ସରକାରୀ କାର୍ଯ୍ୟାଳୟରେ ଏମିତି ସ୍ୱଚ୍ଛତା

ଭୁବନେଶ୍ୱର: ସ୍ୱଚ୍ଛତାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଏକ ଅଭିଯାନ ଆରମ୍ଭ ହୋଇଛି। ନିଜ ପାରିପାର୍ଶ୍ୱିକ ପରିବେଶ ସ୍ୱଚ୍ଛ ରହିଲେ କାମ ଉପରେ ତାହାର ସକାରାତ୍ମକ ପ୍ରଭାବ ପଡ଼େ ବୋଲି କୁହାଯାଉଛି। ସ୍ୱଚ୍ଛତାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସହର ମଧ୍ୟରେ ପ୍ରତିଯୋଗିତା କରାଯାଉଛି। ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ଏକ ନମ୍ବର ସ୍ଥାନରେ ଥିଲା ବେଳେ ସ୍ୱଚ୍ଛତାରେ ପଛରେ ପଡ଼ିଯାଇଛି। ଏଥି ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ବିଭିନ୍ନ ବାହାନା ଦେଖାଉଥିଲେ ବି ସ୍ୱଚ୍ଛତା ନେଇ ଆମେ ଯେ ସଚେତନ ହୋଇନୁ, ତାହା ବିଭିନ୍ନ ସମୟରେ ଧରା ପଡ଼ିଯାଉଛି। ବ୍ୟକ୍ତିଗତ ସ୍ତରରେ ନାଗରିକମାନେ ଏ ନେଇ କେତେ ସଚେତନ ଅଛନ୍ତି, ତାହା ଭିନ୍ନ କଥା। ଖୋଦ୍‌ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉ ନାହିଁ। ରାଜ୍ୟ ପ୍ରଶାସନର ସର୍ବୋଚ୍ଚ କେନ୍ଦ୍ର ହେଲା ରାଜ୍ୟ ସଚିବାଳୟ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ସଚିବ ସମସ୍ତେ ଏହିଠାରୁ ହିଁ ଶାସନ ଓ ପ୍ରଶାସନର ମଙ୍ଗ ଧରିଛନ୍ତି। କିନ୍ତୁ ସ୍ୱଚ୍ଛତାର ମାପକାଠିରେ ସଚିବାଳୟର ସ୍ଥାନ ବହୁ ପଛରେ ପଡ଼ିଯିବ। ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରୁଥିବା ଏହି କୋଠାଟି ବାହାରୁ ଯେତେ ସୁନ୍ଦର ଦେଖାଯାଉଛି, ଭିତରେ ଠିକ୍‌ ଓଲଟା। ସଚିବାଳୟ ଭିତରେ ଥିବା ମୁଖ୍ୟ ରାସ୍ତା ଗୁଡିକ ପୂରା ଚକାଚକ୍‌। କିନ୍ତୁ ଏହାର ପରିସରରେ ବିଭିନ୍ନ ସ୍ଥାନ ଦେଖିଲେ ତାହା ଆବର୍ଜନା ଗଦା ପରି ଦେଖାଯିବ। କେଉଁଠି ଭଙ୍ଗା ଚେୟାର, ଟେବୁଲ୍‌ ମାସ ମାସ ଧରି ଗଦା ହୋଇଛି ତ କେଉଁଠି ଅବ୍ୟବହୃତ ନିର୍ମାଣ ସାମଗ୍ରୀ ପଡ଼ି ରହିଛି। କିଛି ସ୍ଥାନରେ ଆବର୍ଜନା ଆଦୌ ଉଠୁ ନାହିଁ। ସହରକୁ ସ୍ୱଚ୍ଛ ରଖିବା ପାଇଁ ନେତୃତ୍ୱ ନେଇଛି ବିଏମ୍‌ସି। ସହର କିପରି ସ୍ୱଚ୍ଛ ରହିବ, ସେଥି ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଉଛି ଏହି କାର୍ଯ୍ୟାଳୟରୁ। କିନ୍ତୁ ବିଏମ୍‌ସି କାର୍ଯ୍ୟାଳୟ ପରିସରକୁ ପଶିଗଲେ, ଏଠାରେ ସ୍ୱଚ୍ଛତାର କୌଣସି ପ୍ରଭାବ ପଡ଼ିନି ତାହା ସହଜରେ ଅନୁମାନ କରିହେବ। କାର୍ଯ୍ୟାଳୟ ପରିସରରେ କେଉଁଠି ଦଳୀୟ ପତାକା ଗଦା ହୋଇଛି ତ କେଉଁଠି ଖତ ଖାଉଥିବା କିଛି ଗାଡ଼ି ପଡ଼ି ରହିଛି। ଗାଡି ପାର୍କିଂ ହେଉଥିବା ସ୍ଥାନରେ ଗଛ, ପତ୍ର ଓ ପଚା ପଣି ଜମି ରହିଛି। ରାଜ୍ୟ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ହେଉଛି ନ’ତାଲା। କିନ୍ତୁ ଏହାର ପରିସରକୁ ସଫାସୁତୁରା ରଖିବାର ସର୍ବନିମ୍ନ ଦାୟିତ୍ୱକୁ କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି। ଏହାର ପରିସର ଏତେ ଅପରିଷ୍କାର ରହୁଛି ଯେ ଏଠାକୁ ଆସୁଥିବା ଲୋକମାନେ ଭୁବନେଶ୍ୱର ପ୍ରତି ଏକ ନକରାତ୍ମକ ଭାବନା ନେଇ ଯିବା ନିଶ୍ଚିତ।  ସେହିପରି ଭୁବନେଶ୍ୱର ଆର୍‌ଟିଓ ପରିସରରେ ମଧ୍ୟ ବିଭିନ୍ନ ସ୍ଥାନରେ ଦୀର୍ଘମାସ ହେଲା ଆବର୍ଜନା ଗଦେଇ ହୋଇ ରହିଥିବାରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।

ରିପୋର୍ଟ: ସସ୍ମିତା ମଲ୍ଲ, ଫଟୋ: ପ୍ରଭାତ

ସମ୍ବନ୍ଧିତ ଖବର