ଜଳବାୟୁ ପରିବର୍ତନ ଦ୍ୱାରା ଓଡ଼ିଶା ପ୍ରଭାବିତ ହେଉଛି

ଭୁବନେଶ୍ୱର: ୨୦୧୦ରୁ ଓଡ଼ିଶା ସରକାର ଜଳବାୟୁ ପରିବର୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଯାହା ମାଧ୍ୟମରେ ବିଭିନ୍ନ ବିଭାଗ ସହାୟତାରେ ଜଳବାୟୁ ପରିବର୍ତନର ମୁକାବିଲା କରାଯିବା ସହ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିର ଉନ୍ନତି ଲାଗି ପଦକ୍ଷେପ ନିଆଯାଉଛି। ବିଶେଷକରି ଗତ ୩ରୁ ୪ବର୍ଷ ହେଲା ଜଳବାୟୁ ପରିବର୍ତନ ଦ୍ୱାରା ପୂର୍ବ ଭାରତ ପ୍ରଭାବିତ ହେଉଥିବା ବେଳେ ଓଡ଼ିଶା ମଧ୍ୟ ପ୍ରଭାବିତ ହେଉଛି ବୋଲି ରାଜ୍ୟ ସରକାରଙ୍କ ଜଳବାୟୁ ପରିବର୍ତନ ସେଲ୍‌ ପକ୍ଷରୁ ଆୟୋଜିତ ‘ଓଡ଼ିଶା ବଜେଟ୍‌ରେ ପାଣିପାଗର ପ୍ରାସଙ୍ଗିକତା’ ଶୀର୍ଷକ ଦିନିକିଆ କର୍ମଶାଳାକୁ ଉଦ୍‌ଘାଟନ କରି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।
ହୋଟେଲ ମାରିଅନ୍‌ରେ ଅନୁଷ୍ଠିତ ଏହି କର୍ମଶାଳାରେ ଶ୍ରୀ ମହାପାତ୍ର କହିଲେ, ଖାଦ୍ୟ ଉତ୍ପାଦନ ଏବେ ବିଶ୍ୱବାସୀଙ୍କ ଲାଗି ବଡ଼ ଆହ୍ଵାନ ସୃଷ୍ଟି କରିଛି। କୃଷି ପାଇଁ ୮୦ ପ୍ରତିଶତ ଜଳ ଆବଶ୍ୟକ ହେଉଥିବା ବେଳେ ଜଳବାୟୁ ପରିବର୍ତନ ପ୍ରଭାବରେ ତାହା ସମ୍ଭବପର ହେଉନାହିଁ। ମାଟି ତଳେ ଜଳସ୍ତର ହ୍ରାସ ପାଉଛି। ଚଳିତ ଶତାବ୍ଦୀର ଶେଷ ଆଡ଼କୁ ବିଶ୍ୱର ତାପମାତ୍ର ୪ରୁ ୫ ଡିଗ୍ରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ହେବ। ଏହି କର୍ମଶାଳାରୁ ଯେଉଁ ନିର୍ଯ୍ୟାସ ବାହାରିବ, ତାହାକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ କ୍ଲାଇମେଟ୍‌ ଚେଞ୍ଚ ଇନୋଭେସନ ପୋଗ୍ରାମ ମ୍ୟାନେଜର ବିଦ୍ୟା ସୁନ୍ଦରାଜନ ଯୋଗଦେଇ ଜଳବାୟୁ ପରିବର୍ତନ ଦ୍ୱାରା ଅର୍ଥନୀତି ଉପରେ କିଭଳି ପ୍ରଭାବ ପଡ଼ୁଛି ତାହା ଉପରେ ଆଲୋକପାତ କରିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ କେ. ମୁର୍ଗେସନ କର୍ମଶାଳା ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ ବରିଷ୍ଠ ବୈଜ୍ଞାନିକ ଦେବାଶିଷ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର