ଆଜିଠାରୁ ସଫେଇ ବନ୍ଦ: ବଢ଼ିଲା ପରିମଳ ଅଡ଼ୁଆ

ଝାଡ଼ୁଛାଡ଼ ଆନ୍ଦୋଳନ ଆରମ୍ଭ କଲେ ସଫେଇ କର୍ମଚାରୀ, ୧୫ ବର୍ଷରେ ସଂସ୍ଥା ଲୁଟିଛି ୧୫୫ କୋଟି

ଭୁବନେଶ୍ବର: ଠିକା ସଂସ୍ଥା ସଫେଇ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରିରୁ କମ୍‌ ଦେଇ ଲୁଟ୍‌ କରିଥିବା ବକେୟା ଅର୍ଥରାଶି ପ୍ରଦାନ ଦାବିରେ ଆଜିଠାରୁ ସେମାନେ ଝାଡ଼ୁ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବକେୟା ଅର୍ଥ ନ ମିଳିବା ପର୍ଯ୍ୟନ୍ତ କୌଣସି କର୍ମଚାରୀ କାମ କରିବେ ନାହିଁ ବୋଲି ବିଏମ୍‌ସିକୁ ଲିଖିତ ଭାବେ ଜଣାଇଛି ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ। ଏବେ ଏହି ଆନ୍ଦୋଳନ ପରିମଳ ବ୍ୟବସ୍ଥାରେ ନୂଆ ଅଡ଼ୁଆ ଛିଡ଼ା କରିଥିବାରୁ ବିଏମ୍‌ସିର ଚିନ୍ତା ବଢ଼ିଛି।

ସଂଘର ସଭାପତି ମୋହନ ନାୟକଙ୍କ ଅଭିଯୋଗ ମୁତାବକ, ୧୯୫୦ ମସିହା ପୌର ଆଇନ୍ ଓ କର୍ପୋରେସନ ଆକ୍ଟ ଅନୁଯାୟୀ ସଫେଇ କର୍ମଚାରୀମାନଙ୍କୁ ପୌର ପରିଷଦର କର୍ମଚାରୀ ଭାବେ ପରିଗଣିତ କରାଯାଇଛି। ସେମାନେ ସରକାରଙ୍କର ବିଭିନ୍ନ ଯୋଜନା ସହ ସ୍ବଚ୍ଛ ଭାରତ ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ଅହରହ ସଂଗ୍ରାମ ଜାରି ରଖିଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଠିକା ସଂସ୍ଥାମାନେ ଆଇନ୍‌ ଉଲଂଘନ କରି ସଫେଇ କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରି ଦେଉନାହାନ୍ତି। ରାଜ୍ୟ ଶ୍ରମ ଆୟୁକ୍ତ ୨୦୨୨ ଏପ୍ରିଲ୍‌ ୧ ତାରିଖ ଠାରୁ ଶ୍ରମିକମାନଙ୍କର ଦୈନିକ ମଜୁରି ୩୧୫ ଟଙ୍କାରୁ ବୃଦ୍ଧି ପାଇ ୩୨୬ଟଙ୍କା କରାଯାଇଛି। ଠିକା ସଂସ୍ଥା ୩୨୬ଟଙ୍କା ବଦଳରେ ସମସ୍ତ କର୍ମଚାରୀମାନଙ୍କୁ ଦୈନିକ ୨୩୦ ଟଙ୍କା ହିସାବରେ ପ୍ରଦାନ କରୁଛି ଓ ଦୈନିକ ୯୬ ଟଙ୍କା କାଟି ରଖୁଛନ୍ତି। ସେହିଭଳି ସଫେଇ କର୍ମଚାରୀମାନଙ୍କର ଇପିଏଫ୍ ଓ ଇଏସ୍ଆଇ ମଧ୍ୟ ସଂସ୍ଥା ପୈଠ କରିନାହିଁ। ଏଣୁ ସଂଘ ଏଭଳି ଏହି ନିଷ୍ପତ୍ତି ନେଇଥିବା ସଭାପତି ଶ୍ରୀ ନାୟକ କହିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ, ନୂଆ ସଂସ୍ଥା ଦାୟିତ୍ବ ନେଇଥିବା ୱାର୍ଡଗୁଡ଼ିକରେ ଆଜି ପର୍ଯ୍ୟନ୍ତ ଶତ ପ୍ରତିଶତ ସଫେଇ ହୋଇ ପାରୁନାହିଁ। ନୀଳାଦ୍ରି ବିହାରରେ ୬ ମାସ ହେଲା ଟ୍ରାକ୍ଟର ବ୍ୟବହାର ହୋଇନାହିଁ। ଆବର୍ଜନା ଏଣେତେଣେ ଗଦା ହୋଇଛି। ପୁରୁଣା ଭୁବନେଶ୍ବରରେ ମଧ୍ୟ ଆବର୍ଜନା ଗଦା ହୋଇଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର