କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଧାରଣା: ଦିନ ଦୁଇଟା ପର୍ଯ୍ୟନ୍ତ ପଡ଼ି ରହିଲା ଆବର୍ଜନା

ଭୁବନେଶ୍ବର: ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀମାନେ ଆଜି ସକାଳୁ ହସ୍ପିଟାଲ ପରିସରରେ ଧାରଣାରେ ବସିଥିଲେ। ଫଳ‌ରେ ଆଜି ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ହସ୍ପିଟାଲର ପରିସରରେ ଅଳିଆ ଆବର୍ଜନା ସଫା ନ ହୋଇ ସେମିତି ପଡ଼ି ରହିଥିଲା। ୱାର୍ଡ ମଧ୍ୟରେ ଥିବା ଡ‌ଷ୍ଟବିନ୍‌ଗୁଡ଼ିକ ପୂରି ଯାଇଥିଲା। ଚଟାଣ ପୋଛା‌ ନଯିବାରୁ ରୋଗୀମା‌ନେ ଅପରିଷ୍କାର ଓ ଅସ୍ବ‌ାସ୍ଥ୍ୟକର ପରିବେଶରେ ପଡ଼ି ରହିଥିଲେ। ଏନେଇ ରୋଗୀଙ୍କ ସମ୍ପର୍କୀୟମ‌‌ାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କର୍ମଚାରୀମାନେ ଆନ୍ଦୋଳନରୁ ଉଠିବା ପରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା।

ସୂଚନ‌‌‌ା ଅନୁସା‌ରେ, ହସ୍ପିଟାଲରେ କାମ କରୁ୍ଥିବା ସଫେଇ କର୍ମଚାରୀମାନେ ହସ୍ପିଟାଲ ପଛ ବସ୍ତିରେ ରହୁଥିଲେ। ପିଜିଆଇ ପାଇଁ କ୍ୟାପିଟାଲ ହସ୍ପିଟାଲ ଚାରିପଟୁ ବସ୍ତି ଉଚ୍ଛେଦ କରାଯାଉଥିବା ବେ‌ଳେ ସେମାନଙ୍କ ପାଇଁ ହସ୍ପିଟାଲଠାରୁ ବହୁ ଦୂରରେ ଭରତପୁର ଅଞ୍ଚଳରେ ଘର ଯୋଗାଇ ଦିଆଯାଇଛି। ଏହାକୁ ବିରୋଧ କରି ହସ୍ପିଟାଲ ନିକଟରେ ସେମାନଙ୍କୁ ଘର ଯୋଗାଇ ଦେବାକୁ ଦାବି କରିଥିଲେ। ପରେ ସଫେଇ କର୍ମଚାରୀମାନଙ୍କ ସହ ଟେଣ୍ଡର୍‌ ନେଇଥିବା କମ୍ପାନି କର୍ମଚାରୀମାନେ ଆଲୋଚନା କରି ସେମାନଙ୍କ ପାଇଁ ଯିବା ଆସିବା ସୁବିଧା ସହ କାର୍ଯ୍ୟରେ ଯୋଗଦେବାର ସମୟ ନିର୍ଦ୍ଧାରଣ କରାଯିବା ପରେ ସଫେଇ କର୍ମଚାରୀମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର