ଭୁବନେଶ୍ବର: ‘ଜଳବାୟୁ’ର ସୁରକ୍ଷା ପାଇଁ ‘ସମ୍ବାଦ’ ପକ୍ଷରୁ ନିଆଯାଇଥିବା ନିଆରା ପଦକ୍ଷେପ ପ୍ରଶଂସୀନୟ। ଆମ ସମସ୍ତଙ୍କୁ ଜଳବାୟୁ ପରିବର୍ତ୍ତନର ଭାଷାକୁ ପ୍ରଥମେ ବୁଝିବାକୁ ପଡ଼ିବ। ଏହାକୁ ପିଲାମାନଙ୍କ ପାଖରେ ଭଲଭାବରେ ପହଞ୍ଚାଇବାକୁ ପଡ଼ିବ। ଏଥି ପାଇଁ ପିଲାମାନଙ୍କୁ ସଠିକ ମାଧ୍ୟମରେ କହିବାକୁ ପଡ଼ିବ। ପିଲାମାନଙ୍କୁ ଜଳବାୟୁ ସୁରକ୍ଷା ପାଇଁ ଶିକ୍ଷା ଦେବାକୁ ପଡ଼ିବ। ଆମ ସଂସ୍କୃତି ମାଧ୍ୟମରେ ପିଲାମାନଙ୍କୁ ଜଳବାୟୁ ସଂପର୍କିତ ଶିକ୍ଷା ଦେଲେ, ତାହା ଅଧିକ ଗ୍ରହଣୀୟ ହୋଇପାରିବ। ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀରେ ସୋମବାର ଡିଏନ୍ ୱିଜ୍ଡମ୍ ଟ୍ରି ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷା ପଞ୍ଚମୀ ମାନୋ ଉକିଲ ଏହା କହିଛନ୍ତି।
ସ୍ଥାନୀୟ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ତିନିଦିନିଆ ସମ୍ମିଳନୀର ଏକ ସ୍ବତନ୍ତ୍ର ଅଧିବେଶନରେ ସେ କହିଛନ୍ତି, ଭାରତର ଫରେଷ୍ଟ ମ୍ୟାନ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ କାମ କରୁଛନ୍ତି। ସେ ପ୍ରତ୍ୟେକ ଦିନ ଡଙ୍ଗାରେ ନଦୀ ଆରପାରିକୁ ଯାଇ ଗଛର ଯତ୍ନ ନେଉଛନ୍ତି। ନିଜସ୍ବ ଉଦ୍ୟମରେ ଫରେଷ୍ଟ ମ୍ୟାନ୍ ଜଙ୍ଗଳ ପ୍ରସ୍ତୁତ କରୁଛନ୍ତି। ଅନ୍ୟ ଏକ ଉଦାହରଣ ଇେ ଶ୍ରୀମତୀ ଉକିଲି କହିଛନ୍ତି, ଚିଲିକା ହ୍ରଦର ମଙ୍ଗଳାଯୋଡ଼ିକୁ ପ୍ରତ୍ୟେକ ବର୍ଷ ବିଦେଶରୁ ପ୍ରାୟ ୫ ଲକ୍ଷ ପକ୍ଷୀ ଆସିଥାନ୍ତି। କିନ୍ତୁ ଗାଁରେ ଲୋକେ ଜାଣିପାରନ୍ତି ନାହିଁ ଯେ, ଏହି ବିଦେଶାଗତ ପକ୍ଷୀମାନଙ୍କୁ କାହିଁକି ସୁରକ୍ଷା ଦେବେ। ବରଂ ଏଠାକାର ଶିକାରୀମାନେ ନିରିହ ପକ୍ଷୀମାନଙ୍କୁ ଟାର୍ଗେଟ କରିଥାନ୍ତି। ଏକଦା ସେମାନଙ୍କୁ ପ୍ରଶ୍ନ କରାଗଲା ଯେ, ଆମ ଘରକୁ ଯଦି କିଏ ଅତିଥି ଆସନ୍ତି, ସେମାନଙ୍କୁ କେମିତି ବ୍ୟବହାର କରାଯିବା ଦରକାର?
ବିଦେଶରୁ ଯେଉଁ ପକ୍ଷୀମାନେ ଚିଲିକାକୁ ଶୀତଋତୁରେ ଆସୁଛନ୍ତି, ସେମାନେ ସେହି ସମୟରେ ତାଙ୍କ ଦେଶର ପରିବେଶରେ ଖାପ ଖୁଆଇ ପାରୁ ନାହାନ୍ତି। ତେଣୁ ଏଠାକୁ ପଳାଇ ଆସିଥାନ୍ତି। ଏହା ଦ୍ବାରା ଏଠାରେ ସେମାନେ ଭଲରେ ରୁହନ୍ତି। ଏହି ରହଣୀ ସମୟରେ ଚିଲିକା ଜଳରାଶିରେ ସେମାନେ ଯେଉଁ ମଳ ତ୍ୟାଗ କରନ୍ତି, ତାକୁ ମାଛମାନେ ଖାଇଥାନ୍ତି।
ଜଳବାୟୁ ପରିବର୍ତ୍ତନ ନେଇ ୨୦୧୨ରେ ଏକ ଅଭିଯାନ ଆରମ୍ଭ କରିଥିଲି। ପିଲାମାନଙ୍କୁ ପ୍ରକୃତିର ସହିତ ମିଶାଇବା ପାଇଁ ଉଦ୍ୟମ କରିଥିଲି। ସେଥି ପାଇଁ ପିଲାମାନଙ୍କୁ ଭୁବନେଶ୍ବରର ଶିଖରଚଣ୍ଡୀକୁ ନେଇ ଯାଇଥିଲି। ସେଠାରେ ଆମେ ୪୦ ପ୍ରଜାତିର ପକ୍ଷୀ ରେକର୍ଡ କରିଥିଲୁ। ୨ ବର୍ଷ ପରେ ସେଠାକୁ ଆମେ ଯେତେବେଳେ ଯାଇଥିଲୁ ସେଠାରେ ମାତ୍ର ୧୦ ପ୍ରଜାରତିର ପକ୍ଷୀ ଦେଖିବାକୁ ପାଇଥିଲୁ। ପରିବେଶ ସଂପର୍କରେ ଅବଗତ କରିବା ପାଇଁ ପିଲାମାନଙ୍କୁ ବାହାରକୁ ନେଇ ଯିବାକୁ ପଡ଼ିବ।
ଜଳବାୟୁ ଆମକୁ ବ୍ୟକ୍ତିଗତ ଭାବେ କେମିତି ପ୍ରଭାବିତ କରୁଛି, ତାହା ଆମେ ଜାଣିପାରୁ ନାହୁଁ। ଭୁବନେଶ୍ବରରେ ଘରଚଟିଆ ଓ ଶାଗୁଣା ନାହାନ୍ତି। ଏହି ପକ୍ଷୀମାନେ ଆମ ସହରରେ ନରହିବାର କାରଣ କ’ଣ ତାହା ଆମକୁ ଭଲଭାବରେ ବୁଝିବା ଦରକାର। ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ସହଜ ଓ ସରଳ ଭାଷାରେ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ପହଞ୍ଚିବା ଦରକାର।
ଶିକ୍ଷକମାନଙ୍କୁ ପରିବେଶ ସଂପର୍କିତ ପ୍ରଶିକ୍ଷଣ ଦେବାକୁ ପଡ଼ିବ। ଶିକ୍ଷକମାନଙ୍କୁ ପ୍ରଥମେ ତାଲିମପ୍ରାପ୍ତ କରିବାକୁ ପଡ଼ିବ। ଏହା ପରେ ଶିକ୍ଷକମାନେ କିଭଳି ଭାବେ ପିଲାମାନଙ୍କୁ ଶିକ୍ଷା ଦେବେ ସେଥିପାଇଁ ଯୋଜନା କରିବାକୁ ପଡ଼ିବା। ପରିବେଶ ବିଜ୍ଞାନ ବିଷୟରେ ସ୍କୁଲରେ ପଢ଼ାଯାଉଛି। ଆମେ ମଧ୍ୟ ପଢ଼ିଥିଲେ। ଅତୀତରେ ଯାହା ପଢ଼ାଯାଉଥିଲା, ଆମେ ସେଥିରୁ ପରିବେଶ ବିଷୟରେ କିଛି ଜାଣୁଥିଲେ। କିନ୍ତୁ ବର୍ତ୍ତମାନ ସମୟ ଆସିଛି ପରିବେଶ ବିଜ୍ଞାନକୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ।
Punascha Pruthibi