ପରିବେଶ ଗୋଟିଏ ବ୍ୟାପକ ପ୍ରସଙ୍ଗ, ଯାହା ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରତିଟି ମଣିଷଙ୍କୁ ପ୍ରଭାବିତ କରେ। ତେଣୁ ଏହାର ସଂରକ୍ଷଣ ପାଇଁ ସେମିତି ବ୍ୟାପକ ସମ୍ମିଳିତ ଉଦ୍ୟମ ଆବଶ୍ୟକ। ଏହି ଦାୟିତ୍ବକୁ ସ୍ବୀକାର କରି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ଯୁବ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ବଛାବଛା ବୁଦ୍ଧିଜୀବୀ, ପରିବେଶପ୍ରେମୀ ତଥା ସାଧାରଣ ସଚେତନ ନାଗରିକମାନେ ଆଜି ଯେଉଁ ଉତ୍ସାହର ସହିତ ‘ସମ୍ବାଦ’ର ଏକ ପ୍ରୟାସ ‘ପୁନଶ୍ଚ ପୃଥିବୀ’ ଦ୍ବାରା ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ଅଂଶଗ୍ରହଣ କରିଥିଲେ, ତାହା ଏକ ଶୁଭ ସୂଚନା ପ୍ରଦାନ କରିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ସଂଖ୍ୟାଧିକ ମହିଳାଙ୍କ ଉପସ୍ଥିତି ଆହୁରି ଉତ୍ସାହପ୍ରଦ ଥିଲା। ସକାଳୁ ଆକାଶ ମେଘୁଆ ଥିଲା, କିନ୍ତୁ ଅସହ୍ୟ ଗୁଳୁଗୁଳି ହେଉଥିଲା। ତା’ ଉପରକୁ ବୈଠକ ଆରମ୍ଭରୁ ବର୍ଷା ଆରମ୍ଭ ହୋଇ ଯାଇଥିଲା। କିନ୍ତୁ ବୈଠକସ୍ଥଳ ଭରପୂର ଥିଲା। ସମସ୍ତ ପରିବେଶକୁ ନେଇ ନିଜ ମତ ରଖିଥିଲେ, ସ୍ଥାନୀୟ ପରିବେଶ ସମସ୍ୟା ଉପରେ ଆଲୋକପାତ କରିବା ସହିତ ସମାଧାନର ପ୍ରସ୍ତାବ ମଧ୍ୟ ରଖିଥିଲେ। ପରିବେଶ ବା ଜଳବାୟୁ ପରିବର୍ତ୍ତନ ଏକ ନିରସ ପ୍ରସଙ୍ଗ ବୋଲି ସାଧାରଣରେ ଧାରଣା ଥିବାବେଳେ ଲୋକଙ୍କ ଉତ୍ସାହ ବାସ୍ତବରେ ଚମକପ୍ରଦ ଥିଲା। ସ୍ଥାନୀୟ କର୍ପୋରେଟର ଲାଲ ମୋହନ ଟୁଡୁ, ସମାଜସେବୀ ମନୋଜ ସାହୁ, ‘ସମ୍ବାଦ’ ମହାନଗର ମୁଖ୍ୟ ଆଶିଷ ଗଡ଼ନାୟକ, ବରିଷ୍ଠ ସାମ୍ବାଦିକ କେଶବ ପାଣି, ବିଦ୍ୟାଧର ବାରିକ୍, ଅସିତ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ପାଇଁ ଯୋଜନା କରାଯାଇଛି। ତେବେ ବୃକ୍ଷରୋପଣ ପରେ ଏହାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏଣୁ ମହାରାଷ୍ଟ୍ର, ଦିଲ୍ଲୀ, କେରଳ ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ମଧ୍ୟ ବୃକ୍ଷ ସଂରକ୍ଷଣ ଆଇନ ବା ଟ୍ରି ପ୍ରୋଟେକ୍ସନ ଆକ୍ଟ ପ୍ରଣୟନ ହେବା ଦରକାର। ଏବେ ଜଙ୍ଗଲ ବିଭାଗ ସହିତ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମିଶିକି ରହିଛି, କିନ୍ତୁ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏତେ ବିଶାଳ ପ୍ରସଙ୍ଗ ଯେ ସେଥିପାଇଁ ଏକ ସ୍ବତନ୍ତ୍ର ସରକାରୀ ବିଭାଗ ଆବଶ୍ୟକ ହେଉଛି। ଭରତପୁର ଜଙ୍ଗଲ ହେଉଛି ଭୁବନେଶ୍ବର ସହରର ହୃତ୍ପିଣ୍ଡ, ତେଣୁ ସେଠାରେ ବ୍ୟାପକ ଗଛ ଲଗାଇବା ଉଚିତ। ଏହା ସହିତ ସହର ଭିତରେ ଛୋଟଛୋଟ ଜଙ୍ଗଲ ସୃଷ୍ଟି କରିବା ସହିତ ହୁସେନ୍ ସାଗର ଭଳି ବଡ଼ ବଡ଼ ପୋଖରି କରିବା ଆବଶ୍ୟକ ହୋଇ ପଡ଼ିଛି।
ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ
ଯେଉଁଭଳି ପୂର୍ବରୁ ଚାଲିଆସୁଥିବା ପଶୁବଳି ପ୍ରଥାକୁ ମିଳିତ ପ୍ରଚେଷ୍ଟା ଦ୍ବାରା ବନ୍ଦ କରାଯାଇପାରିଲା, ସେହିଭଳି ପରିବେଶ ସୁରକ୍ଷା ପାଇଁ ମଧ୍ୟ ମିଳିତ ଉଦ୍ୟମ ଦରକାର। ଆମେ ସମସ୍ତେ ବୃକ୍ଷମନସ୍କ ହେବା ଉଚିତ। ସବୁ ସ୍ତରର ବ୍ୟକ୍ତିବିଶେଷ ସହଯୋଗର ହାତ ବଢ଼ାଇଲେ ଆମେ ନିଶ୍ଚିତ ଭାବେ ଏକ ସୁନ୍ଦର ପୃଥିବୀ ଗଠନରେ ସକ୍ଷମ ହୋଇପାରିବା। ‘ସମ୍ବାଦ’ ପରିବାର ତଥା ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର ସଫଳତା କାମନା କରୁଛି।
ମଧୁମାଧବ ଜେନା,ସଭାପତି, ରାଜ୍ୟ ବରିଷ୍ଠ ନାଗରିକ ସଂଘ
୩୫ ବର୍ଷ ତଳୁ ସ୍ଥାନୀୟ ଅଞ୍ଚଳରେ ଆମେ ବୃକ୍ଷରୋପଣ କରିଛୁ। ଚଳିତବର୍ଷ ରୌଦ୍ରତାପ ଅସହ୍ୟ ହୋଇଛି। ଏହାର ନିରାକରଣ ନିମନ୍ତେ ବୃକ୍ଷରୋପଣ ନିହାତି ଦରକାର। ବୃକ୍ଷ ଆମ ସମସ୍ତଙ୍କର ଆବଶ୍ୟକତା ମେଣ୍ଟାଉଛି, ବୃକ୍ଷର ସୁରକ୍ଷା ପାଇଁ ସଭିଏଁ ଶପଥ ନେବା। ପରିବେଶ ସନ୍ତୁଳନ ରକ୍ଷା ପାଇଁ ‘ପରିବେଶ ପଞ୍ଚାୟତ’ ଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉ।
କୃଷ୍ଣଚନ୍ଦ୍ର ସୁଆର, ସଭାପତି, ଚନ୍ଦ୍ରଶେଖରପୁର ବରିଷ୍ଠ ନାଗରିକ ସଂଘ
ଜନ୍ମଦିନ, ଶ୍ରଦ୍ଧୋତ୍ସବ ତଥା ଏକାଦଶାହ ଅବସରରେ ନିଜର ପ୍ରିୟଜନଙ୍କ ସ୍ମୃତିରେ ବୃକ୍ଷରୋପଣ କରାଯିବା ଉଚିତ। କାରଣ ଗଛ ଥିଲେ ହିଁ ଆମେ ବଞ୍ଚିବା। ପୂର୍ବରୁ ନୀଳାଦ୍ରିବିହାର, ରଘୁନାଥପୁର ଅଞ୍ଚଳରେ ସ୍ଥାନୀୟ ଏଲ୍ପି ଟିମ୍ର ସଦସ୍ୟମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଛି। ବୃକ୍ଷରୋପଣ ବେଳେ କେତେ ପରିମାଣର ଗଛ ଲଗାଉଛୁ ତାହାକୁ ଅଧିକ ଗୁରୁତ୍ବ ନଦେଇ ଯେତିକି ଗଛ ଲଗାଉଛୁ, ତାହାର ସୁରକ୍ଷା କିଭଳି ହେବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ।
ସମରେନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ
ସ୍ଥାନୀୟ ଅଞ୍ଚଳରେ ସ୍ବେରେଜ୍ ସମସ୍ୟା ବଢ଼ିବାରେ ଲାଗିଛି। ଏଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର। ଅଞ୍ଚଳରେ ଏକ ବଡ଼ ପୋଖରିର ମଧ୍ୟ ଆବଶ୍ୟକତା ରହିଛି। ବ୍ୟାପକ ସଂଖ୍ୟାରେ ଗାଡ଼ିମୋଟର ଚଳାଚଳ ଯୋଗୁ ପରିବେଶ ପ୍ରଦୂଷିତ ହେଉଛି। ଏଭଳି ପ୍ରଦୂଷଣକୁ ଦେଖି ପୁଣି ଥରେ ପିଲାଦିନକୁ ଫେରିଯିବାକୁ ମନ ହେଉଛି। ‘ପୁନଶ୍ଚ ପୃଥିବୀ’ ନାମକରଣ ନିଶ୍ଚିତ ଭାବେ ମନରେ ଶିହରଣ ସୃଷ୍ଟି କରୁଛି। ‘ସମ୍ବାଦ’ର ଏ ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ।
ରବୀନ୍ଦ୍ରନାଥ ପଟ୍ଟନାୟକ, ସମ୍ପାଦକ, ଚନ୍ଦ୍ରଶେଖରପୁର ବରିଷ୍ଠ ନାଗରିକ ସଂଘ
ପରିବେଶ ସୁରକ୍ଷା ସମ୍ପର୍କିତ ଏଭଳି କାର୍ଯ୍ୟକ୍ରମ ପାଇଁ ‘ସମ୍ବାଦ’କୁ ଧନ୍ୟବାଦ। ଆମେ ଯେତେବେଳେ ବୃକ୍ଷରୋପଣ କରୁଛେ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଉଚିତ। ବିଗତ ଦିନରେ ଏଲ୍ପି ଟିମ୍ ପକ୍ଷରୁ ପ୍ରାୟ ୫ ହଜାର ଗଛ ଲଗାଯାଇଥିଲା ଓ ତା’ ଭିତରୁ ୨ହଜାର ବୃକ୍ଷକୁ ଆମେ ବଞ୍ଚାଇବାରେ ସକ୍ଷମ ହୋଇପାରିଛୁ। ବୃକ୍ଷରୋପଣ ପରେ ତା’ର ଯତ୍ନ ନିଆଯାଉ। ସେହିପରି ପଲିଥିନ୍ କଟକଣାକୁ କଡ଼ାକଡ଼ି କରାଯିବା ଦରକାର।
ଅନିରୁଦ୍ଧ ଲେଙ୍କା, ସମ୍ପାଦକ, ଏଲ୍ପି ଟିମ୍
ସ୍ଥାନୀୟ ଅଞ୍ଚଳରେ ଆବର୍ଜନା ପରିଚାଳନା ମୁଖ୍ୟ ସମସ୍ୟା ପାଲଟିଛି। ଏହାର ପ୍ରତିକାର ନିମନ୍ତେ ପଦକ୍ଷେପ ନିଆଯିବା ଦରକାର। ସେହିପରି ବର୍ଷକ ୬ ଋତୁ ହେଲେ ମଧ୍ୟ କେବଳ ଗ୍ରୀଷ୍ମ, ବର୍ଷା, ଶୀତଋତୁକୁ ଅନୁଭବ କରିହେଉଛି। ନିହାତି ଆବାଶ୍ୟକ ଥିଲେ ଗାଡ଼ିର ବ୍ୟବହାର କରାଯିବା ସହିତ ପଲିଥିନ୍ କଟକଣା କଡ଼ାକଡ଼ି କରାଯିବା ଦରକାର। ଆବର୍ଜନା ପରିଚାଳନାରେ ଆମେ ସାଧାରଣ ଲୋକମାନେ ସହଯୋଗ କରିବା ଦରକାର।
ମନିତା ସାହୁ, ଏସ୍ଏଚ୍ଜି ସଦସ୍ୟା
ସ୍ଥାନୀୟ ଅଞ୍ଚଳରେ ଡ୍ରେନ୍ ଜବରଦଖଲ ହେବା କାରଣରୁ ବର୍ଜ୍ୟଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ସେହିଭଳି ଚନ୍ଦ୍ରଶେଖରପୁର ଅଞ୍ଚଳର ବର୍ଜ୍ୟଜଳ ପାଇଁ ଥିବା ପୁରୁଣା ପୋଖରିଗୁଡ଼ିକର ପୁନରୁଦ୍ଧାର କଲେ ଏଠାକାର ପରିବେଶ ଉପରେ ଭଲ ପ୍ରଭାବ ପଡ଼ିବ। ସହରରେ ଘର ସଂଖ୍ୟା ବଢ଼ୁଥିବାରୁ ଗଛ କଟାଯାଉଛି। ଏଣୁ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ଗଛଗୁଡ଼ିକ କିଭଳି ବଡ଼ ହେବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର।
ଚିତ୍ତରଞ୍ଜନ ଦାଶ, ସ୍ଥାନୀୟ ବାସିନ୍ଦା
ସ୍ଥାନୀୟ ଅଞ୍ଚଳରେ ବର୍ଜ୍ୟ ପରିଚାଳନା ମୁଖ୍ୟ ସମସ୍ୟା ପାଲଟିଛି। ଜଣେ ଗୃହିଣୀ ହିସାବରେ କହିବି, ପଲିଥିନ୍ ବ୍ୟବହାର ଉପରେ କଟକଣା ନିହାତି ଦରକାର। ସେହିଭଳି ଶୁଖିଲା ଓ ଓଦା ଆବର୍ଜନାର ଉପଯୁକ୍ତ ପରିଚାଳନା ନିମନ୍ତେ ସଚେତନତାର ଆବଶ୍ୟକତା ରହିଛି।
ବିଷ୍ଣୁପ୍ରିୟା ସାହୁ, ସ୍ଥାନୀୟ ବାସିନ୍ଦା
ବର୍ଷ ଶେଷସୁଦ୍ଧା ଶିଖରଚଣ୍ଡୀ ପାଣିଟାଙ୍କି
ବେଧଡ଼କ ଭାବେ ବୋରିଂ କରାଯାଇ ଭୂତଳ ଜଳ ନିଷ୍କାସନ ହେଉଛି। ଏହାଦ୍ବାରା ଭୁବନେଶ୍ବରରେ ଜଳସ୍ତର ହ୍ରାସ ପାଉଛି। ଖରାଦିନେ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ସମୟରେ ୧୦୦ରୁ ୧୫୦ ଫୁଟ୍ ତଳେ ଭଲପାଣି ବାହାରୁଥିଲା। ମାତ୍ର ଏବେ ୫୦୦ ଫୁଟ୍ ତଳେ ମଧ୍ୟ ଭଲପାଣି ବାହାରୁ ନାହିଁ। ସହର ବଢ଼ୁଛି। ଲୋକ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଯିଏ ୧୨୦୦ ବର୍ଗ ଫୁଟ୍ରେ ଘର କରୁଛି ସିଏ ବୋରିଂ କରୁଛି, ଯିଏ ୨୦୦୦ ବର୍ଗ ଫୁଟ୍ରେ ଘର କରୁଛି ତାଙ୍କର ମଧ୍ୟ ବୋରିଂ। ଆପାର୍ଟମେଣ୍ଟରେ ବୋରିଂ ହେଉଥିବାରୁ ଜଳ ସମସ୍ୟା ଦେଖାଯାଉଛି। ତାହାକୁ ନଜରରେ ରଖି ପୂର୍ବ ସରକାର ଉତ୍ତର ଭୁବନେଶ୍ବରର ସମସ୍ତଙ୍କ ଘରକୁ ପାଣି ଯୋଗାଇବାକୁ ବ୍ୟବସ୍ଥା କରିଛନ୍ତି। ଶିଖରଚଣ୍ଡୀରେ ପାଣିଟ୍ୟାଙ୍କ ନିର୍ମାଣ ଚାଲିଛି। ବର୍ଷ ଶେଷସୁଦ୍ଧା ତାହାର କାମ ଶେଷ ହୋଇଯିବ। ଫଳରେ ନିର୍ବାଚନମଣ୍ଡଳୀର ସମସ୍ତଙ୍କୁ ୨୪ ଘଣ୍ଟିଆ ପାଣି ଯୋଗାଣ ହୋଇପାରିବ ବୋଲି ବିଧାୟକ ସୁଶାନ୍ତ କୁମାର ରାଉତ କହିଥିଲେ।
ଗାଡ଼ି ବ୍ୟବହାରକୁ କମାଇବା
ଗ୍ରୀଷ୍ମ ହେଉ କି ଶୀତ। ଦିଲ୍ଲୀ ଆକାଶ ସବୁବେଳେ ଧୂଆଁମୟ ରହୁଛି। ଯେଉଁଭଳି ଭାବେ ଦୁଇ ଓ ଚାରିଚକିଆ ଯାନ ବଢ଼ିଚାଲିଛି ଖୁବ୍ଶୀଘ୍ର ଭୁବନେଶ୍ବରରେ ବି ସେଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଗୋଟିଏ ପରିବାରର ୪ରୁ ୫ ଜଣ ଲୋକ ଗୋଟିଏ ଜାଗାକୁ ଯାଉଥିବା ବେଳେ ୪ଟି ଗାଡ଼ି ନେଉଛେ। ସେଥିରୁ ବାହାରୁଥିବା ଧୂଆଁ ଏବେ ପରିବେଶ ପାଇଁ ବଡ ଆହ୍ବାନ ସୃଷ୍ଟି କରିଛି। ଏବେ ସମୟ ଆସିଛି ସେଥିରୁ ନିବୃତ୍ତ ହେବାକୁ ପଡ଼ିବ। ଏକାଧିକ ଗାଡ଼ି ବ୍ୟବହାର ବଦଳରେ ଗୋଟିଏ ଗାଡ଼ିରେ ଯଦି ସମସ୍ତେ ଯିବା ତାହା ହେଲେ ବାୟୂ ପ୍ରଦୂଷଣ ଭଳି ସମସ୍ୟାକୁ ଏଡ଼ାଇପାରିବା ବୋଲି ଶ୍ରୀ ରାଉତ ମତ ଦେଇଥିଲେ।
ପୋଖରୀ ପୁନରୁଦ୍ଧାର ଚାଲିଛି
ଉତ୍ତର ଭୁବନେଶ୍ବରରେ ଅଧିକାଂଶ ୱାର୍ଡରେ ପୋଖରୀ ଉନ୍ନତିକରଣ ଚାଲିଛି। କଳାରାହାଙ୍ଗ, ୬ ନମ୍ବର ୱାର୍ଡ, ୧୪ ନମ୍ବର ୱାର୍ଡ, ଉତ୍କଳ ବିଶ୍ବବିଦ୍ୟାଳୟରେ ପୋଖରୀଗୁଡ଼ିକର ଉନ୍ନତିକରଣ ହେଉଛି। ପ୍ରତି ୱାର୍ଡରେ ଖୋଲା ସ୍ଥାନ ରଖିବାକୁ ପାର୍କ କରାଯାଉଛି। ପଟିଆ ଶ୍ରୀବିହାର ନିକଟରେ ୧୦ ଏକର ଜମିକୁ ବନୀକରଣ କରିବା ଦିଗରେ ପଦକ୍ଷେପ ହାତକୁ ନିଆଯାଇଛି। ବିଡିଏ ଓ ବନ ବିଭାଗ ଏଦିଗରେ ମିଳିତ ଭାବେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଅଳ୍ପ ଦିନ ମଧ୍ୟରେ କାମ ଶେଷ ହୋଇଯିବ।
ଦୀପାବଳୀରେ ଦୀପ ଜାଳିବା
ଦୀପାବଳୀରେ ଭୁବନେଶ୍ବରର ବାୟୁ ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଉଛି। ବହୁଲୋକ ଶ୍ବାସରୋଗରେ ପଡ଼ୁଛନ୍ତି। ତେଣୁ ବାଣ ବଦଳରେ ଦୀଳ ଜାଳିବା। ଯେଉଁ ବାଣ ଦ୍ବାରା ସହରର ବାୟୁ ପ୍ରଦୂଷିତ ହେଉଛି ସେଥିରୁ ଦୂରେଇ ରହିବାକୁ ପଡ଼ିବ। କମ୍ ବାଣରେ ପର୍ବକୁ ଆନନ୍ଦରେ ପାଳନ କରି ପରିବେଶକୁ ସୁସ୍ଥ ରଖିପାରିବା ବୋଲି ମତପ୍ରକାଶ ପାଇଥିଲା।
ରାଜା ମଧୁସୂଦନ ଦେବ ଡିଗ୍ରି କଲେଜରେ ସଫେଇ
‘ପରିବେଶ ପଞ୍ଚାୟତ’ ଅବସରରେ ଆଜି ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ ସାମିଲ ହୋଇ କ୍ୟାମ୍ପସକୁ ଆବର୍ଜନା ମୁକ୍ତ କରିଥିଲେ। କ୍ୟାମ୍ପସର ବିଭିନ୍ନ ସ୍ଥାନରେ ପଡ଼ିଥିବା ଅଳିଆକୁ ଉଠାଇବା ସହ ସୁରକ୍ଷିତ ଭାବେ ନଷ୍ଟ କରିଥିଲେ। ଆବର୍ଜନାକୁ ଠିକ୍ ସ୍ଥାନରେ ପକାଇବା, କ୍ୟାମ୍ପସକୁ ସଫା ରଖିବା, କ୍ଲାସରୁମ୍ ମଧ୍ୟରେ ଖାଦ୍ୟ ନଖାଇବା, ନିୟମିତ ଭାବେ ପରିବେଶକୁ ସୁସ୍ଥ ରଖିବା ଦିଗରେ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ସୁନୀଲ ସେଠୀ, ଧନଞ୍ଜୟ ଭୂୟାଁ, ଆୟୁସ ରାଜପୁତ୍ ଓ ଅଧ୍ୟାପିକା ସ୍ବାତୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।