ଭୁବନେଶ୍ୱର: ମୁଣ୍ଡଫଟା ଖରା ଅବା ଗୁଳୁଗୁଳି ହେଉ କି ଅନ୍ୟ ଦିନ, ବର୍ଷକ ୧୨ ମାସ ଲୋକଙ୍କୁ ମିଳିବ ବିଶୁଦ୍ଧ ଥଣ୍ଡପାନୀୟ ଜଳ। ଏଥିପାଇଁ ସରକାର ରାଜଧାନୀ ଭୁବନେଶ୍ବରର ୧୨୦ଟି ପ୍ରମୁଖ ଛକରେ ସୋଲାର ପାୱାର ୱାଟର୍ କିଓସ୍କ ବସାଇବାକୁ ଯୋଜନା କରିଥିଲେ। ବିଜୁଳି ବଦଳରେ ଅକ୍ଷୟ ଶକ୍ତିର ବିନିଯୋଗ କରି ଏହି ପ୍ରକଳ୍ପ ଚଲାଇବାକୁ ଯୋଜନା ହେଲା। ସେହି ଅନୁସାରେ ରାଜଧାନୀରେ ପ୍ରକଳ୍ପ ପାଇଁ ସ୍ଥାନ ଚିହ୍ନଟ ପରେ ଲକ୍ଷାଧିକ ଟଙ୍କାର ଦାମୀ ଫିଲ୍‌ଟର୍, ପାଣି ଟାଙ୍କି ଆଦି ବସିଲା। ସୋଲାର୍ ପ୍ୟାନେଲ୍ ବି ଲାଗିଲା। କିନ୍ତୁ ପିଇବା ପାଣିର ସଂଯୋଗ ଦିଆଗଲାନି। ସୋଲାର୍ ପାୱାରରେ କିଭଳି କିଓସ୍କ ଚାଲିବ, ତାର ବ୍ୟବସ୍ଥା କରାଗଲାନି। ଏଣୁ ଏଥିରୁ ପାଣି ଆସୁନି କି ଲୋକେ ଏହି ପ୍ରକଳ୍ପର ସୁଫଳ ପାଇପାରୁନାହାନ୍ତି। ଏହି ପ୍ରକଳ୍ପ କେବଳ ଲୋକ ଦେଖାଣିଆ ହୋଇ ରହିଯାଇଛି। ଅସଂପୂର୍ଣ୍ଣ ଅବସ୍ଥାରେ ପଡ଼ି ପଡ଼ି ଏଥିରେ କଳଙ୍କି ଧରିଲାଣି।

Advertisment

ଅକ୍ଷୟ ଶକ୍ତିରେ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳଯୋଗାଣ ପ୍ରହସନ
ରାଜଧାନୀର ପ୍ରମୁଖ ଛକରେ ବସିଥାନ୍ତା ୧୨୦ଟି ସୌରଶକ୍ତି ସଂପନ୍ନ ୱାଟର୍ କିଓସ୍କ

ଚଳିତବର୍ଷ ପହିଲାରେ ସରକାର ସୋଲାର୍ ପାୱାର ୱାଟର୍ କିଓସ୍କ ପ୍ରକଳ୍ପ ଘୋଷଣା କରିଥିଲେ। ଚଳିତବର୍ଷ ଖରାଦିନ ପୂର୍ବରୁ ରାଜଧାନୀର ୧୨୦ଟି ସ୍ଥାନରେ ୧୨୦ଟି ସୋଲାର୍‌ ଚାଳି ୱାଟର୍‌ କିଓସ୍କ ପ୍ରକଳ୍ପ ବସିବ ବୋଲି ଘୋଷଣା ହୋଇଥିଲା। ଭୁବନେଶ୍ବରର ପ୍ରମୁଖ ବସ୍‌ଷ୍ଟପ, ମାର୍କେଟ୍, ଆହାର କେନ୍ଦ୍ର, ଧାର୍ମିକ ଅନୁଷ୍ଠାନ ଭଳି ପ୍ରମୁଖ ଓ ଜନଗହଳିପୂର୍ଣ୍ଣ ସ୍ଥାନର ରାସ୍ତାକଡ଼ରେ ଏହି ପ୍ରକଳ୍ପ ବସାଇବାକୁ ଯୋଜନା ହୋଇଥିଲା।। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ଗ୍ରିନ୍ ସିଟି ମିସନ୍ ଓ ଓଡ଼ିଶା ରିନୁୱେବଲ୍ଏନର୍ଜି ଡେଭ୍‌ଲପମେଣ୍ଟ ଏଜେନ୍ସି(ଓରେଡା) ମିଳିତ ଭାବେ ଏହି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବା ଦାୟିତ୍ବ ନେଇଥିଲେ। ଓରେଡା ସୋଲାର୍ ପାୱାର ୱାଟର୍ କିଓସ୍କ ଓ ଏଥିପାଇଁ ଆବଶ୍ୟକ ଫିଲ୍ଟର୍, ସୋଲାର୍ ପ୍ୟାନେଲ୍ ସହ ଅନ୍ୟାନ୍ୟ ଯନ୍ତ୍ରାଂଶ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଏ ବାବଦ ସମସ୍ତ ଖର୍ଚ୍ଚ ଦାୟିତ୍ବ ନେଇଥିଲା। ସୋଲାର୍ ୱାଟର୍ କିଓସ୍କ ବସିବା ପରେ ବିଏମ୍‌ସି ଏହି ପ୍ରକଳ୍ପର ପରିଚାଳନା କରିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଘୋଷଣାକୁ ୧୦ ମାସ ପୂରିବାକୁ ବସିଲାଣି, କିନ୍ତୁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇପାରିନି।

ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ସ୍ଥାନରେ ପ୍ରକଳ୍ପ କାମ ଆରମ୍ଭ ହେଲା। ଯେଉଁଥିରେ କ୍ୟାପିଟାଲ୍ ହସ୍ପିଟାଲ ଆହାର କେନ୍ଦ୍ର, ଓୟୁଏଟି ଛାତ୍ରାବାସ, ଡୁମୁଡୁମା ପାଲାମଣ୍ଡପ, ସମ୍ ହସ୍ପିଟାଲ୍ ଆହାର କେନ୍ଦ୍ର, ନୟାପଲ୍ଲୀ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୩୭ ନମ୍ବର ୱାର୍ଡ ଅନ୍ତର୍ଗତ କସ୍ତୁରବା ଖେଳ ପଡ଼ିଆ, ଡମଣା ଛକ ମୋ ବସ୍ ବେ, ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ସମ୍ମୁଖ, କଲ୍ୟାଣୀ ମାର୍କେଟ୍, କୋଳଥିଆ ଲକ୍ଷ୍ମୀମଣ୍ଡପରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ବାକି ୧୦୮ ଜାଗାରେ ଏହି ପ୍ରକଳ୍ପ କରିବାକୁ ଯୋଜନା ଥିଲା। ଏଥିପାଇଁ ସ୍ଥାନ ଚିହ୍ନଟ ବି ସରିଥିଲା। ଖରା ପୂର୍ବରୁ କାମ ସାରି ଲୋକଙ୍କୁ ବିଶୁଦ୍ଧ ଓ ଥଣ୍ଡା ପିଇବା ପାଣି ଯୋଗାଣର ଲକ୍ଷ୍ୟ ଥିଲା। କିନ୍ତୁ କିଛି ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ବାକି ଚିହ୍ନଟ ଜାଗାରେ ଜମାରୁ ଆରମ୍ଭ ହୋଇନି। କଳ୍ପନା ଛକ ବସ୍ ରହଣୀ ସ୍ଥାନରେ ଖରା ପୂର୍ବରୁ ଏହି କିଓସ୍କ ବସିଲାଣି। ମେସିନ୍ ଅଛି, ଷ୍ଟିଲ୍ ପାଣି ଟାଙ୍କି ଅଛି, କିନ୍ତୁ ପାଣି ଆସୁନି। ଖବର ପ୍ରକାଶ ପରେ ଏଥିରେ ସୋଲାର୍ ପ୍ୟାନେଲ୍ ଲାଗିଲା, କିନ୍ତୁ ପାଣି ସଂଯୋଗ ଦିଆଗଲାନି। ଫଳରେ ସବୁ ଭିତ୍ତିଭୂମି ଥାଇ ବି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ସମାନ ସ୍ଥିତି ଅନ୍ୟ ପ୍ରକଳ୍ପଗୁଡ଼ିକର।। ପ୍ରକଳ୍ପ ଘୋଷଣା ପରେ ଯେହେତୁ କେହି ଏହାର ସ୍ଥିତି କେହି ପରଖୁନାହାନ୍ତି, ଏହି ମହତ୍ବକାଂକ୍ଷୀ ପ୍ରକଳ୍ପ ପୂର୍ଣ୍ଣରୂପ ନେଇପାରୁନି ବୋଲି ଅଭିଯୋଗ ହୋଇଛି।