ଭୁଶୁଡ଼ି ଗଲାଣି ପରିମଳ ବ୍ୟବସ୍ଥ‌ା

ଯାଞ୍ଚ କରିବାକୁ ଅଧିକାରୀ ନାହାନ୍ତି, ଦରକାର ୩୪ଜଣ ସାନିଟାରି ଇନ୍ସପେକ୍ଟର, ଅଛନ୍ତି ୧୪ଜଣ, ରାମ୍‌କିକୁ କଳା ତାଲିକାଭୁକ୍ତ କରିବାକୁ ଫାଇଲ୍‌ ଗଡ଼ୁଛି, କାର୍ଯ୍ୟାନୁଷ୍ଠାନ ହେଉନି

ଭୁବନେଶ୍ବର : ଯେଉଁ ପରିମଳ ବ୍ୟବସ୍ଥା ପାଇଁ ରାଜଧାନୀ ସାରା ଦେଶରେ ଏକ ସ୍ବଚ୍ଛ ସହର ଭାବେ ଗଣାଯାଉଥିଲା, ତାହାର ଗଳିକନ୍ଦିରେ ଏବେ କୁଢ଼କୁଢ଼ ଆବର୍ଜନା ଗଦା ହେଉଛି। ‌କେଉଁଠି ଦିନେ ଦୁଇ ଦିନରେ ଆବର୍ଜନା ଉଠୁଛି ତ କେଉଁଠି ଅପରାହ୍‌ଣ ୨ଟା ପରେ ଉଠୁଛି। ଏପରିକି ସପ୍ତାହ ସପ୍ତାହ ଧରି ଆବର୍ଜନା ଉଠୁନି। ରାଜଧାନୀ ଏବେ ଅସ୍ବଚ୍ଛ ହୋଇଗଲାଣି, ଏହାର ଗଳିକନ୍ଦିରେ ପଶିଗଲେ ଜଣା ପଡ଼ିଯାଉଛି। ବିଏମ୍‌ସି କର୍ତ୍ତୃପକ୍ଷଙ୍କର ସଫେଇ ସଂସ୍ଥାଗୁଡ଼ିକ ଉପରେ ଲଗାମ୍‌ ନଥିବାରୁ ଏବଂ ନିଜର ଅପାରଗତା ଯୋଗୁଁ ଭୁବନେଶ୍ବର ଏବେ ଅସ୍ବଚ୍ଛ ପାଲଟି ଯାଇଛି।

ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମ୍‌ସି ବର୍ଷକୁ ପ୍ରାୟ ୬୫ କୋଟି ଖର୍ଚ୍ଚ କରୁଛି। ହେଲେ ଯେମିତି ସଫା ହେବା କଥା ହେଉନି। ରାଜଧାନୀକୁ ୪ଟି ପ୍ୟାକେଜ୍‌ରେ ବିଭକ୍ତ କରି ତିନିଟି ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିବା ବେଳେ ସେମାନେ କିପରି ସଫେଇ କରୁଛନ୍ତି, ନିୟମିତ ଅଳିଆ ଉଠୁଛି କି ନାହିଁ, ସେନେଇ ଯାଞ୍ଚ କରିବାକୁ ବିଏମ୍‌ସିର ୧୪ଜଣ ସାନିଟାରି ଇନ୍ସପେକ୍ଟର୍‌ ଅଛନ୍ତି। ଏହାସହ ବିଏମ୍‌ସିର ୧୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେକ୍ଟର ଅଫିସର ଭାବେ ନିୟୋଜିତ କରାଯାଇଥିବା ବେଳେ ବିଏମ୍‌ସିର ଏକ ଏସ୍‌ବିଏ ସେଲ୍‌ ଖୋଲିଛି। ଏହାବାଦ୍ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ କାର୍ଯ୍ୟ କରୁଛି। ଏସବୁ ବାଦ୍‌ ବିଏମ୍‌ସିର ଜଣେ ଜୋନାଲ ଡେପୁଟି କମିସନର ପରିମଳ ବ୍ୟବସ୍ଥା ଦାୟିତ୍ବରେ ଅଛନ୍ତି। ଏ ସମସ୍ତଙ୍କ ଉପରେ ଜଣେ ଅତିରିକ୍ତ କମିସନର ଅଛନ୍ତି। ଏହାବାଦ୍ କମିସନର ଓ ପ୍ରଶାସକ ବି ଅଛନ୍ତି। ହେଲେ ପରିମଳ ବ୍ୟବସ୍ଥା ଉପରେ କାହା ନଜର ନାହିଁ। ସମସ୍ତେ ପୂରା ବେଫିକର। ଅଳିଆ ଉଠୁଛି କି ନାହିଁ ତାହା ଯାଞ୍ଚ କରିବା ଦୂରର କଥା। ସପ୍ତାହ ସପ୍ତାହ ଧରି ସଫେଇ ବନ୍ଦ ହୋଇଗଲେ ବି ସଫେଇ ସଂସ୍ଥାକୁ ଡାକି ଆଲୋଚନା କରିବାକୁ ଏହି ଅଧିକାରୀମାନଙ୍କର ଇଚ୍ଛା ହେଉନି। ଲୋକ ଅଳିଆ ଗଦାରେ ରୁହନ୍ତୁ କି ଭୁବନେଶ୍ବରରେ କୁଢ଼କୁଢ଼ ଆବର୍ଜନା ଗଦା ହେଉ, ଯେମିତି ଏମାନଙ୍କର କିଛି ଦାୟିତ୍ବ ନାହିଁ।

ଅପରପକ୍ଷେ ଯେତେବେଳେ ସଫେଇ ସଂସ୍ଥା ଅଳିଆ ଉଠାଉନଥିବା ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଛି ସେତେବେଳେ ନଗର ସ୍ବାସ୍ଥ୍ୟ ଅଧିକାରୀ ସଫେଇ ସଂସ୍ଥାର ପ୍ରାପ୍ୟର ୧୦% ନଚେତ୍‌ ୧୫% କାଟି ଦେଉଛନ୍ତି। ଏହା ବି ନିୟମିତ ହେଉନି। ଯେତେବେଳେ ଜରିମାନା ଆଦାୟ ହେଉଛି ତାହାର ଦୁଇ ଚାରିଦିନ ଭିତରେ ଏହାକୁ ଆଡଜଷ୍ଟ କରି ଦିଆଯାଉଛି।
ଏହିଭଳି ଦୃଷ୍ଟାନ୍ତ ନିକଟରେ ଦେଖିବାକୁ ମିଳିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ସଫେଇ କରୁଥିବା ରାମ୍‌କି ହଠାତ୍‌ ଚାରିଦିନ ସଫେଇ ବନ୍ଦ କରିଦେଲା। ହେଲେ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଲେନି। ଚନ୍ଦ୍ରଶେଖରପୁରର ବହୁ ଅଞ୍ଚଳରେ ଦିନ ଦିନ ଧରି ଆବର୍ଜନା ଗଦା ହୋଇ ରହୁଥିବା ବେଳେ ସଫେଇ ସଂସ୍ଥା ମନଇଚ୍ଛା ଏହାକୁ ଉଠାଉଛି। ଏପରିକି ଆବଶ୍ୟକୀୟ ଡଷ୍ଟବିନ୍ ଲଗାଉନଥିବାରୁ ରାସ୍ତା ଉପରେ ଲୋକ ଆବର୍ଜନା ଗଦାଉଛନ୍ତି। କେବଳ ସେତିକି ନୁହେଁ, ଏହି ସଂସ୍ଥା ନାମରେ ବର୍ଷତମାମ୍‌ ବହୁ ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ବହୁବାର ବିଏମ୍‌ସି କର୍ପୋରେସନ୍ ବୈଠକରେ ପୂର୍ବରୁ ଆଲୋଚନା ହୋଇଛି। ଏପରିକି ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ବହୁଥର ଫାଇଲ୍‌ ତିଆରି ହେଉଛି। କିନ୍ତୁ ଅଦୃଶ୍ୟ ଚାପରେ ଏହି ଫାଇଲ୍‌ ଚପି ଯାଇଛି।

ନିକଟରେ ରାମ୍‌କିକୁ କଳା ତାଲିକାଭୁକ୍ତ କରିବାକୁ ପୂର୍ବତନ ନଗର ସ୍ବାସ୍ଥ୍ୟ ଅଧିକାରୀ ଏକ ଫାଇଲ୍‌ ଅତିରିକ୍ତ କମିସନରଙ୍କ ନିକଟକୁ ପଠାଇଥିଲେ। ଏହା ଉପରେ ଅଧିକ କ୍ୟୁରି କରିବାକୁ ଅତିରିକ୍ତ କମିସନର ଏହାକୁ ପୁଣି ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ପଠାଇଦେଲେ। ଇତିମଧ୍ୟରେ ନଗର ସ୍ବାସ୍ଥ୍ୟ ଅଧିକାରୀ ବଦଳିଗଲେ। ଆଉ ନୂଆ ନଗର ସ୍ବାସ୍ଥ୍ୟ ଅଧିକାରୀ ଏହି ଫାଇଲ୍‌ ଉପରେ କିଛି ପଦକ୍ଷେପ ନେବା ଦୂରର କଥା, କାହା ସହ କିଛି ବି ଆଲୋଚନା କରିନାହାନ୍ତି।

ସେହିପରି ଚନ୍ଦ୍ରଶେଖରପୁର, ସିଆରପି, ଓୟୁଏଟି ଏବଂ ଜାତୀୟ ରାଜପଥରେ ଯାନ୍ତ୍ରିକ ସଫେଇ କରୁଥିବା ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ସଂସ୍ଥାକୁ ୫ମାସ କାଳ ପ୍ରାପ୍ୟ ଦିଆନଯିବାରୁ ଏହି ସଂସ୍ଥା ହଠାତ୍ ସଫେଇ ବନ୍ଦ କରିଦେଲା। ରାସ୍ତା ଉପରେ ଆବର୍ଜନା, ଧୂଳି ଗଦା ହୋଇ ରହିଲା। ହେଲେ ବିଏମ୍‌ସି ଅଧିକାରୀ ସଂସ୍ଥାକୁ ଡାକି ଆଲୋଚନା କରିବାକୁ ସାହାସ ଜୁଟାଇ ପାରିଲେନି। ରାଜଧାନୀରେ ନିର୍ବାଚନ ଚାଲିଥିବା ବେଳେ ଗୋଟିଏ ସଂସ୍ଥା ସପ୍ତାହେ ଧରି ସଫେଇ ବନ୍ଦ କରିବା ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ ଏହାର ସମାଧାନ କରିପାରିଲେନି, ବରଂ ସଫେଇ ସଂସ୍ଥାଠାରୁ ୫ମାସର ମଜୁରି ପାଇବା ଦାବିରେ ଯେଉଁ କିଛି ଶ୍ରମିକ ରାସ୍ତାରେ ଧାରଣା ଦେଇଥିଲେ ସେମାନଙ୍କୁ ପୁଲିସ ଲଗାଇ ମାଡ଼ ମାରିଲେ। ଏପରିକି ମୁଣ୍ଡରେ ବନ୍ଧୁକ ଲଗାଇ ଗୁଳି କରିବାକୁ ଧମକ ଦେଲେ। ପୂର୍ବ ଅଧିକାରୀଙ୍କ ଭୁଲ୍‌ ଯୋଗୁଁ ସଫେଇ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଏବେ ଦାୟିତ୍ବରେ ଥିବା ଅଧିକାରୀମାନେ ଏହାକୁ ସଜାଡ଼ିବା ବଦଳରେ ଯିଏ ଦୋଷ କରିଛି ତା’ ମୁଣ୍ଡରେ ସବୁ ଦୋଷ ଯାଉ ନ୍ୟାୟରେ ଚୁପ୍‌ ବସି ପଡ଼ିଛନ୍ତି।

ଏନେଇ ନଗର ସ୍ବାସ୍ଥ୍ୟ ଅଧିକାରୀ ଲଲାଟେନ୍ଦୁ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ତିନିଟି ଯାକ ସଫେଇ ସଂସ୍ଥା ଯେପରି ଠିକ୍‌ ଭାବେ କାମ କରିବେ, ସବୁ ଅଞ୍ଚଳରୁ ନିୟମିତ ଅଳିଆ ଉଠିବ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ। ହେଲେ ଆମ ନିକଟରେ କର୍ମଚାରୀ ନଥିବାରୁ ଆମେ କାର୍ଯ୍ୟାନୁଷ୍ଠାନ ଅଧିକ ତ୍ବରାନ୍ବିତ କରିପାରୁନୁ। ଆମର ପ୍ରତି ଦୁଇଟି ୱାର୍ଡ ପାଇଁ ଜଣେ ସାନିଟାରି ଇନ୍ସପେକ୍ଟର ଆବଶ୍ୟକ। ୬୭ଟି ୱାର୍ଡ ପାଇଁ ୩୪ଜଣ ସାନିଟାରି ଇନ୍ସପେକ୍ଟର ରହିବା ଦରକାର। ହେଲେ ଅଛନ୍ତି ମାତ୍ର ୧୪ଜଣ। ଏଥିରୁ ତିନିଜଣ ଡେପୁଟେସନ୍‌ରେ ଆସିଛନ୍ତି। ଜଣେ କଟକରୁ ଆସିଥିବା ବେଳେ ଆଉ ଦୁଇଜଣ ପୁରୀରୁ ଡେପୁଟେସନ୍‌ରେ ଆସିଛନ୍ତି। ଆମର ୧୧ଜଣ ଇନ୍ସପେକ୍ଟର ଅଛନ୍ତି। ଏତିକି କର୍ମଚାରୀଙ୍କୁ ନେଇ ପରିମଳ ବ୍ୟବସ୍ଥା ଯାଞ୍ଚ କରିବା କଷ୍ଟକର। ଏପଟେ ବିଏମ୍‌ସିର ଅଧିକାରୀ କି ଏସ୍‌ବିଏ ସେଲ୍‌ ଆବଶ୍ୟକୀୟ ପଦକ୍ଷେପ ନେଉନଥିବାରୁ ଘରୋଇ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବପର ହେଉନି।

ସମ୍ବନ୍ଧିତ ଖବର