ରାମ ମନ୍ଦିର ଆଗରେ ଗଦା ହୋଇଛି ମାଟି, ପଥର

ମାସେ ହେଲା ଖୋଳା ହେଲାଣି, ସରୁନି, ଅସୁବିଧା ଭୋଗୁଛନ୍ତି ଭକ୍ତ

ଭୁବନେଶ୍ୱର : ମାସେ ହେଲା ଖୋଳା ହେଲାଣି। ଏଯାଏ କାମ ସରୁନାହିଁ। ମନ୍ଦିର ଆଗରେ ତଡ଼ା ଯାଇଛି ରାସ୍ତା। ଜମା ହୋଇଛି ପାହାଡ଼ ଭଳି ମାଟି ଓ ପଥର। ଏଥିସହ ପାଣି ପାଇପ୍‌ ରଖାଯାଇଛି। ଟିକେ ଅସାବଧାନ ହେଲେ ପଡ଼ି ଖଣ୍ଡିଆଖାବରା ହେବାର ଆଶଙ୍କା ରହିଛି। ଏ ହେଉଛି ଭୁବନେଶ୍ବରର ଅନ୍ୟତମ ପ୍ରମୁଖ ମନ୍ଦିର ରାମ ମନ୍ଦିର ସମ୍ମୁଖ ଦୃଶ୍ୟ।

କରୋନା ମହାମାରୀ ଜନିତ ଲାକ୍‌ଡାଉନ ଓ ସଟ୍‌ଡାଉନ ଜାରି ହୋଇଯିବା ପରେ ଦୀର୍ଘ ୯ ମାସ କାଳ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟ ସରକାର ଗତ ଜାନୁଆରୀ ୩ ତାରିଖରେ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ଅନୁମତି ଦେଇଥିଲେ। ହେଲେ ରାମ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ପାଇଁ ସମସ୍ୟା ସାଜିଛି ରାସ୍ତ‌ାଖୋଳା। ପାଣି ପାଇପ୍‌ ବିଛାଇବା ପାଇଁ ମନ୍ଦିର ସମ୍ମୁଖରେ ଖୋଳା ଯାଇଛି। ରାସ୍ତାକଡ଼ରେ ମାଟି, ଗୋଡ଼ି ଓ ପାଣି ପାଇପ୍‌ ଜମା ହୋଇ ରହିଛି। ମନ୍ଦିରର ମୁଖ୍ୟ ଫାଟକ ଅଳ୍ପ ସମୟ ପାଇଁ ଖୋଲା ରହୁଥିବା ବେଳେ ପାର୍ଶ୍ବ ଫାଟକ ଦେଇ ଭକ୍ତ ଯିବା ବେଳେ ହଇରାଣ ହରକତ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ କାମ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ଚାଲିଛି। ହେଲେ କାମ ଏଯାଏ ଶେଷ ହୋଇପାରିନାହିଁ। ଫଳରେ ମନ୍ଦିର ଆଗରେ ମାଟି, ବାଲି ଜମା ହୋଇରହିଛି। ଏହାଛଡ଼ା ଭକ୍ତ ଗାଡ଼ି ପାର୍କିଂ ପାଇଁ ସମସ୍ୟା ଭୋଗୁଛନ୍ତି।

ମନ୍ଦିର ପରିଚାଳକ ମହାବୀର ପ୍ରସାଦ ଶର୍ମାଙ୍କ କହିବାନୁସାରେ ଠିକାଦାରଙ୍କୁ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେବଳ ଦିନ ଗଡ଼େଇବା ଛଡା କାମରେ କୌଣସି ଅଗ୍ରଗତି ହେଇନାହିଁ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେ ତଦାରଖ କରିବେ ବୋଲି କହି ଚୁପ ବସି ପଡିଛନ୍ତି। ଭଦ୍ରକରୁ ଆସିଥିବା ଶ୍ରଦ୍ଧାଳୁ ଦୀପ୍ତିମୟୀ ଦାସ କହନ୍ତି, ବିପଦଶଙ୍କୁଳ ଅବସ୍ଥାରେ ଦର୍ଶନ କରିବାକୁ ଯିବାକୁ ପଡ଼ିଲା। ଏହା ସହ ବୟସ୍କ ବ୍ୟକ୍ତିମାନେ ଏହି ରାସ୍ତା ଦେଇ ଯିବା ସମ୍ଭବପର ନୁହେଁ। ସ୍ଥାନୀୟ ଦୋକାନୀ ହିମାଂଶୁ ମହାଳିକଙ୍କ କହିବନୁସାରେ ଏହି କାମ ଯୋଗୁଁ ଦୋକାନକୁ ଗ୍ରାହକମାନଙ୍କ ଆସିପାରୁ ନାହାନ୍ତି। ଏ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ବ୍ୟବସାୟୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର