିନିଟ୍ ପରେ ସତ୍ୟ ଫେରିଥିଲେ ଏବଂ ସ୍କୁଟି ଫେରାଇଥିଲେ। କିନ୍ତୁ ସ୍କୁଟି ଫେରାଇବା ବିଳମ୍ବ ହେବା କହି ସର୍ଫରାଜ୍ ଏଣୁତେଣୁ କହିବାରୁ ଦୁଇ ବନ୍ଧୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପାଟିତୁଣ୍ଡ ପରେ ସତ୍ୟ ସେଠାରୁ ଚାଲିଯାଇଥିଲେ।
ରାତି ପ୍ରାୟ ୧୦ଟା ବେଳେ ସର୍ଫରାଜ ଫୋନ୍ କରି ସତ୍ୟଙ୍କୁ ଜଟଣୀ ଲୋକୋ କଲୋନି ମେମୋ ସେଡ୍ ନିକଟକୁ ଡକାଇଥିଲା। ସନ୍ଧ୍ୟା ବେଳର ଗଣ୍ଡଗୋଳ କଥା ଭୁଲିଯିବାକୁ କହିଥିଲା। ତା’ କଥାକୁ ବିଶ୍ବାସ କରି ସତ୍ୟସୁନ୍ଦର ମେମୋ ସେଡ୍ରେ ପହଞ୍ଚିବା ପରେ ଭିନ୍ନ କଥା ଦେଖିଥିଲେ। ସର୍ଫରାଜ ଓ ଉପରୋକ୍ତ ୩ ଅସାମାଜିକ ଯୁବକ ତାଙ୍କୁ ସନ୍ଧ୍ୟା ବେଳର ଗଣ୍ଡଗୋଳ ପାଇଁ କ୍ଷମା ମାଗିବାକୁ କହିଥିଲେ। ଏଥିରେ ବିରକ୍ତ ହୋଇ ସତ୍ୟସୁନ୍ଦର ସେଠାରୁ ଫେରିବାକୁ ବାହାରିଲେ। ଏତିକିବେଳେ ସର୍ଫରାଜ ଏକ ରଡ୍ରେ ତାଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ହୋଇ ସତ୍ୟ ସେଇଠି ଟଳି ପଡ଼ିଥିଲେ। ଅଭିଯୁକ୍ତମାନେ ସଂଜ୍ଞାହୀନ ଅବସ୍ଥାରେ ସତ୍ୟଙ୍କୁ ନେଇ ଜଟଣୀ ଡାକ୍ତରଖାନାରେ ଭର୍ତ୍ତି କରି ପଳାଇଥିଲେ। ଗୁରୁତର ସତ୍ୟଙ୍କୁ ପରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା ଏବଂ ମାର୍ଚ୍ଚ ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।