ଖଣ୍ଡଗିରି: ବିଏମ୍‌ସିର ଠିକା ସଫେଇ କର୍ମଚାରୀଙ୍କ ବେତନରୁ ବେଆଇନ ଭାବରେ ଟଙ୍କା କାଟି ଦିଆଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ସାଲାରି ସ୍ଲିପ ମଧ୍ୟ ମିଳୁନାହିଁ। ଏହି ଅଭିଯୋଗ ସହିତ ବିଭିନ୍ନ ଦାବି ନେଇ ସଫେଇ କର୍ମଚାରୀମାନେ ଗତରାତିରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥି‌ଲେ। ଏଥିଯୋଗୁଁ ଗତରାତିରୁ ୱାର୍ଡ ନମ୍ବର ୨୮, ୨୯, ୩୦, ୩୪, ୩୫, ୩୬, ୪୦, ୪୧, ୪୪, ୪୬, ୫୫, ୫୬. ୫୭, ୬୨, ୬୩, ୬୪, ୬୫ ଓ ୬୬ରେ ସଫେଇ ଠପ୍‌ ହୋଇଥିଲା। ଝାଡ଼ୁଦାର, ଟ୍ରଲିଦାର, ନାଳା ସଫେଇ କର୍ମଚାରୀ ଓ ବୁଦା କାଟୁଥିବା କର୍ମଚାରୀମାନେ ନିଜ କାର୍ଯ୍ୟ କରିନଥିଲେ। ତେବେ ମେୟର, କମିସନର ଓ ଠିକା ସଂସ୍ଥା ପ୍ରତିନିଧିଙ୍କ ମିଳିତ ଆଲୋଚନା ପରେ ଦାବି ପୂରଣ ପ୍ରତିଶ୍ରୁତି ମିଳିଛି ବୋଲି ଭୁବନେଶ୍ବର ମ୍ୟୁନିସିପାଲଟି ସଫେଇ ମଜଦୁର ସଂଘ ପକ୍ଷରୁ କୁହାଯାଇଛି। ଫଳରେ ସେମାନେ ଆଜି ରାତିରୁ କାମରେ ଯୋଗ ଦେଇଛନ୍ତି।

Advertisment

ସଂଘର ସାଧାରଣ ସମ୍ପାଦକ ସହଦେବ ନାୟକ କହିଛନ୍ତି, କିଛି ବର୍ଷ ହେଲା ସେମାନେ ଏକ ସଫେଇ ଠିକା ସଂସ୍ଥା ଅଧୀନରେ କାମ କରୁଛନ୍ତି। ମାସକୁ ସେମାନଙ୍କୁ ସର୍ବନିମ୍ନ ୯,୨୦୦ ଟଙ୍କା ଦରମା ମିଳିବା କଥା। ମାତ୍ର ସେମାନଙ୍କୁ ୮,୫୦୦ରୁ ୯,୦୦୦ ଟଙ୍କା ଦିଆଯାଉଛି। ଇପିଏଫ୍‌ ବାବଦରେ କେତେ ଜମା ହେଉଛି, , ତା’କୁ ନେଇ ସ୍ପଷ୍ଟ ସୂଚନା ମଧ୍ୟ ନାହିଁ। ସେଥିରେ ପୁଣି ସାଲାରି ସ୍ଲିପ ମିଳୁନଥିବାରୁ ହକ୍‌ ଟଙ୍କା କେତେ ସେମାନେ ଜାଣନ୍ତି ନାହିଁ କି ସେମାନେ କରୁଥିବା ଚାକିରିର ପ୍ରମାଣ ନାହିଁ। ସାପ୍ତାହିକ ଛୁଟି ବ୍ୟବସ୍ଥା ବି ନାହିଁ। କାର୍ଯ୍ୟରତ ବେଳେ ୨ ଜଣ ସଫେଇ କର୍ମଚାରୀଙ୍କୁ କୁକୁର କାମୁଡ଼ିଥିଲା ଓ ଜଣେ ଦୁର୍ଘଟଣାରେ ଆହତ ହୋଇଥିଲେ। ସେମାନଙ୍କ ଚିକିତ୍ସା ପାଇଁ ମଧ୍ୟ ଠିକା ସଂସ୍ଥା କୌଣସି ବ୍ୟବସ୍ଥା କଲାନାହିଁ। ଇଏସ୍‌ଆଇ ସୁବିଧାରୁ ସେମାନେ ବଞ୍ଚିତ ଅଛନ୍ତି। ତେଣୁ ସମସ୍ତ କର୍ମଚାରୀଙ୍କୁ ମାସକୁ ସର୍ବନିମ୍ନ ୧୫,୦୦୦ ଟଙ୍କା ବେତନ, ସମସ୍ତଙ୍କୁ ବାର୍ଷିକ ବୋନସ ସହିତ ମହଙ୍ଗା ଭତ୍ତା ପ୍ରଦାନ, ୫୮ ବର୍ଷରେ ବହିଷ୍କୃତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ଝାଡ଼ୁଦାରମାନଙ୍କୁ ଅଳିଆ ପୃଥକୀକରଣ କାର୍ଯ୍ୟରେ ନିଯୁକ୍ତି ନ ଦେବା ପାଇଁ ଦାବି କରିଥିଲେ। ଏହି ଅବସରରେ କର୍ମଚାରୀମାନେ ସଫେଇ କାର୍ଯ୍ୟରୁ ଏହି ଠିକା ସଂସ୍ଥାକୁ ବାଦ୍‌ ଦେବା ପାଇଁ ମଧ୍ୟ ଦାବି କରିଥିଲେ। ତେବେ ଆଲୋଚନା ପରେ ସେମାନଙ୍କୁ ସାଲାରି ସ୍ଲିପ୍ ପ୍ରଦାନ, କଟିଥିବା ଦରମା ପ୍ରଦାନ ତଥା ସମସ୍ତଙ୍କୁ ଇପିଏଫ୍‌ରେ ସାମିଲ କରିବାଲାଗି ପ୍ରତିଶ୍ରୁତି ଦିଆ ଯାଇଥିଲା। ଫଳରେ ସେମାନେ କାମରେ ଯୋଗ ଦେଇଛନ୍ତି।