ଭୁବନେଶ୍ବର: କଥାରେ ଅଛି ‘ଓଲ୍ଡ ଇଜ୍ ଗୋଲ୍ଡ୍’ ଅର୍ଥାତ ପୁରୁଣା ଜିନିଷର ମହତ୍ତ୍ବ ସବୁବେଳେ ରହିଛି। ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ମୃତ୍ତିକା ଟେରାକୋଟା ପ୍ରଦର୍ଶନୀ’ରେ ଏହାର ସ୍ପଷ୍ଟ ପ୍ରମାଣ ମିଳିଛି। କାଚ, ଚିନା ମାଟି ଓ ଫାଇବର୍ର ଅତ୍ୟାଧୁନିକ ଯୁଗରେ ମାଟି ପାତ୍ରର ଚାହିଦା ଯେ କେତେ ରହିଛି, ତାହା ନିଜେ ନ ଦେଖିଲେ ବିଶ୍ବାସ କରି ହେବନାହିଁ। ଆଧୁନିକତା ସହ ତାଳ ଦେଇ ଘରେ ସମସ୍ତେ ଷ୍ଟେନ୍ଲେସ୍ ଷ୍ଟିଲ୍, ନନ୍ଷ୍ଟିକ୍ କିଚେନ୍ ସେଟ୍କୁ ଆଦରି ପୁରୁଣା ପାରମ୍ପରିକ ମାଟି ପାତ୍ରକୁ ଭୁଲି ଯାଇଥିଲେ। କିନ୍ତୁ ଏବେ ଯୁଗ ପୁଣି ବଦଳିଛି ଓ ମାଟି ତଥା ମାଟିପାତ୍ରର ମହତ୍ତ୍ବ ଆଜିର ସ୍ବାସ୍ଥ୍ୟ ସଚେତନ ମଣିଷ ବୁଝିଛି। ସେଥିପାଇଁ ତ ମୃତ୍ତିକା ପ୍ରଦର୍ଶନୀରେ ବହୁଳ ମାତ୍ରାରେ ମାଟି ପାତ୍ର ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ମାଟି ହାଣ୍ଡି, କଡ଼େଇ, ତାୱା, ଜଗ୍ ଓ ବିଶେଷକରି ମାଟି ଦହି ହାଣ୍ଡିର ବେଶ୍ ଚାହିଦା ରହିଥିବା ଦେଖାଯାଉଛି।
୩ ଦିନରେ ସାଢ଼େ ୩ ଲକ୍ଷ ଟଙ୍କାର ବିକ୍ରି
ପ୍ରଥମ ଦିନ ପ୍ରଦର୍ଶନୀରେ ବିକ୍ରିବଟା ମାନ୍ଦା ଥିଲା। କିନ୍ତୁ ୩ ଦିନରେ ସାଢ଼େ ୩ ଲକ୍ଷ ଟଙ୍କାର କେବଳ ମାଟିପାତ୍ର ବିକ୍ରି ହୋଇଥିବା ବ୍ୟବସାୟୀମାନେ କହିଛନ୍ତି। ସୋନପୁର କୁହିଭାଲ୍ରୁ ଆସିଥିବା ବ୍ୟବସାୟୀ ଅଶାଡ଼ୁ ରଣା କହିଛନ୍ତି, ଗତ ୨୨ ବର୍ଷ ଧରି ଆମେ ମୃତ୍ତିକାକୁ ନେଇ ଏହି କୌଳିକ ବୃତ୍ତିରେ ଅଛୁ। ଆଗରୁ ମାଟି ପାତ୍ରର ଚାହିଦା ରହିଥିବା ବେଳେ ଗତ ୧୫ବର୍ଷ ହେଲା ଧୀରେଧୀରେ ଏହାକୁ ଆଉ ଲୋକେ ଖୋଜୁ ନଥିଲେ। ଗାଁ ଗହଳିରେ ବି ଏହାର ଚାହିଦା କମି ଯାଇଥିଲା। କିନ୍ତୁ ଗତ ୨/୩ବର୍ଷ ହେଲା ହଠାତ୍ ଏହାର ଚାହିଦା ବଢ଼ିଯାଇଛି। ବିଶେଷକରି ସହରାଞ୍ଚଳ ଲୋକ ଏହାକୁ ଅଧିକ ଖୋଜୁଛନ୍ତି। ଗତ ୨ବର୍ଷରେ ମାଟି ପାତ୍ରର ବ୍ୟବସାୟ ପ୍ରାୟ ୪୦% ବଢ଼ିଥିବା କଥା ସେ କହିଛନ୍ତି। ମାଟି ପାତ୍ରର ପାଣି ଦେହ ପାଇଁ ହିତକର ହୋଇଥିବା ବେଳେ ବିଭିନ୍ନ ପେଟରୋଗରୁ ମୁକ୍ତି ଦେବା, ମାଟି ହାଣ୍ଡିରେ ରୋଷେଇ କଲେ ଖାଦ୍ୟର ସ୍ବାଦ ଦ୍ବିଗୁଣିତ ହେବା ତଥା ବିଭିନ୍ନ ରସାୟନ ଆସ୍ତରଣ ଦିଆ ବାସନରୁ ହେଉଥିବା ବିଭିନ୍ନ ରୋଗରୁ ମୁକ୍ତି ପାଇବାକୁ ଲୋକ ମାଟି ପାତ୍ରକୁ ଖୋଜୁଛନ୍ତି। ପୁଣି ମାଟି ପାତ୍ର ଘରେ ସଜାଇବା ସମ୍ଭ୍ରାନ୍ତ ଶ୍ରେଣୀର ଏକ ସଉକରେ ପରିଣତ ହୋଇଛି। ବିଭିନ୍ନ ହୋଟେଲ ପକ୍ଷରୁ ମଧ୍ୟ ମାଟି ପାତ୍ର ତିଆରି କରିବାକୁ ଆମକୁ ବରାଦ୍ ଆସୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ଅଧିକ ଲୋକ ମାଟି ହାଣ୍ଡି ଓ ଦହି ହାଣ୍ଡି କିଣୁଛନ୍ତି। ମାତ୍ର ତିନି ଦିନରେ ସେ ୬୫ହଜାର ଟଙ୍କାର ବିକ୍ରିବଟା କରିଥିବା କହିଛନ୍ତି। ସେ ଦେଢ଼ ଲକ୍ଷ ଟଙ୍କାର ମାଟି ପାତ୍ର ଆଣିଥିବା ବେଳେ ଆହୁରି ନିଜ ଗାଁରୁ ମଗାଇଥିବା କହିଛନ୍ତି। ଖାଲି ଆଶାଡ଼ୁ ନୁହେଁ, ପ୍ରଦର୍ଶନୀରେ ମାଟିପାତ୍ର ବିକୁଥିବା ଅନ୍ୟ ବେପାରୀଙ୍କ ମତାମତ ବି ସେୟା ଥିଲା।
କୁମ୍ପି ବ୍ୟବସାୟ ବି ଜମୁଛି
ଡିଜିଟାଲ୍ ଯୁଗରେ ଏବେ ବି କୁମ୍ପିର ଚାହିଦା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା! କିନ୍ତୁ ମୃତ୍ତିକା ପ୍ରଦର୍ଶନୀ ଗଲେ ଏହାର ପ୍ରମାଣ ପାଇପାରିବେ। ସଞ୍ଚୟ ଶିଖାଇବା ପାଇଁ ୮୦/୯୦ ଦଶକରେ ପିଲାମାନଙ୍କୁ ଅଭିଭାବକମାନେ କୁମ୍ପି ଧରାଉଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ମାଟି କୁମ୍ପିର ସ୍ଥାନ ନେଇଥିଲା ପ୍ଲାଷ୍ଟିକ୍ ବା ଫ୍ୟାନ୍ସି କୁମ୍ପି। କିନ୍ତୁ ପ୍ରଦର୍ଶନୀ ପଡ଼ିଆରେ ଦେଖିବାକୁ ମିଳିଥିଲା ଭିନ୍ନ ଭିନ୍ନ ରକମର ରଙ୍ଗିନ କୁମ୍ପି। ଭ୍ୟାନିଟି କୁମ୍ପିଠାରୁ ଆରମ୍ଭ କରି କଖାରୁ, ବାଇଗଣ, ଗଣେଶ, ବୋଇତାଳୁ, ଲାଫିଙ୍ଗ ବୁଦ୍ଧ, ମୋଟୁ ପତ୍ଲୁ, ଲାଉ, ବେଙ୍ଗ, ବତକ ଓ ଘର କୁମ୍ପି ଆଦି ରକମ ରକମର କୁମ୍ପି ଏବେ ଛୁଆଙ୍କୁ ନିଜ ଆଡ଼କୁ ଟାଣୁଛି। କେନ୍ଦୁଝର ଆନନ୍ଦପୁରରୁ ଆସିଥିବା ନକୁଳ ରଣା କହିଛନ୍ତି, ଭିନ୍ନ ଭିନ୍ନ ରକମର କୁମ୍ପି କଲେ ଲୋକମାନେ କିଣୁଛନ୍ତି। ଆମେ ମୋଟ୍ ୪୦୦୦ ଟଙ୍କାର ୪୦ରୁ ଊର୍ଧ୍ବ ରକମର କୁମ୍ପି ଆଣିଥିଲୁ। ଏବେ ଆଉ ସେଥିରୁ ୪/୫ଟି ମାତ୍ର ରହିଛି। ଆଗରୁ କୁମ୍ପି ଅଧିକ ବିକ୍ରି ହେଉନଥିବାରୁ ଆମେ ଚଳିତ ବର୍ଷ ଅଳ୍ପ ଆଣିଥିଲୁ। କିନ୍ତୁ ମାତ୍ର ୪ ଦିନରେ ସବୁ ବିକ୍ରି ହୋଇଗଲାଣି ବୋଲି ନକୁଳ କହିଛନ୍ତି।