ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଘରକୁ ନାନା ରକମର ଆଲୋକମାଳ‌ାରେ ସୁସଜ୍ଜିତ କରି ଏହି ପର୍ବକୁ ଲୋକେ ସ୍ବାଗତ କରନ୍ତି। ବର୍ତ୍ତମାନ ସମୟ‌ରେ ଲିଚୁମାଳ, ଏଲ୍‌ଇଡି ଲାଇଟ୍‌ଓ ମହମବତିରେ ଘର ସଜ୍ଜା ଯାଉଛି। ଏହାରି ଭିତରେ ଆମର ପାରମ୍ପରିକ ‘ଦୀପ’ର ଚାହିଦା ଏବେ ବି ଲୋକପ୍ରିୟତାର ଶୀର୍ଷରେ ରହିଛି। ଦୀପାବଳି ପାଇଁ  ମାଟି ଦୀପ କିଣିବାକୁ ବିଭିନ୍ନ ହାଟ ବଜାରରେ ଗ୍ରାହକଙ୍କ ଭିଡ଼ ଲାଗିଲାଣି। ବର୍ତ୍ତମାନ ଏହି ଦୀପ ବିଭିନ୍ନ ଡିଜାଇନ୍‌ରେ ବଜାରରେ ଉପଲବ୍ଧ ହେଉଛି। ବିଶେଷ କରି ନୂଆ ଧରଣର ‘ମାଟି ଦୀପ’ ଗ୍ରାହକଙ୍କ ମନକୁ ଛୁଇଁଛି। ଆଧୁନିକତା ମଧ୍ୟରେ ମାଟିଦୀପର ଅସ୍ତିତ୍ବକୁ ବଜାୟ ରଖିବା ପାଇଁ କାରୀଗରମାନେ ଭିନ୍ନ ରଙ୍ଗ ଭିନ୍ନ ଢଙ୍ଗରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏହି ମାଟି ଦୀପ ବିକି ଦିପଇସା ରୋଜଗାର କରୁଥିବା କୁମ୍ଭକାର ବଜାରରେ ନିଜର ପସରା ମେଲାଇ ଦେଇଛି। ଏହି ଦୀପର ମୂଲ୍ୟ ଟଙ୍କାଏରୁ ଆରମ୍ଭ କରି ୪ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜଧାନୀରେ ବିଭିନ୍ନ ହୋଲ୍‌ସେଲ୍‌ଦୋକାନରେ କୋଲକାତାରୁ ଆସୁଥିବା ବିଭିନ୍ନ ଡିଜାଇନ୍‌ର ଚୀନାମାଟି ଦୀପର ସମ୍ଭାର ଦେଖିବାକୁ ମିଳୁଥିବା ବେଳେ ସାଧାରଣ ମାଟିଦୀପର ଚାହିଦା ହ୍ରାସ ପାଉଛି।

Advertisment

ଝୁମର୍‌ଦୀପ
 

ଘରମାନଙ୍କରେ ଝୁମର୍‌ଦୀପ ଲଗାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଉଛି। ଛୋଟଛୋଟ ଲୁହା ଶିକୁଳିରେ ୫ରୁ ୭ଟି ଲେଖାଏଁ ଦୀପ ଝୁଲି ରହିଥାଏ। ଏହାକୁ ଜାଳି ଘର ଭିତର କିମ୍ବା ବାଲକୋନିରେ ଟାଙ୍ଗି ଦେଲେ ଏହା ସୁନ୍ଦର ଦେଖାଯାଏ। ହାଲକା ପବନରେ ମଧ୍ୟ ଏହି ଦୀପ ବୁଲୁଥିବାରୁ ମନକୁ ଆନନ୍ଦ ଦିଏ। ଏହି ଦୀପ ମୁଖ୍ୟତଃ କୋଲକାତାରୁ ଆମଦାନୀ ହେଉଛି। ଆମ ରାଜ୍ୟର ଢେଙ୍କାନାଳ, ସମ୍ବଲପୁର ଜିଲ୍ଲାର କୁମ୍ଭକାରମାନେ ମଧ୍ୟ ଏହି ଦୀପ ଗଢ଼ି ରାଜଧାନୀକୁ ପଠାଉଥିବା ଜଣାପଡ଼ିଛି। ୫୦ଟଙ୍କାରୁ ଆରମ୍ଭ ହୋଇ ଏହି ଦୀପ ୩ଶହ ଟଙ୍କା ପର୍ଯ୍ୟନ୍ତ ବଜାରରେ ଉପଲବ୍ଧ।

ପଞ୍ଚମୁଖୀ ଦୀପ

 ସବୁଠାରୁ ବେଶି ବିକ୍ରି ହେଉଥିବା ଦୀପ ମଧ୍ୟରେ ପଞ୍ଚମୁଖୀ ଦୀପ ରହିଛି। ଛୋଟ ପଞ୍ଚମୁଖୀ ଦୀପ ୧୫-୨୦ ଟଙ୍କାରୁ ଆରମ୍ଭ ହୋଇ ବଡ଼ ୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ବରମୁଣ୍ଡା ନିକଟରେ ଦୀପ ଦୋକାନ ଦେଇଥିବା ସୁଦର୍ଶନ ଦଳେଇ କୁହନ୍ତି, ପଞ୍ଚମୁଖୀ ଦୀପର ଚାହିଦା ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଏହା ବିଭିନ୍ନ ଡିଜାଇନ୍‌ରେ ଯେମିତିକି ଗୋଲାକାର, ଠିକିରି, ପତ୍ର ତଥା କଇଁଛ ଆକାରରେ ମିଳୁଛି। ଅନୁରୂପ ଭାବେ ସାଧାରଣ ଦୀପ ଛୋଟ ୧୦ଟଙ୍କାରେ ୧୨ଟି ଦିଆଯାଉଥିବା ବେଳେ ବଡ଼ ଗୋଟାକ ୫ଟଙ୍କାରେ ବିକ୍ରି କରୁଥିବା ସେ କହିଛନ୍ତି। ସେହିଭଳି ସାତମୁଖୀ ଦୀପର ଚାହିଦା ମଧ୍ୟ ରହିଛି।

ମ୍ୟାଜିକ୍‌ ବା କୁମ୍ପି ଦୀପ

 ମ୍ୟାଜିକ୍‌ଦୀପ ଗ୍ରାହକମାନଙ୍କୁ ବେଶ୍‌ଆକୃଷ୍ଟ କରୁଛି। ଏହା ଦେଖିବାକୁ ସୁନ୍ଦର ଓ ବିଭିନ୍ନ ଆକୃତିର ହୋଇଥାଏ। ଦୀପଟି ଚାରିପଟୁ ଘୋଡ଼ଣି ଦ୍ବାରା ଆବଦ୍ଧ ହୋଇଥାଏ। ଏହାର ଘୋଡ଼ଣିରେ ମଧ୍ୟ ଛୋଟଛୋଟ କଣା ରହିଛି। ଦୀପ ତଳେ ଏକ କଣା ରହିଥାଏ। ଏହି ବାଟ ଦେଇ ମ୍ୟାଜିକ୍‌ଦୀପରେ ତେଲ କିମ୍ବା ଘିଅ ଭର୍ତ୍ତି ହୁଏ। ଦୀପକୁ ଓଲଟାଇଲେ ମଧ୍ୟ ତେଲ ବୋହିବ ନାହିଁ। ତେଲ ଭର୍ତ୍ତି ହେବା ପରେ ଏହାକୁ ଓଲଟାଇ ଦୀପର ପାର୍ଶ୍ବରେ ଥିବା ଏକ କଣାରେ ସଳିତା ଭର୍ତ୍ତି କରି ଦୀପ ଲଗାଯାଏ। ଏହି ଦୀପ ୫୦ଟଙ୍କାରୁ ଆରମ୍ଭ ହୋଇ ୭୦ଟଙ୍କା ପର୍ଯ୍ୟନ୍ତ ପଡ଼ୁଛି। ୧୦ ଘଣ୍ଟାରୁ ଅଧିକ ସମୟ ଏହି ଦୀପ ଜଳିବ। ଏକ ନମ୍ବର ହାଟରେ ଥିବା ଜଗା ପୂଜା ଭଣ୍ଡାରର ସରୋଜ କୁମାର ସ୍ବାଇଁ କୁହନ୍ତି ଓଡ଼ିଶାରେ ମାଟିଦୀପର ଚାହିଦା କମିବାରେ ଲାଗିଛି। ବର୍ତ୍ତମାନ ବିଭିନ୍ନ ଭେରାଇଟିର ଦୀପ ପାଇଁ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ୁଛି।

ଶଙ୍ଖ, ପଦ୍ମ, ହାତୀ, ଲଣ୍ଠନ ଦୀପ

ଦୀପରେ ରାଜନୈତିକ ଛୁଙ୍କ ଦେଖିବାକୁ ମିଳୁଛି। ସାଧାରଣ ଆକୃତିର ଦୀପର ଚାହିଦା କମୁଥିବା ବେଳେ କୁମ୍ଭକାର ଏଥିରେ ଆଧୁନିକତାର ଛାପ ଛାଡ଼ିବାକୁ ଚେଷ୍ଟା କରିଛି। ବିଭିନ୍ନ ରାଜନୈତିକ ଦଳର ଚିହ୍ନ ମୁତାବକ ଦୀପ ବଜାର‌ରେ ଉପଲବ୍ଧ ହେଉଛି। ଏହାରି ଭିତରେ ବିଭିନ୍ନ ପଶୁପକ୍ଷୀଙ୍କ ଆକୃତିର ମାଟିଦୀପ ଲୋକଙ୍କୁ ଆକୃଷ୍ଟ କରୁଛି। ହାତୀଦୀପ, ମୟୂର, ମୟୂରପୁଚ୍ଛ, ଘୋଡ଼ା, ଶଙ୍ଖ, ପଦ୍ମ, ଲଣ୍ଠନ ଦୀପର ଚାହିଦା ଢେର୍‌ଅଧିକ। ତେବେ ଏ ସବୁର ଦାମ୍‌୩୦ ଟଙ୍କାରୁ ଆରମ୍ଭ ହୋଇ ୪ଶହରୁ ସାଢ଼େ ୪ଶହ ଟଙ୍କା ପର୍ଯ୍ୟନ୍ତ ରହୁଛି। ଦୀପଷ୍ଟାଣ୍ଡର ମଧ୍ୟ ଚାହିଦା ରହିଛି। ଅନୁରୂପ ଭାବେ ଜଡ଼ାତେଲ ଲିଟର ପିଛା ୯୦ରୁ ୧୧୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।