ଜେଲ୍‌ ଗଲେ କୋଟିପତି କିରାଣି

ପତ୍ନୀଙ୍କ ନାଁରେ କୋଟିଏ ଟଙ୍କାର ସମ୍ପତ୍ତି, ପତ୍ନୀଙ୍କ ନାମରେ ମାମଲା ରୁଜୁ କଲା ଭିଜିଲାନ୍ସ

ଭୁବନେଶ୍ବର : ଅଧିକ ଅର୍ଥ ଉପାର୍ଜନ ଲାଗି ଦୁର୍ନୀତି ରାସ୍ତା ଧରିବା ପାଇଁ ସ୍ବାମୀଙ୍କୁ ବାଧ୍ୟ କରୁଥିଲେ। ସ୍ତ୍ରୀଙ୍କ ଲୋଭ ଓ ବାରମ୍ବାର ପରାମର୍ଶ ସ୍ବାମୀଙ୍କୁ ଦୁର୍ନୀତିର ରାସ୍ତା ଦେଖାଇଥିଲା। ଲାଞ୍ଚ ନେଇ ସମ୍ପତ୍ତି ଠୁଳ କରି ଚାଲିଥି‌ଲେ। କିନ୍ତୁ ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ। ଫଳରେ ଜେଲ୍ ହାଜତକୁ ଯିବାକୁ ପଡ଼ିଛି ସ୍ବାମୀଙ୍କୁ। ଏହା ହେଉଛି ଭିଜିଲାନ୍‌ସ ଜାଲରେ ଧରା ପଡ଼ିଥିବା ଭୁବନେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କୋଟିପତି କିରାଣି ଉଦୟନାଥ ଜେନାଙ୍କ ସମ୍ପତ୍ତି ଠୁଳ କରିବା ଓ ତା କୁପରିଣତିର କାହାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି। ଏମିତିକି ସ୍ବାମୀଙ୍କୁ ଦୁର୍ନୀତି ରାସ୍ତା ଦେଖାଇଥିବା ଅଭିଯୋଗରେ ଉଦୟନାଥଙ୍କ ସ୍ତ୍ରୀ ରୀନା କୁମାରୀ ଜେନାଙ୍କ ନାମରେ ଭିଜିଲାନ୍‌ସ ମାମଲା ରୁଜୁ କରିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୁନ୍ଦରପଦା-ଜଟଣୀ ରାସ୍ତାର ଏବରଙ୍ଗ ମୌଜାରେ ୬୬ ଲକ୍ଷ ଟଙ୍କାର ଦୁଇ ମହଲା କୋଠା, ପୁରୀରେ ଫ୍ଲାଟ୍, ଏକାଧିକ ଜମି, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଜମା, ସୁନା ଅଳଙ୍କାର; ସବୁ କିଛି ରୀନା କୁମାରୀଙ୍କ ନାମରେ ରହିଛି। ଭିଜିଲାନ୍ସ ତଦନ୍ତରୁ ଉଦୟନାଥଙ୍କର ୧କୋଟି ୩୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ହୋଇଥିଲା। ତାଙ୍କ ଆୟଠାରୁ ପ୍ରାୟ ୨୫୦ ପ୍ରତିଶତ ଅଧିକ ସମ୍ପତ୍ତି ସେ ଠୁଳ କରିଛନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଥିଲା। ଗତକାଲି ଚଢ଼ଉ ପରେ ଆଜି ଦିନ ତମାମ୍ ହିସାବକିତାବ ଚାଲିଥିଲା।

ସମ୍ବନ୍ଧିତ ଖବର