ଆନ୍ଦୋଳନରେ ସଫେଇ କର୍ମଚାରୀ : ଘର, ବାହାରେ ଅଳିଆର ପାହାଡ଼

ଚନ୍ଦ୍ରଶେଖରପୁର ଅଞ୍ଚଳର ୬ ୱାର୍ଡରୁ ଅଳିଆ ଉଠୁନି, ପୂରା ରାଜଧାନୀରେ ବନ୍ଦ ହେବ

ଭୁବନେଶ୍ବର : ଯାହା ଆଶଙ୍କା କରାଯାଉଥିଲା ତାହା ହେଲା। ସଫେଇ କର୍ମଚାରୀମାନେ ବର୍ଦ୍ଧିତ ମଜୁରି ଦାବିରେ କାମ ବନ୍ଦ କରିଦେଲେ। ଦୁଇ ଦିନ ହେଲା, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଅଳିଆ ଉଠୁନି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଏନେଇ ନିଘା ନାହିଁ। ଏହି ଅଞ୍ଚଳରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଘରେ ଅଳିଆ ଡଷ୍ଟବିନ୍ ଧରି ବସିଥିଲେ ହେଁ ସଫେଇ କର୍ମଚାରୀ ଅଳିଆ ସଂଗ୍ରହ କରୁନାହାନ୍ତି କି ବାହାରେ ଥିବା ଡଷ୍ଟବିନ୍‌ରୁ ଅଳିଆ ଉଠାଉନାହାନ୍ତି। ଏବେ ଲୋକଙ୍କ ଘର ଗନ୍ଧାଉଥିବା ବେଳେ ଆଉ ଦିନେ ଦୁଇ ଦିନ ପରେ ପୂରା ଚନ୍ଦ୍ରଶେଖରପୁର ଅଞ୍ଚଳ ଗନ୍ଧେଇବ। କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳ ନୁହେଁ, ଆଉ ପୂରା ରାଜଧାନୀରେ ସଫେଇ ବ୍ୟବସ୍ଥା ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି।

ବିଏମ୍‌ସି ଅଞ୍ଚଳରେ ସଫେଇ କରୁଥିବା ସଫେଇ କର୍ମଚାରୀମାନେ ଭୁବନେଶ୍ବର ଅସ୍ଥାୟୀ ସଫେଇ କର୍ମଚାରୀ ସଂଘ ମାଧ୍ୟମରେ ତିନି ସଫେଇ ସଂସ୍ଥା ଜାଗୃତି, ରାମ୍‌କି ଓ ପିଏମ୍‌ଆର୍‌କୁ ଫେବ୍ରୁଆରି ୧ରେ ଜଣାଇଥିଲେ ଯେ ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ସରକାରଙ୍କ ଧାର୍ଯ୍ୟ ଅନୁଯାୟୀ ମଜୁରି ନଦେଲେ କାମ ବନ୍ଦ କରିବେ। ସଫେଇ ସଂସ୍ଥା ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଏସ୍କାଲେସନ୍‌ ଫି’ ବଢ଼ାଇବାକୁ ଦାବି ରଖିଥିଲେ। ସର୍ତ୍ତ ଅନୁଯାୟୀ, ଏସ୍କାଲେସନ୍ ଫି’ ବଢ଼ିଲେ ମଜୁରି ବଢ଼ିବାର ଥିବାରୁ ବିନା ଏସ୍କାଲେସନ୍ ଫି’ ବୃଦ୍ଧିରେ ଆଉ କର୍ମଚାରୀଙ୍କ ମଜୁରି ବଢ଼ାଇ ହେବନି ବୋଲି ସଫେଇ ସଂସ୍ଥା ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କହିଥିଲେ। ହେଲେ ଲୋକଙ୍କ ଘର ଗନ୍ଧାଉ କି ସାରା ରାଜଧାନୀ ଆବର୍ଜନାମୟ ହୋଇଯାଉ, ସେଥିପ୍ରତି ଯେପରି ବିଏମ୍‌ସି କର୍ତ୍ତୃପକ୍ଷଙ୍କର ନିଘା ନାହିଁ। ଦୁଇ ଦିନ ହେଲା ଚନ୍ଦ୍ରଶେଖରପୁର ଅଞ୍ଚଳରେ ୱାର୍ଡ ୧, ୬, ୭, ୮, ୧୩ ଓ ୧୪ର କର୍ମଚାରୀମାନେ ଅଳିଆ ଉଠାଉ ନଥିବା ବେଳେ ଏହାର ସମାଧାନ ନେଇ ବିଏମ୍‌ସି କର୍ତ୍ତୃପକ୍ଷ କିଛି ବାଟ ବାହାର କରିନାହାନ୍ତି। ଏପରିକି ଏହି ଅଞ୍ଚଳରେ ସଫେଇ ଦାୟିତ୍ବରେ ଥିବା ରାମ୍‌କିର କର୍ତ୍ତୃପକ୍ଷଙ୍କୁ ଡାକି ବି ଆଲୋଚନା କରିନାହାନ୍ତି। ଏଥିରୁ ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀର ପରିମଳ ବ୍ୟବସ୍ଥା ନେଇ କେତେ ତତ୍ପର, ତାହା ଅନୁମେୟ। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କମିସନର ଏବେ ଛୁଟିରେ ଅଛନ୍ତି। କମିସନର ଆସିଲେ ନିଷ୍ପତ୍ତି ନେବେ। ସଫେଇ ସଂସ୍ଥାଙ୍କର ଏସ୍କାଲେସନ୍‌ ଫି’ ବଢ଼ାଇବା ନିଷ୍ପତ୍ତି କେବଳ କମିସନର ଓ ବିଏମ୍‌ସି ପ୍ରଶାସକଙ୍କର ଅଛି। ତେଣୁ ସେମାନେ ହିଁ ଯାହା ନିଷ୍ପତ୍ତି ନେବେ। ଆମେ କିଛି କରିପାରିବୁନି।

ଚନ୍ଦ୍ରଶେଖରପୁର ଅଞ୍ଚଳର ବାସିନ୍ଦାଙ୍କ ଅଭିଯୋଗ ଯେ ଦୁଇ ଦିନ ହେଲା ଅଳିଆ ଉଠୁନଥିବାରୁ ବହୁ ‌ଲୋକ ଡଷ୍ଟବିନ୍ ଆବର୍ଜନା ରାସ୍ତାରେ ଗଦାଇ ଦେଇଛନ୍ତି। ଫଳରେ ଚାରିଆଡ଼େ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଲାଣି। ରାସ୍ତାରେ ଆବର୍ଜନା ପଡ଼ିଲେ ଚଳନ୍ତା, ହେଲେ ଏହି ଆବର୍ଜନାରୁ କାଗଜ, ଜରି ଓ ଶୁଖିଲା ଖାଦ୍ୟ ଆଦି ପବନରେ ଉଡ଼ି ଆସି ଘରେ ପଶୁଛି। ବିଏମ୍‌ସିର ଟୋଲ୍‌-ଫ୍ରି ନମ୍ବରରେ ଅଭିଯୋଗ କଲେ ବି କିଛି ସମାଧାନ ହେଉନି। ବିଏମ୍‌ସି କର୍ତ୍ତୃପକ୍ଷ ଭୁବନେଶ୍ବରକୁ ସବୁଜ ସୁନ୍ଦର କରୁଛନ୍ତି ନା ଆବର୍ଜନାମୟ କରୁଛନ୍ତି, ଆମେ ଜାଣିପାରୁନୁ। ପୂର୍ବରୁ ଜାନୁଆରି ୨୭‌ରୁ ସଫେଇ କର୍ମଚାରୀମାନେ ସଫେଇ ବନ୍ଦ କରିବା‌କୁ ଧମକ ଦେଇଥିଲେ। ସେତେବେଳେ ସ୍ବଚ୍ଛ ସର୍ବେକ୍ଷଣ ଚାଲୁଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ତିନି ସଫେଇ ସଂସ୍ଥା ମା‌ଧ୍ୟମରେ ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମିଛ ପ୍ରତିଶ୍ରୁତିକୁ ବିଶ୍ବାସ କରି ସଫେଇ ସଂସ୍ଥା କର୍ମଚାରୀଙ୍କୁ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ସମୟ ଦେଇଥିଲେ ହେଁ ଏବେ ବିଏମ୍‌ସି କର୍ତ୍ତୃପକ୍ଷ ଧରାଛୁଆଁ ଦେଉ ନଥିବାରୁ ସଫେଇ ସଂସ୍ଥାଗୁଡ଼ିକ ଫସି ଯାଇଛନ୍ତି। କର୍ମଚାରୀଙ୍କୁ ଆଉ ପ୍ରତିଶ୍ରୁତି ଦେଇପାରୁନାହାନ୍ତି କି ରାସ୍ତାରୁ ଅଳିଆ ଉଠାଇ ପାରୁନାହାନ୍ତି।

ସୂଚନାଯୋଗ୍ୟ, ସଫେଇ କର୍ମଚାରୀମାନେ ଦିନକୁ ୨୯୮ ଟଙ୍କା ହିସାବରେ ମଜୁରି ନ ମିଳିଲେ ସଫେଇ କରିବେନି ବୋଲି କହୁଛନ୍ତି। ଏପଟେ ସଫେଇ ସଂସ୍ଥା କହୁଛନ୍ତି ବିଏମ୍‌ସି ଆମର ଏସ୍କାଲେସନ୍ ଫି’ ବଢ଼ାଉନି। ଆମେ ସଫେଇ କର୍ମଚାରୀଙ୍କୁ ୨୭୦ଟଙ୍କା (୨୨୪ଟଙ୍କା ନଗଦ ବାଦ୍ ଇପିଏଫ୍‌ ଓ ଇଏସ୍‌ଆଇକୁ ମିଶାଇ) ଦେଉଛୁ। ରାଜ୍ୟ ସରକାର ପ୍ରତିବର୍ଷ ଶ୍ରମିକଙ୍କ ମଜୁରି ବଢ଼ାଉଥିବାରୁ ସଫେଇ କର୍ମଚାରୀ ପ୍ରତିବର୍ଷ ମଜୁରି ବଢ଼ାଇବାକୁ ଦାବି କରୁଛନ୍ତି। ବିଏମ୍‌ସି ଆମକୁ ୧୫୦ ଟଙ୍କା ହିସାବରେ ମଜୁରି ଦେଉଥିବା ବେଳେ ଆମେ ସଫେଇ କର୍ମଚାରୀଙ୍କୁ ୨୭୦ ଟଙ୍କା ଦେଉଛୁ। ଏମିତିରେ ଆ‌େମ ଜଣଙ୍କ ପିଛା ୧୨୦ ଟଙ୍କା ଅଧିକ ଦେଉଛୁ। ଏବେ ବିଏମ୍‌ସି ଆମର ଏସ୍କାଲେସନ୍ ଫି ବଢ଼ାଉ ନ ଥିବାରୁ ଆମେ ଆଉ ମଜୁରି ବଢ଼ାଇ ପାରିବୁନି। ବିଏମ୍‌ସି ଏକ ଟନ୍ ଆବର୍ଜନା ଉଠାଇବା ପାଇଁ ୩୪୦୦ ଟଙ୍କା ଦେଲେ ‌ହିଁ ଆମେ ଶ୍ରମିକଙ୍କ ମଜୁରି ବଢ଼ାଇବୁ ବୋଲି ସଫେଇ ସଂସ୍ଥା କହିଛନ୍ତି।

ସମ୍ବନ୍ଧିତ ଖବର