ସୃଷ୍ଟି ଏକାଡେମିରେ ଆରୋହଣ-୨୦୨୧

ଚନ୍ଦ୍ରଶେଖରପୁର: ନବାଗତ ଏମ୍‌ବିଏ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ଉତ୍ସବ ‘ଆରୋହଣ-୨୦୨୧’ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜ୍‌ମେଣ୍ଟରେ ଅନୁଷ୍ଠିତ ହୋଇଛି। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ନିଜର ବ୍ୟାବହାରିକ ଜୀବନଶୈଳୀର ପରିବର୍ତନ, ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ଓ କର୍ମମୟ ଜୀବନରେ ନୈତିକତା ପ୍ରତି ବିଶେଷ ଧ୍ୟାନ ଦେଲେ ଭବିଷ୍ୟତରେ ଉତ୍ତମ ପରିଚାଳକ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ହୋଟେଲ କ୍ରାଉନ୍‌ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମ୍ୟାନେଜ୍‌ମେଣ୍ଟ ଛାତ୍ରଛାତ୍ରୀ ଲକ୍ଷ୍ୟ ସ୍ଥିର କରିବା ସହ ତାହାକୁ ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କିଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ସରୋଜ କୁମାର ମହାପାତ୍ର, ଶିକ୍ଷାନୁଷ୍ଠାନର ଚିଫ୍ ମେଣ୍ଟର ପ୍ରଫେସର ରଞ୍ଜନ କୁମାର ବଳ, ବିପିୟୁଟି ଡିନ୍ ଶକ୍ତି ରଞ୍ଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ନିଜକୁ ଉପଯୁକ୍ତ ପରିଚାଳକ ରୂପେ ପ୍ରତିଷ୍ଠିତ କରିବାକୁ ହେଲେ ନମ୍ରତା ଭଳି ଗୁଣାବଳୀର ଅଧିକାରୀ ହେବାକୁ ପଡ଼ିବ ବୋଲି କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ଦେବା ସହ ଛାତ୍ରଛାତ୍ରୀ ନିୟମାନୁଯାୟୀ ଏବଂ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ଉମାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ନିର୍ମଳ ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବୋଲି ଅନୁଷ୍ଠାନର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦୁ ନନ୍ଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର