ରାଜଧାନୀ ଛାତି ଉପରେ ସରକାରୀ ସ୍କୁଲ ସ୍ଥିତି ଏମିତି : ଶ୍ରେଣୀଗୃହ ଏବେ ପିଡିଏସ୍‌ ଗୋଦାମ

ଲୋକଙ୍କୁ ବଣ୍ଟାଯାଉଛି ଚାଉଳ, ଗହମ, କିରୋସିନ
୨୦ ଦିନ ପରେ ବି କ୍ୟାମ୍ପସ ସଫେଇ ହୋଇନି
ରୋଷ୍ଟର ଡ୍ୟୁଟିରେ ଆସୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର : ସ୍କୁଲ କେବେ ଖୋଲିବ ଜଣା ନାହିଁ। କ୍ଲାସରୁମ୍‌ ପାଠପଢ଼ା କେମିତି ହେବ ସେନେଇ ବି ସ୍ପଷ୍ଟ ସୂଚନା ମିଳିନି। ତଥାପି ସମସ୍ତ ସରକାରୀ ବିଦ୍ୟାଳୟ କ୍ୟାମ୍ପସ ସଫେଇ କରି ପ୍ରସ୍ତୁତ ରଖିବାକୁ ଅକ୍ଟୋବର ୯ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦେଇଥିଲେ। ଶ୍ରୀ ସାହୁଙ୍କ ନିର୍ଦେଶ ଆଧାରରେ ଡିଇଓମାନେ ଜିଲ୍ଲାର ସମସ୍ତ ବିଇଓ(ବ୍ଲକ ଶିକ୍ଷା‌ ଅଧିକାରୀ) ଓ ସିଆରସିସି(କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର)ଙ୍କୁ ଚିଠି ଲେଖି ସ୍କୁଲ କ୍ୟାମ୍ପସ ସଫେଇ, ରକ୍ଷଣାବେକ୍ଷଣର ତଦାରଖ କରିବାକୁ କହିଥିଲେ। ଇତିମଧ୍ୟରେ ୨୦ ଦିନ ବିତିଗଲାଣି। ଅକ୍ଟୋବର ମାସ ବି ସରିବାକୁ ବସିଲାଣି। ତଥାପି ସ୍କୁଲ କ୍ୟାମ୍ପସ ସଫେଇ ହୋଇପାରି ନାହିଁ। କରୋନା କାଳରେ କ୍ୟାମ୍ପସ ସ୍ଥିତି ଯେମିତି ଥିଲା ଏବେ ବି ସେମିତି। କିଛି ବି ବଦଳିନି। କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସୁ ନାହାନ୍ତି ତ ଆଉ କେଉଁଠି ସ୍କୁଲ ଘର ପାଲଟିଛି ପିଡିଏସ୍‌ ସାମଗ୍ରୀ ଗୋଦାମ ଗୃହ। କୁଇଣ୍ଟାଲ କୁଇଣ୍ଟାଲ ଚାଉଳ, ଗହମ ଆଦି କ୍ଲାସରୁମ୍‌ ଭିତରେ ଜମା ହୋଇଛି।

ଏଭଳି ଦୃଶ୍ୟ ଆଉ କେଉଁଟି ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ବରରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଦେଖିବାକୁ ମିଳିଛି। ନଭେମ୍ବର ମାସରେ ସ୍କୁଲ ଖୋଲିବାକୁ ସରକାରୀସ୍ତରରେ ଯୋଜନା ପ୍ରସ୍ତୁତ କରାଯାଉଛି। ତା’ପୂର୍ବରୁ କେମିତି ଅଛି ବିଦ୍ୟାଳୟର ସ୍ଥିତି। ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ କେତେ ସୁରକ୍ଷିତ? ସରକାରଙ୍କ ନିର୍ଦେଶକୁ ପାଳନ କରି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସୁଛନ୍ତି କି ନାହିଁ ତାହା ଜାଣିବା ଲାଗି ‘ସମ୍ବାଦ’ ପକ୍ଷରୁ ଗୁରୁବାର ପ୍ରୟାସ କରାଯାଇଥିଲା। ସହରରେ ଥିବା କେତେକ ପ୍ରମୁଖ ବିଦ୍ୟାଳୟକୁ ଯାଇ ଅନୁଧ୍ୟାନ କରିବା ସମୟରେ ଯାହା ଦେଖିଥିଲୁ ସେଥିରେ ପିଲାଙ୍କ ପାଠପଢ଼ା କିଭଳି ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କରିବା ସମୟରେ କିଛି ବିଚିତ୍ର ଦୃଶ୍ୟ ଆଖିରେ ପଡ଼ିଥିଲା। ଝାରପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀସାଗର ହାଇସ୍କୁଲ ଓ ୟୁନିଟ୍‌-୩ ଖାରବେଳ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ(ଟେକ୍ସ୍‌ଟ ବୁକ୍‌ ପ୍ରେସ୍‌)ରେ ପିଡିଏସ୍‌ ସାମଗ୍ରୀ ଜମା ହୋଇଛି। କ୍ଲାସରୁମ୍‌ ବାରଣ୍ଡାରେ କିରୋସିନ ଡ୍ରମ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରତି ବିଦ୍ୟାଳୟର ୨ରୁ ୪ଟି କ୍ଲାସରୁମ୍‌ରେ ଚାଉଳ, ଗହମ ଆଦି ସାମଗ୍ରୀ ରହିଥିବାରୁ ତାକୁ ତାଲା ମରାଯାଇଛି। କ୍ୟାମ୍ପସକୁ ଲକ୍ଷ୍ୟ କଲେ ପିଡିଏସ୍‌ ଗୋଦାମ ଗୃହ ଭଳି ଅନୁଭବ ହେଉଛି। କିଛି ଦିନ ପୂର୍ବେ ଲକ୍ଷ୍ମୀସାଗର ହାଇସ୍କୁଲରେ ହୋଇଥିବା ସେରୋ ସର୍ଭେ ବେଳେ ଅବର୍ଜନା ପଡ଼ିଥିବା ଡଷ୍ଟବିନ୍‌ ସେମିତି ବାରଣ୍ଡାରେ ରହିଛି। କେହି ବି ଉଠାଇବାକୁ ଆସିନାହାନ୍ତି। ଏହାବ୍ୟତୀତ ଆଇଆରସି ଭିଲେଜ୍‌ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ‌ସେକ୍ଟର-୨, ପଳାସୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜିଜିପି କଲୋନିରେ ଥିବା ଗୋପିନାଥଦେବ ହାଇସ୍କୁଲ କ୍ୟାମ୍ପସ କଥା ନ କହିବା‌ ଭଲ। ଅଳିଆ ଆବର୍ଜନା ସେମିତି ପଡ଼ିରହିଥିବା ନଜରକୁ ଆସିଥିଲା। ସବୁଠାରୁ ବଡ଼ କଥା ହେଉଛି ଯେ ଖୋର୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଆରଏମ୍‌(ଡିଷ୍ଟ୍ରିକ୍ଟ ରିଭ୍ୟୁ ମିଟିଂ)ରେ ପିଡିଏସ୍‌ ସାମଗ୍ରୀ ଉଠାଇବା ଲାଗି ନିର୍ଦେଶ ଦିଆଯାଇଥିଲା। ବିଡିଓମାନେ ଏଦିଗରେ ପଦକ୍ଷେପ ନେବାକୁ ବି କୁହାଯାଇଥିଲା। ତା’ପରେ ବି ସାମଗ୍ରୀ ଉଠାଯାଇ ନାହିଁ। ବରଂ ସ୍କୁଲ କ୍ୟାମ୍ପସରେ ଏହି ସାମଗ୍ରୀ ବଣ୍ଟନ ହେଉଛି। ଅନୁଧ୍ୟାନ ସମୟରେ ଟେକ୍ସ୍‌ଟ ବୁକ୍‌ ‌ପ୍ରେସ୍‌ ଉଚ୍ଚ ବିଦ୍ୟାଳୟରେ ସାଧାରଣ ଲୋକଙ୍କୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ ହେଉଥିବା ଦେଖିବାକୁ ପାଇଥିଲୁ। ଆମେ ପୂର୍ବାହ୍ନରେ ଗସ୍ତ କରିଥିଲେ ମଧ୍ୟ କିଛି ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖିବାକୁ ମିଳି ନ ଥିଲା। ଅଧିକାଂଶ ବିଦ୍ୟାଳୟକୁ ଜଣେ ଲେଖାଏଁ ଶିକ୍ଷକ/ଶିକ୍ଷୟିତ୍ରୀ ଆସିଥିବା ଦେଖିବାକୁ ପାଇଥିଲୁ।

ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସନ୍ତୋଷ କୁମାର ରାଉତ କହିଛନ୍ତି ଯେ କ୍ୟାମ୍ପସ ସଫେଇ କରିବାକୁ ସମସ୍ତ ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି। ଅଧିକାଂଶ ବିଦ୍ୟାଳୟ ଇତିମଧ୍ୟରେ ସଫେଇ କରିସାରିଥିବା ସୂଚନା ମିଳିଛି। ସ୍କୁଲ କ୍ୟାମ୍ପସରେ ପିଡିଏସ୍‌ ସାମଗ୍ରୀ ରହିବା ସମ୍ପର୍କରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ। ଏବେ ସ୍କୁଲ ଖୋଲି ନ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ରୋଷ୍ଟର ଡ୍ୟୁଟିରେ ଆସୁଛନ୍ତି। ସମ୍ପୂର୍ଣ୍ଣ ଉପସ୍ଥାନ ହୋଇନାହିଁ।

ସମ୍ବନ୍ଧିତ ଖବର