ଜଟଣୀ: ଜଟଣୀ ପୌରପାଳିକା ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ବିଭିନ୍ନ ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏହି ଠିକା ସଂସ୍ଥାମାନେ ଅନେକ ସମୟରେ ବିଭିନ୍ନ କାରସାଦି କରି କର୍ମଚାରୀଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏହା ମଧ୍ୟରେ ବିଭିନ୍ନ ୱାର୍ଡରେ ରାସ୍ତାଘାଟ ସଫେଇ କାର୍ଯ୍ୟ ହେଉଛି ଅନ୍ୟତମ। ସଫେଇ କାର୍ଯ୍ୟ ପାଇଁ ଏଲ୍ ଆଣ୍ଡ୍ କେ ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ହେଲେ ଏହି ସଂସ୍ଥା ଦ୍ବାରା ହେଉଥିବା କାମରେ ଅନେକ ତ୍ରୁଟି ରହୁଥିବା ଅଭିଯୋଗ ହେଉଛି। ସଫେଇ କର୍ମଚାରୀଙ୍କୁ ଯେଉଁ ମୌଳିକ ସୁବିଧା ମିଳିବା କଥା, ତାହା ଠିକ୍ ଭାବେ ମିଳୁ ନ ଥିବା ଅଭିଯୋଗ ହୋଇଆସୁଛି। ସଫେଇ କର୍ମଚାରୀଙ୍କ ମୌଳିକ ସୁବଧା ପାଇଁ ଆବଶ୍ୟକ ଉପକରଣ ନଦେଇ ସଂସ୍ଥା ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ହୋଇଛି।
ଜଟଣୀ ପୌରପାଳିକା ଅଞ୍ଚଳରେ ୨୩ଟି ୱାର୍ଡ ରହିଛି। ଏଥିରେ ୭ଟି ୱାର୍ଡ ରେଳବାଇ ଅଧୀନରେ। କିନ୍ତୁ ଅବଶିଷ୍ଟ ୧୬ ୱାର୍ଡ ପୌରପାଳିକା ଅଧୀନରେ ରହିଛି ଏବଂ ସଫେଇ ଦାୟିତ୍ବ ପୌରପାଳିକା ହାତରେ ରହିଛି। ଠିକା ସଂସ୍ଥା ପକ୍ଷରୁ ସଫେଇ ପାଇଁ ୨୩୨ ଜଣ ମହିଳା ଓ ପୁରୁଷଙ୍କୁ ନିୟୋଜିତ କରାଯାଇଛି। ମାତ୍ର ସଂସ୍ଥା ପକ୍ଷରୁ ସଫେଇ କର୍ମଚାରୀଙ୍କୁ ୟୁନିଫର୍ମ, ପରିଚୟପତ୍ର, ମାସ୍କ ଆଦି ଦିଆଯାଉନାହିଁ। ଫଳରେ ସଫେଇ କରୁଥିବା ସମୟରେ ଧୂଳି, ବାଲିରେ ସେମାନେ ରୁନ୍ଧି ହୋଇଯାଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ କଲୋନିଗୁଡ଼ିକରେ ଚୋରି, ଲୁଟ୍, ଛିନ୍ତାଇ ବଢ଼ୁଛି। ସଫେଇ କର୍ମଚାରୀମାନେ ବିନା ୟୁନିଫର୍ମରେ ଥିବାରୁ ଲୋକମାନେ ସେମାନଙ୍କୁ ସନ୍ଦେହରେ ଚକ୍ଷୁରେ ଦେଖୁଛନ୍ତି। ବେଳେବେଳେ ଲୋକେ ଚିହ୍ନି ନ ପାରି ସେମାନଙ୍କୁ ଗାଳିମନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଅନ୍ୟପକ୍ଷରେ ସଫେଇ କାମ ତଦାରଖ ହେଉ ନ ଥିବାରୁ କର୍ମଚାରୀମାନେ ମନଇଛା କାମ କରୁଛନ୍ତି। କେବଳ ମୁଖ୍ୟ ରାସ୍ତାରେ ଝାଡ଼ୁ ମାରୁଥିବା ବେଳେ ଗଳିକନ୍ଦିରେ ଅଳିଆ ଆବର୍ଜନା ପଡ଼ିରହୁଛି। କର୍ମଚାରୀଙ୍କୁ କହିଲା ପରେ ବି ସେମାନେ ଅଳିଆ ସଫା କରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏନେଇ ଜଟଣୀ ପୌରପରିଷଦର ଅଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି ଯେ ଠିକା ସଂସ୍ଥାକୁ ୟୁନିଫର୍ମ ପାଇଁ ଅନୁଦାନ ଦିଆଯିବା ବ୍ୟବସ୍ଥା ନାହିଁ। କିନ୍ତୁ ସେଫ୍ଟି କିଟ୍ ଅନୁସାରେ ଗ୍ଲୋବ୍ସ, ମାସ୍କ, ଗନ୍ବୁଟ୍ ଆଦି ପାଇଁ ଅର୍ଥ ଦିଆଯାଉଛି। ତେଣୁ ଠିକା ସଂସ୍ଥା ଯଦି ନ ଦେଉଛି, ସଫେଇ କର୍ମଚାରୀମାନେ ଅଭିଯୋଗ କଲେ, ତଦନ୍ତ କରାଯିବ।