ପୁରୁଣା ଭୁବନେଶ୍ୱର: ଜାଗର ପରେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ରାସ୍ତାରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ଓ ସଚେତନତା କରାଯାଇଥିଲା। ବିନ୍ଦୁସାଗର ଚତୁଃପାର୍ଶ୍ବ, ରଥଖଳାରୁ ମାଉସୀ ମା’ ଛକ ଏବଂ ଜ୍ଞାନୀ ଜୈଲ ସିଂ ରାସ୍ତାକୁ ୫ଭାଗରେ ବିଭକ୍ତ କରାଯାଇ ସଫେଇ କରାଯାଇଥିଲା। ଏଥିରେ ସାମିଲ ଅଧିକାରୀ ରୋଡ୍ର ଥିବା ଦୋକାନୀ ଓ ପରିବାରକୁ ଯାଇ ‘ମୁଁ ସଫେଇ ବାଲା’ କାର୍ଯ୍ୟକ୍ରମର ମହତ୍ତ୍ୱ ବୁଝାଇଥିଲେ। ଡଷ୍ଟବିନ୍ରେ ଘରର ଅଳିଆ ରଖିବା ଏବଂ ବାହାରେ ନ ଫିଙ୍ଗିବା, ପଲିଥିନ୍ ବ୍ୟବହାର ନ କରିବା, ଘରର ଚର୍ତୁଃପାର୍ଶ୍ବକୁ ପରିଷ୍କାର ରଖିବାରେ ସହଯୋଗ କରିବା ଏବଂ ସର୍ବସାଧାରଣ ସ୍ଥାନରେ ନିର୍ମାଣ ଏବଂ ଭଗ୍ନାବଶେଷ ସାମଗ୍ରୀ ନ ପକାଇବା ପାଇଁ ଅନୁରୋଧ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସିନେ ତାରକା ଅର୍ଚ୍ଚିତା ସାହୁ, ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ, ଖେର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଯୋଗଦେଇ ପଦଯାତ୍ରା ଓ ସଫେଇ ମାଧ୍ୟମରେ ରଥଖଳାଠାରୁ ଆରମ୍ଭ କରି ରଥ ରୋଡ୍ ଏବଂ ମାଉସୀମା ପର୍ଯ୍ୟନ୍ତ ଯାଇଥିଲେ। ବିଏମ୍ସି ଅତିରିକ୍ତ କମିସର ଅବନୀକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ, ବିଡିଏ ଏବଂ ସ୍ମାର୍ଟ ସିଟିର ବିଭିନ୍ନ କର୍ମକର୍ତ୍ତା, ପୂର୍ବତନ କର୍ପୋରେଟର, ଛାତ୍ରଛାତ୍ରୀ, ସ୍କାଉଡ୍ ଆଣ୍ଡ ଗାଇଡ୍, ବରିଷ୍ଠ ନାଗରିକ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନ, ପରିମଳ ସଂସ୍ଥା ଏବଂ ରାଜଧାନୀର ବିଭିନ୍ନ ବ୍ୟାଙ୍କର କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ବିଏମ୍ସି କମିସନର ଶ୍ରୀ ଚୌଧରୀ କହିଥିଲେ, ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧ହଜାର ନାଗରିକ ଯଦି ପଲିଥିନ୍ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ କିଛି ପରିମାଣରେ ଭୁବନେଶ୍ୱରରୁ ପଲିଥିନ୍ର ଭାର କମି ପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ଘର ସମ୍ମୁଖରେ ପକାଗଲା ଭଗ୍ନାବଶେଷ ମାଟି:
ରଥଦାଣ୍ଡର ତିନି ମୁଣ୍ଡିଆ ଛକଠାରେ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଟିମ୍ ପହଞ୍ଚିବା ବେଳକୁ ସେଠାରେ କିଛି ଶ୍ରମିକ ଜଣେ ମାଲିକର ପୁରୁଣା ଘରର ଭଗ୍ନାବଶେଷ ମାଟି ଆଣି ରାସ୍ତାରେ ପକାଉଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ବିଏମ୍ସି କମିସନର ପହଞ୍ଚି ଏହା ଦେଖିବା ସହ ସମ୍ପୃକ୍ତ ଘରର ମାଲିକ ସହ ଆଲୋଚନା ପାଇଁ ଡାକିଥିଲେ। ତେବେ ଉକ୍ତ ଘରର ମାଲିକ ବହୁ ସମୟ ଧରି ନଆସିବାରୁ ବିଏମ୍ସି ପକ୍ଷରୁ ସେହି ମାଟିକୁ ପୁନର୍ବାର ଘର ପରିସର ମଧ୍ୟରେ ପକାଯାଇଥିଲା। ସୂଚନାଯୋଗ୍ୟ, ଘରର ଆବର୍ଜନା ପକାଇବା ପାଇଁ ବିଏମ୍ସି ପକ୍ଷରୁ ଅନୁମତି ନିଆଯାଇଥାଏ। ଏଥିପାଇଁ ନିର୍ଦ୍ଧାରିତ ଟଙ୍କା ଜମା କଲେ ବିଏମ୍ସି ଆବର୍ଜନାକୁ ଉଠାଇ ନେଇଥାଏ। ମାତ୍ର ସଂପୃକ୍ତ ଘର ମାଲିକ ବିଏମ୍ସିକୁ ନଜଣାଇ ରାସ୍ତାରେ ଆବର୍ଜନା ପକାଉଥିବା ବେଳେ ଅଧିକାରୀଙ୍କ ନଜର ପଡ଼ିଥିଲା।
ନଳାରୁ ପଙ୍କ କାଢ଼ିଲେ ପୂର୍ବତନ କର୍ପୋରେଟର:
ରଥଦାଣ୍ଡରୁ ଶୀତଳଷଷ୍ଠୀ ରାସ୍ତାକୁ ଯାଇଥିବା ରାସ୍ତାରେ ସ୍ବେରେଜ୍ ଲାଇନ୍ ନଥିବା ବେଳେ ଡ୍ରେନ୍ ଉପରକୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା। ସେଠାରେ ରହୁଥିବା ବାସିନ୍ଦା ଘର ସମ୍ମୁଖ ଡ୍ରେନ୍କୁ ସମ୍ପୂର୍ଣ୍ଣ ବନ୍ଦ କରିଥିବାରୁ ଡ୍ରେନ୍ରୁ ପଙ୍କ ବାହାରି ପାରୁନଥିଲା। ଯାହା ଫଳରେ ଡ୍ରେନ୍ ପାଣି ବିଭିନ୍ନ ଲୋକଙ୍କ ଘରକୁ ଓଲଟା ଯାଉଥିଲା। ପୂର୍ବତନ କର୍ପୋରେଟର ନୃପେଶ ନାୟକ ସେଠାରେ ପହଞ୍ଚି ମେସନ୍ ସାହାଯ୍ୟରେ ଲୁହା ଡ୍ରେନ୍ ଉପର କାଟି ସେଥିରୁ ପଙ୍କ ବାହାର କରିଥିଲେ।
ଜମେଶ୍ବର ରାସ୍ତାକୁ ଯିବାକୁ ଭୟ କଲେ:
ଲିଙ୍ଗରାଜ ମନ୍ଦିରରୁ ନବୀନ ନିବାସ ଆଡ଼କୁ ଯାଇଥିବା ରାସ୍ତାରେ ରହିଛି ଜମେଶ୍ବର ରାସ୍ତା। ତେବେ ଏହି ରାସ୍ତାରେ ବଡ଼ ବଡ଼ ଖାଲ, ଡ୍ରେନ୍ ପୋତି ହୋଇ ରହିଥିବା ସହ ଖୁଣ୍ଟରେ ଷ୍ଟ୍ରିଟ୍ ଲାଇଟ୍ ନାହିଁ। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ମହାଶିବରାତ୍ରି ପୂର୍ବରୁ ଏହି ସମସ୍ୟା ସୁଧୁରି ପାରିଲା ନାହିଁ। ତେବେ ଏହି ସମସ୍ୟା ଯୋଗୁଁ ବିଏମ୍ସି ଓ ବିଡିଏ ପକ୍ଷରୁ ସଫେଇବାଲା କାର୍ଯ୍ୟକ୍ରମ ଏହି ରାସ୍ତାରେ ହେଲା ନାହିଁ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଛି।